କଟକ: ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଅଡ଼ୁଆ ବଢିଛି। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଉଭୟ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବେହେରା ଓ ଶ୍ରୀ କୁମ୍ଭଙ୍କ ପକ୍ଷରୁ ଦାୟର ଦୁଇ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏଥି ସହିତ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଉଭୟ ଜାମିନ ପାଇଁ ଆବେଦନ କରି ପାରିବେ। ଏଭଳି କ୍ଷେତ୍ରରେ ଅଦାଲତ ସେମାନଙ୍କ ଜାମିନ ଆବେଦନକୁ ଯୋଗ୍ୟତା ଆଧାରରେ ବିଚାରକୁ ନେବେ ବୋଲି ହାଇକୋର୍ଟ କହିଛନ୍ତି। 

Advertisment

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୬ରେ ଶ୍ରୀ ବେହେରା ଓ ଶ୍ରୀ କୁମ୍ଭଙ୍କ ଆଗୁଆ ଜାମିନ ଆବେଦନର ହାଇକୋର୍ଟ ଏକତ୍ର ଶୁଣାଣି ‌ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏଥି ସହିତ ରାୟ ପ୍ରକାଶ ପର୍ଯ୍ୟନ୍ତ ଉଭୟଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। 

ଆହୁରି ପଢ଼ନ୍ତୁ: No Reels in Train Tracks: ଟ୍ରେନ୍ ଟ୍ରାକ୍ ନୁହେଁ ରିଲ୍ସର ପ୍ଲାଟଫର୍ମ… ସେଲ୍‌ଫି କି ଭିଡ଼ିଓ କରୁଥିଲେ ସାବଧାନ ! ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ

ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍‌ଓ ଶ୍ରୀ ‌ବେହେରା ଓ ରୋଷେୟା ଶ୍ରୀ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ଖ'ରେ କଗନିଜାନ୍ସ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଏପ୍ରିଲ ୧୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ। କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଓ ଶ୍ରୀ ବେହେରା ଦାୟର କରିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଏ ସଂପର୍କିତ ଦୁଇ ଆବେଦନର ଗତ ଜୁଲାଇ ୩ରେ ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହାପରେ ଅଗଷ୍ଟ ୧୪ରେ ନିମ୍ନ ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଗତ ସେପ୍ଟେମ୍ବର ମାସରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ବେହେରା ଓ ଶ୍ରୀ କୁମ୍ଭ ହାଇକୋର୍ଟରେ ପୃଥକ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। 

ଆହୁରି ପଢ଼ନ୍ତୁ: Kafala System : କଫାଲା ବ୍ୟବସ୍ଥା ଲୋପ କଲେ ସାଉଦି ଆରବ ସରକାର

୨୦୨୧ରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ ରାତିରେ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ପ୍ରୋଟେଷ୍ଟ ପିଟିସନର ୨୦୨୩, ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଶୁଣାଣି କରି ବିଦ୍ୟାଭାରତୀ, ଡିଏଫଓ ଶ୍ରୀ ବେହେରା ଓ ରୋଷେୟା ଶ୍ରୀ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୧୨୦-ଖ'ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏତଲାକାରୀ ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ରାକେଶ ବେହେରା ମାମଲା ପରିଚାଳନା କରୁଥିଲେ।