ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ସ୍ଥାନୀୟ ଓରିଏଣ୍ଟ କାଗଜକଳ ପରିସରରେ ପଶି ସୁରକ୍ଷା କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଓ ଡକାୟତି କରିବା ଅଭିଯୋଗରେ ବ୍ରଜରାଜନଗର ଥାନା ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଝୁପୁଡ଼ିପଡାର ଡିଲା ଓରଫ ଅକ୍ଷୟ ନାମଦେବ, ଗୋଜ ଓରଫ ସୁରେଶ ମାଳି, ପଞ୍ଜାବୀପଡ଼ାର ପିଣ୍ଡୁ ଓରଫ ପପୀନ୍ଦ୍ର ସିଂ। ଅଭିଯୁକ୍ତମାନଙ୍କଠାରୁ ତମ୍ବା କେବୁଲ, ଭୁଜାଲି ଓ ଖଣ୍ଡା ଜବତ କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବୈକୁଣ୍ଠ ସେଠ ସୂଚନା ଦେଇଛନ୍ତି।
ପୁଲିସ ସୂଚନାନୁସାରେ ଗତ ୨୧ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୧୫ରୁ ଅଧିକ ଦୁର୍ବୃତ୍ତ ଓରିଏଣ୍ଟ କାଗଜ କଳର ରେଲୱେ ସାଇଡିଂ ଗେଟ ନିକଟ ପାଚେରି ଡେଇଁ ଭିତରେ ପଶିଥିଲେ। ସେଠାରେ ଥିବା ସୁରକ୍ଷା କର୍ମୀ ଦେଵଲାଲ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହ ସାଙ୍ଗରେ ଧରି କମ୍ପାନିର ଷ୍ଟୋର ନିକଟକୁ ଯାଇଥିଲେ। ସେଠାରେ ଡ୍ୟୁଟି କରୁଥିବା ସୁରକ୍ଷା କର୍ମୀ ପୁଲିସି ରାୟ ଓ ଅର୍ଜୁନ ସିଂହଙ୍କୁ ଷ୍ଟୋର୍ର ଚାବି ମାଗିଥିଲେ। ମାତ୍ର ଚାବି ନଥିବା କହିବାରୁ ସେମାନଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରି ଷ୍ଟୋର୍ର ତାଲା ଭାଙ୍ଗିବାକୁ ପ୍ରୟାସ କରିଥିଲେ। ତେବେ ସେଥିରେ ଅସଫଳ ହେବାରୁ କାରଖାନା ମୁଖ୍ୟ ଗେଟ ନିକଟକୁ ଯାଇ ଗେଟ୍ ଦାୟିତ୍ବରେ ଥିବା ସତେନ୍ଦ୍ର ମିଶ୍ର ଓ ଶ୍ରୀରାମ ଶର୍ମାଙ୍କୁ ଷ୍ଟୋର ଓ ମୁଖ୍ୟ ଗେଟ୍ର ଚାବି ମାଗିଥିଲେ। ସେମାନେ ବି ଚାବି ନ ଦେବାରୁ ଦୁର୍ବୃତ୍ତମାନେ ଉଭୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ସେଠାରେ ଥିବା ଜିପ ଓ ଚୌକିକୁ ଲୁହା ରଡ୍ରେ ପିଟି ଭାଙ୍ଗିଥିଲେ। ପରେ ଦୁର୍ବୃତ୍ତମାନେ ଗେଟ ଡେଇଁ ଚାଲି ଯାଇଥିଲେ। ଯିବା ବେଳେ କିଛି ତମ୍ବା କେବୁଲ ନେଇଯାଇଥିଲେ।
ଖବର ପାଇ ଓପିଏମ୍ ସୁରକ୍ଷା ଅଧିକାରୀ ଗୌତମ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଚିକିତ୍ସା ପାଇଁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ପଠାଇବା ସହ ଥାନାକୁ ସୂଚନା ଦେଇଥିଲେ। ଫଳରେ ଏସ୍ଆଇ ଏସ୍.କେ ପଟେଲ ପହଞ୍ଚି ତଦନ୍ତ କରିଥିଲେ। ପରଦିନ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତରେ ସହଯୋଗ କରିଥିଲେ। ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉପରେକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବାକିମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି।
Follow Us