କଟକ: ନରହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୭, ଫେବ୍ରୁଆରି ୧୭ରୁ ଜେଲରେ ଥିବା ସମରା ମହାକୁଡ଼ଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସମରାଙ୍କୁ ଆଜୀବନ ସଶ୍ରମ ଜେଲଦଣ୍ଡ ପ୍ରଦାନ କରି କେନ୍ଦୁଝର ଦୌରା ଜଜ୍ ୨୦୦୮, ଫେବ୍ରୁଆରି ୨୦ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ସମରାଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରୁ ମୁକ୍ତ କରିଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା ନେଲା ନୂଆ ମୋଡ଼

ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସମରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ପ୍ରାୟ ସାଢେ ୧୬ ବର୍ଷ ପରେ ସମରା ଜେଲରୁ ମୁକ୍ତ ହେବା ପାଇଁ ବାଟ ଫିଟିଛି।

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୭, ଫେବ୍ରୁଆରି ୧୩ ଦିନ ୪ଟା ସମୟରେ ଜଣେ ୭ ବର୍ଷ ବାଳକକୁ କେନ୍ଦୁ ତୋଳିବାକୁ ଡାକି ନେଇ ସମରା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସଂଧ୍ୟାରେ ସାଇକେଲ ଧରି ସମରା ଏକା ଫେରିଥିଲେ। ବାଳକର ଘରଲୋକ ପଚାରିବାରୁ ସେ ଏକା ଯାଇଥିବା କହିଥିଲେ। ଗ୍ରାମବାସୀ ଖୋଜାଖୋଜି କରି ଦୁଇ କିଲୋମିଟର ଦୂର ସିଆନାଳ ଜଙ୍ଗଲରେ ବାଳକର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ତଣ୍ଟିକାଟି ବାଳକକୁ ହତ୍ୟା କରାଯାଇଥିଲା। ମୃତ ବାଳକର ପରିବାର ସଦସ୍ୟ ସୁଆକାଟି ଫାଣ୍ଡିକୁ ଯାଇ ପୁଲିସକୁ ଜଣାଇଥିଲେ।

ଏହି ଖବର ପଢ଼ନ୍ତୁ: ମା’ ହେଲେ 'ପ୍ୟାର୍ କା ପଞ୍ଚନାମା' ଅଭିନେତ୍ରୀ

ଏହାପରେ କେନ୍ଦୁଝର ସଦର ଥାନାରେ ହତ୍ୟା ମାମଲା ପୁଲିସ ରୁଜୁ କରିବା ସହିତ ୨୦୦୭, ଫେବ୍ରୁଆରି ୧୭ରେ ସମରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ପୁଲିସ ତଦନ୍ତ ବେଳେ ଜବତ କରିଥିଲା। କେନ୍ଦୁଝର ଦୌରା ଜଜ୍ ମାମଲାର ଶୁଣାଣି କରି ୨୦୦୮, ଫେବ୍ରୁଆରି ୨୦ରେ ରାୟ ପ୍ରକାଶ କରିଥିଲେ। ଅଦାଲତ ଆଇପିସିର ଦଫା ୩୦୨, ୩୬୪ ଓ ୨୦୧ରେ ସମରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ୨୦୦୮ରେ ସମରା ହାଇକୋର୍ଟରେ ଆବେଦନ କରିଥିଲେ।