ଓଆର୍‌ଏଚ୍‌ଡିସି ଦୁର୍ନୀତି : ବିନୋଦ କୁମାରଙ୍କ ସମେତ ୫ ଜଣଙ୍କ ଆବେଦନ ଖାରଜ, ଅଗଷ୍ଟ ୪ ସୁଦ୍ଧା ଭିଜିଲାନ୍ସ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ

Advertisment
ଓଆର୍‌ଏଚ୍‌ଡିସି ଦୁର୍ନୀତି : ବିନୋଦ କୁମାରଙ୍କ ସମେତ ୫ ଜଣଙ୍କ ଆବେଦନ ଖାରଜ, ଅଗଷ୍ଟ ୪ ସୁଦ୍ଧା ଭିଜିଲାନ୍ସ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ

କଟକ : ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାରଙ୍କ ସହିତ ଅନ୍ୟ ୪ ଜଣଙ୍କ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ବିନୋଦ କୁମାର ଓ ଅନ୍ୟ ୪ଜଣଙ୍କ ଆବେଦନର ଶୁଣାଣି କରି ଜୁଲାଇ ୧୯ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି। ନିମ୍ନ ଅଦାଲତ ଆବେଦନକାରୀଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରି ସାରିଥିବା ବେଳେ ହାଇକୋର୍ଟରେ ଦାୟର କରାଯାଇଥିବା ଆବେଦନ ଗ୍ରହଣୀୟ ନୁହେଁ ବୋଲି ଆଜି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ଆବେଦନକାରୀ ଚାହିଁଲେ ୨୦୧୮, ଅଗଷ୍ଟ ୪ ତାରିଖ ବା ତା’ ପୂର୍ବରୁ ଭୁବନେଶ୍ୱର ଭିଜିଲାନ୍ସ ଅଦାଲତରେ ହାଜର ହେବେ ଓ ସେ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ଥିବା ଜାମିନ ବିହୀନ ଗିରଫ ପରଓ୍ଵାନା କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ନିମ୍ନ ଅଦାଲତରେ ହାଜର ହେବା ପରେ ଦଣ୍ଡାଦେଶ ପ୍ରସଂଗରେ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ଗଲା ଜୁଲାଇ ୩ ତାରିଖରେ ଭିଜିଲାନ୍ସ ଅଦାଲତ ରାୟ ପ୍ରକାଶ କରିଥିଲେ। ସେହି ଦିନ ଅଦାଲତରେ ଦୋଷୀ ସାବ୍ୟସ୍ତ ଓଆର୍‌ଏଚଡିଓର ଅନ୍ୟତମ ନିର୍ଦ୍ଦେଶକ ସଂଜୟ ମହାନ୍ତି ଉପସ୍ଥିତ ଥିବା ବେଳେ ଅନ୍ୟମାନେ ଅନୁପସ୍ଥିତ ଥିଲେ। ତେଣୁ ସେମାନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହୋଇଥିବା ଓଆର୍‌ଏଚ୍‌ଡିସିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ କୁମାର ରାଉତ ଓ ଚିତ୍ତରଂଜନ ମଲ୍ଲିକ, ଗ୍ରାମ୍ୟ ବିକାଶ ମଞ୍ଚ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଗଠନ ସଂପାଦକ ଆଶିଷ କୁମାର ନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ। ହାଇକୋର୍ଟ ଆବେଦନକାରୀଙ୍କ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସେମାନଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅଙ୍କୁଶ ଜାରି କରିଥିଲେ। ନିମ୍ନ ଅଦାଲତ ମାମଲାର ରାୟ ପ୍ରକାଶ କରି ସାରିଥିବା ବେଳେ ହାଇକୋର୍ଟରେ ଦାୟର କରାଯାଇଥିବା ଆବେଦନ ଗ୍ରହଣୀୟ ନୁହେଁ ବୋଲି ଭିଜିଲାନ୍ସ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe