ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକ, ୧୯ରେ ପରବର୍ତ୍ତୀ ନିଷ୍ପତ୍ତି

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକ, ୧୯ରେ ପରବର୍ତ୍ତୀ ନିଷ୍ପତ୍ତି

କଟକ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପୂର୍ବ ନିଷ୍ପତ୍ତି ଅନୁସାରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଓ ମାମଲା ଗୁଡିକର ଲିଷ୍ଟିଂ ଭଳି ପ୍ରସଂଗରେ ଆଜି ସଦସ୍ୟମାନେ ଆଲୋଚନା କରିଥିଲେ। ଗତ ୧୨ ତାରିଖରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଫେବ୍ରୁଆରି ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସୋମବାର ଦିନ ୧ଟା ୨୦ରେ ସାଧାରଣ ପରିଷଦର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ଆଜି ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସଂପାଦକ ରଂଜନ କୁମାର ନାୟକଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଳେଖ ଯୋଗ୍ୟ ଯେ ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ହାଇକୋର୍ଟ ଆଇନଜୀବୀମାନେ ଫେବ୍ରୁଆରି ୧୨ ତାରିଖ ଅପରାହ୍ନ ୨ଟାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଏହି ନିଷ୍ପତ୍ତିକୁ କଟକର କ୍ୟାଟ୍‌ ବାର୍‌ ଅସୋସିଏସନ୍‌, ସ୍ୟାଟ୍‌ ବାର୍‌ ଆସୋସିଏସନ୍‌, କଟକ ବାର୍‌ ଆସୋସିଏସନ୍‌, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌, ଖାଉଟି ବାର୍‌ ଆସୋସିଏସନ୍‌ ଓ ଅନ୍ୟ ଆଇନଜୀବୀ ସଂଘ ଗୁଡିକ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ ହାଇକୋର୍ଟ ସମେତ ଜିଲ୍ଲା ଓ ଦୌରା ଜଜ୍‌ ଅଦାଲତ, କ୍ୟାଟ୍‌, ସ୍ୟାଟ୍‌, ଡିଆରଟି, ଖାଉଟି ଅଦାଲତରେ ଏକ ପ୍ରକାର ଅଚଳାବସ୍ଥା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe