ଓଡ଼ିଶା ଇନଫ୍ରାଟେକ୍ ଆବେଦନ ହାଇକୋର୍ଟରେ ଖାରଜ: ଅନ୍ତରୀଣ ସୁରକ୍ଷା ହଟିଲା, ଅଡ଼ୁଆରେ ଜାଗି ଓ ବୈଜୟନ୍ତ ପଣ୍ଡା

ଓଡ଼ିଶା ଇନଫ୍ରାଟେକ୍ ଆବେଦନ ହାଇକୋର୍ଟରେ ଖାରଜ: ଅନ୍ତରୀଣ ସୁରକ୍ଷା ହଟିଲା, ଅଡ଼ୁଆରେ ଜାଗି ଓ ବୈଜୟନ୍ତ ପଣ୍ଡା

କଟକ : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (ଇଓଡବ୍ଳୁ) ଥାନା ପକ୍ଷରୁ ହୋଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ  ଆଜି ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ମାମଲାର ଶୁଣାଣି ଶେଷ କରି ଗତ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି। ଘଟଣାର ତଦନ୍ତ ଚାଲିଥିବା ଦୃଷ୍ଟିରୁ ଏଥିରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ମନା କରିବା ସହିତ ଏ ସମ୍ପର୍କିତ ଆବେଦନ ଖାରଜ କରିଛନ୍ତି। ଏଥି ସହିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇ ଦିଆଯାଇଛି ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଫଳରେ ଜାଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ  ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

publive-image orissahighcourt.nic.in

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କମ୍ପାନିର ପ୍ରମୋଟର ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରୀ ଉପରେ ନଭେମ୍ବର ୫ରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଗତ ୧୩ ତାରିଖ ଦିନ ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ଏହି ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ହାଇକୋର୍ଟ  ନିର୍ଦ୍ଦେଶ ଦେଇଥିଲେ।

publive-image India News Diary

୧୩ ତାରିଖ ଦିନ ହାଇକୋର୍ଟରେ ଶୁଣାଣି ସମୟରେ ମାମଲାର ଦ୍ବିତୀୟ ଆବେଦନକାରୀ ଥିବା ମନୋରଂଜନ ଷଡଙ୍ଗୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସେ ଇତିମଧ୍ୟରେ ଓଡ଼ିଶା ଇନଫ୍ରାଟେକ୍ ସଂସ୍ଥାର ସିଇଓ ଓ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ସେ ଆଉ କମ୍ପାନିର ପ୍ରତିନିଧିତ୍ବ କରିବାକୁ ଚାହୁଁ ନାହାନ୍ତି। ସେ ମାମଲାରେ ଆବେଦନକାରୀ ଭାବେ ଆଉ ଅଗେଇବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀ ଷଡଙ୍ଗୀଙ୍କୁ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ଖଣ୍ଡପୀଠ ଏହି ମାମଲାରୁ ଶ୍ରୀ ଷଡଙ୍ଗୀଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଇଓଡବ୍ଲୁ ପକ୍ଷରୁ ଦାୟର ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌, ମନୋରଂଜନ ଷଡଙ୍ଗୀ ଓ ଶିବପ୍ରସାଦ ହରିଚନ୍ଦନଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରଥମେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ପ୍ରଥମରୁ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଆବେଦନକାରୀ ନ ଥିଲେ। ନଭେମ୍ବର ୫ରେ ମାମଲାର ଶୁଣାଣି ସମୟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌ର ପ୍ରମୋଟର ହୋଇଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀର ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା। ଏଥି ସହିତ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ। ନଭେମ୍ବର ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଣ୍ଡା ଓ ଶ୍ରୀମତୀ ପଣ୍ଡାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ  ନି‌ର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ରାଜ୍ୟ ସରକାର, ଇଓଡବ୍ଲୁ ଓ ରବୀନ୍ଦ୍ର ସେଠୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ରବୀନ୍ଦ୍ର ସେଠୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ସିଦ୍ଧାର୍ଥ ଦାସ ଓ ସୌମ୍ୟ ରଂଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe