The Hans India
ବ୍ରହ୍ମପୁର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରବାସୀ ଓଡ଼ିଆଙ୍କ ଉପରେ ଫୋକସ୍ କରିଛି। ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ୍ କରିବା ପାଇଁ ରାଜଧାନୀ ଭୁବନେଶ୍ବରରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସାଧାରଣ ସମ୍ପାଦକ ସାରଦା ଶତପଥୀ, ଯତୀନ ମହାନ୍ତି ଓ ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇ ପ୍ରବାସୀ ଓଡ଼ିଆ ସମାଜର ମାର୍ଗ ଦର୍ଶନ କରିଥିଲେ।
ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ, ପ୍ରବାସୀ ଓଡ଼ିଆ ଶ୍ରମିକ ସୁରତରୁ ନିଜର ଭିଟାମାଟିକୁ ଫେରି ଆସିଲେ ସେଠାକାର ସୂତାକଳରେ ତାଲା ପଡ଼ି ଯାଉଛି। ଫଳରେ କଳକାରଖାନା ମାଲିକମାନେ ଗଞ୍ଜାମ ଜିଲ୍ଲାକୁ ଆସି ଶ୍ରମିକଙ୍କୁ ସୁରତ ଯିବା ପାଇଁ ଅନୁରୋଧ କରୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାର ଶ୍ରମିକମାନେ ଗୁଜରାତ ତଥା ସୁରତ ସହରର ଅର୍ଥନୈତିକ ବିକାଶ କ୍ଷେତ୍ରରେ କିଭଳି ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ ଦୁଃଖର କଥା ଓଡ଼ିଶା ସରକାର ସେହି ପ୍ରବାସୀ ଶ୍ରମିକଙ୍କୁ ଥଇଥାନ କରିପାରୁ ନାହାନ୍ତି। ଏହା ବିରୋଧରେ ସମସ୍ତ ପ୍ରବାସୀ ଓଡ଼ିଆ ଏକଜୁଟ୍ ହୋଇ କଡ଼ା ଜବାବ ଦେବାକୁ ସେ ଆହ୍ବାନ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଓଡ଼ିଆ ଲୋକ କିପରି ସାରା ଭାରତରେ ସୁନାମ ଅର୍ଜନ କରିଛନ୍ତି, ସେ ଉପରେ ଆଲୋଚନା କରିଥିବା ବେଳେ ଶ୍ରୀ ମହାନ୍ତି, ଶ୍ରୀ ଶତପଥୀ ସାଂଗଠନିକ ସ୍ଥିତି ଉପରେ ଆଲୋକପାତ କରିଥିଲେ। ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ସୁଦୃଢ଼ କରିବାରେ ଉଦ୍ୟମ ଜାରି ରଖିଥିବା ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଏହି ସମାବେଶର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ପ୍ରବାସୀ ଓଡ଼ିଆ ହଇରାଣ ହେଉଥିବା ସେ କହିଥିଲେ। ଓଡ଼ିଶାର ପ୍ରଗତି ସହିତ ଓଡ଼ିଆଙ୍କ ସ୍ବାଭିମାନ ପାଇଁ ସମସ୍ତେ ଏକ ହେବାକୁ ସେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ସୁରତ, ମୁମ୍ବାଇ, ଅହମ୍ମଦାବାଦ, ଗାନ୍ଧୀନଗର, ଭାବନଗର, ବେଙ୍ଗାଲୁରୁ, ଚେନ୍ନାଇ, ପୁନେ, ବିଶାଖାପାଟନମ ଭଳି ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ପ୍ରବାସୀ ଓଡ଼ିଆ ବସନ୍ତ ମହାନ୍ତି, ରାଧାଶ୍ୟାମା ପଣ୍ଡା, ପୁଷ୍ପାଞ୍ଜଳି ପାତ୍ର, ନିରଞ୍ଜନ ବେହେରା, ଗୋଲକ ମିଶ୍ର, ଶ୍ରୀକାନ୍ତ ରାଉତ, ଭାଗୀରଥି ବେହେରା, ଜ୍ୟୋତି ରଞ୍ଜନ ନାୟକ, ଆଦିତ୍ୟ ପାଢ଼ୀ, ରଘୁନାଥ ଗୌଡ଼, ସୀମାଞ୍ଚଳ ଶାସମାଲ, ମାଧବ ପାଢ଼ୀ, ଦେବଯାନୀ ସାହୁ, ରୁନୁ ମହାରଣା, ରବୀନ୍ଦ୍ର ଦାଶ, ଭାସ୍କର ପ୍ରଧାନ, ରମା ନାୟକ, କୃଷ୍ଣ ଶାସମଲ, ରୁନୁ ମହାରଣା, ସୁରଭି ପାଣିଗ୍ରାହୀ, ରାମଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ।
Follow Us