ଆମେରିକାରେ ଚମକ ଦେଖାଇଲେ ଓଡ଼ିଆ ପୁଅ: ବିଶ୍ବର ବିଜ୍ଞାନ ଛାତ୍ର-ଗବେଷକଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କଲେ

Advertisment
ଆମେରିକାରେ ଚମକ ଦେଖାଇଲେ ଓଡ଼ିଆ ପୁଅ: ବିଶ୍ବର ବିଜ୍ଞାନ ଛାତ୍ର-ଗବେଷକଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କଲେ

ଦଶପଲ୍ଲା: ଆମେରିକାରେ ଚମକ ଦେଖାଇଛନ୍ତି ଓଡ଼ିଆ ପୁଅ। ଆମେରିକାର ପୋର୍ଟଲ୍ୟାଣ୍ତଠାରେ ପୃଥିବୀର ଉଦ୍ଭିଦ ବିଜ୍ଞାନୀଙ୍କୁ ନେଇ ଅନୁଷ୍ଠିତ ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ଜରିପାଟଣା ଗ୍ରାମର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଂଜନ ବେହେରା (୨୬)। ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଜ୍ୟୋତି କହିଛନ୍ତି, ଏବେ ସେ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭର୍ସିଟିର ଜୀବବିଜ୍ଞାନରେ ପିଏଚ୍‌ଡି କରୁଛନ୍ତି। ଗତ ୯ ତାରିଖଠାରୁ ପୋର୍ଟଲ୍ୟାଣ୍ତଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ବିଶ୍ବର ୧ ହଜାର ୫ ଶହ ବୈଜ୍ଞାନିକ ଭାଗ ନେଇଥିଲେ। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କିଭଳି ପ୍ରତିକାର କରାଯାଇପାରିବ ତାହା ଉପରେ ୪୮ ଘଣ୍ଟା ମଧ୍ୟରେ ପ୍ରତିକାରର ସୂତ୍ର ବାହାର କରିବାକୁ କୁହାଯାଇଥିଲା। ଯେଉଁଥିରେ ଜ୍ୟୋତିରଂଜନ ଗଛରୁ ଖାଦ୍ୟ ଉତ୍ପାଦନ ନହୋଇ ଅଲଗା ଉପାୟରେ କିଭଳି ପ୍ରସ୍ତୁତ ହେବ, ସେନେଇ ଏକ ସମାଧାନର ସୂତ୍ର ଦେଇଛନ୍ତି। ଗୋଟିଏ ଜୀବକୋଷରୁ ଏକ ଚକୋଲେଟ୍‌ ଉତ୍ପାଦନ ହେବ।

ଯାହା ଦ୍ବାରା ଜଳ ଓ ଅଙ୍ଗାରକାମ୍ଳ ଅପଚୟକୁ ରୋକାଯିବା ସହ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନର ପ୍ରଣାଳୀ ବିଷୟରେ ସଂକ୍ଷିପ୍ତ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ଏହି ପ୍ରଣାଳୀ ବିଶ୍ବ ଜଳବାୟୁ ଉପରେ ପ୍ରଭାବ ପକାଇ ପାରିବ। ବିଶ୍ବବିଦ୍ୟାଳୟ କମିଟି ଦ୍ବାରା ଏହି ପ୍ରଣାଳୀ ବେଶ୍ ଆଦୃତି ଲାଭ କରିଥିବା ବେଳେ ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ପାଇଁ ଗୈାରବ ଆଣିଛନ୍ତି। ଏଥିପାଇଁ ତାଙ୍କୁ ଏକ ମାନପତ୍ର ସହ ୧ ହଜାର ଡଲାର ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି। ଏହାପରେ ଏହି ପ୍ରଣାଳୀକୁ ଆପଣାଇବା ପାଇଁ ବଡ଼ବଡ଼ କମ୍ପାନିଙ୍କ ସୁଅ ଛୁଟିଥିବା ପ୍ରକାଶ କରିଛନ୍ତି। ଏହି ସଫଳତାର ଶ୍ରେୟ ପ୍ରଥମେ ଓଡ଼ିଶାର ମହାପ୍ରଭୁ ଜଗନ୍ନାଥଙ୍କ ସମେତ ନିଜ ପିତାମାତାଙ୍କୁ ଦେଇଛନ୍ତି। ସୂଚନା ଥାଉକି, ସେ ହେଉଛନ୍ତି ୨୦୧୦ ବ୍ୟାଚ୍‌ର ଦଶପଲ୍ଲା ରାଧାମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe