ଓଡ଼ିଆ ଚଳଚ୍ଚତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ

Advertisment

‘ମନ ଆକାଶ’ର ଜହ୍ନ, ‘କୃଷ୍ଣସୁଦାମା’ର କାହ୍ନାଙ୍କୁ ଝୁରିବେ ସ‌ିନେପ୍ରେମୀ

‘ମନ ଆକାଶ’ର ଜହ୍ନ, ‘କୃଷ୍ଣସୁଦାମା’ର କାହ୍ନାଙ୍କୁ ଝୁରିବେ ସ‌ିନେପ୍ରେମୀ

ଓଡ଼ିଆ ଚଳଚ୍ଚତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ

ସମ୍ବଲପୁର : ୭୦ ଦଶକର ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସମ୍ବଲପୁରର ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର)ଙ୍କର ରବିବାର ସଂଧ୍ୟାରେ ପରଲୋକ ହୋଇଯାଇଛି। ସେ ସମ୍ବଲପୁର ଫାଟକସ୍ଥିତ ତାଙ୍କ ଘର ଗାଧୁଆ ଘରେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଏକ ନର୍ସିଂହୋମ୍‌କୁ ନିଆ ଯାଇଥିଲା। ସଂଧ୍ୟା ୫ଟା ୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ତାଙ୍କର ପତ୍ନୀ ସଂଯୁକ୍ତା, ପୁଅ ରୋହିତ, ଦୁଇଝିଅ ମଧୁଛନ୍ଦା, ପଦ୍ମିନୀ, ବୋହୂ, ଜ୍ବାଇଁ, ଭାଇ, ନାତିନାତୁଣୀ ଅଛନ୍ତି। ସୋମବାର ସକାଳେ ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ କରାଯିବ। ଟିକୁ ମିଶ୍ରଙ୍କ ବିୟୋଗରେ ସମ୍ବଲପୁର‌ର କଳାପ୍ରେମୀଙ୍କ ସହ ତାଙ୍କ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳି ଯାଇଛି।

‘ମନ ଆକାଶ’ର ଜହ୍ନ, ‘କୃଷ୍ଣସୁଦାମା’ର କାହ୍ନାଙ୍କୁ ଝୁରିବେ ସ‌ିନେପ୍ରେମୀ
ସମ୍ବଲପୁରର ଜଣାଶୁଣା କଳା ସଂଗଠକ ତଥା ପ୍ରୋତ୍ସାହକ ରାହାସ ବିହାରୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର)।‌ ସେ ପଶ୍ଚିମ ଓଡ଼ିଶାର ପ୍ରଥମ ମାଟ୍ରିକୁଲେଟ୍‌ ଧରଣୀଧର ମିଶ୍ରଙ୍କ ପଞ୍ଚମ ପିଢ଼ି। ଶାନ୍ତି ସ୍ବରୂପ ସତୁରି ଦଶକରେ ୩ଟି ଓଡ଼ିଆ ଚଳଚ୍ଚିତ୍ର କରିଥିଲେ। ୧୯୭୪ରେ ମୁକ୍ତିଲାଭ କରିଥିବା ମନଆକାଶ ଫିଲ୍ମର ପ୍ରଯୋଜକ ଥିଲେ ତାଙ୍କ ପିତା ରାହାସ ବିହାରୀ ମିଶ୍ର। ସେଥିରେ ଶାନ୍ତିସ୍ବରୂପ ମୁଖ୍ୟ ଚରିତ୍ର ଭାନୁ ପ୍ରତାପ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ସହ ଅଭିନେତା ଥିଲେ। ଏହି ଚଳଚ୍ଚିତ୍ରର ଗୀତ ‘ଏ ବନ ଝରଣା, ନାଚି ନାଚି ଯାଆନା’ ତଥା ତାଙ୍କ ପିତାଙ୍କ ଲିଖିତ ସମ୍ବଲପୁରୀ ଗୀତ ‘ବହୁଛେ ହୁରୁହୁରିଆ ଧୁକା, ଫୁଟିଛେ ଫୁଲ’ ଆଜି ବି ସିନେପ୍ରେମୀ ଗୁଣୁଗୁଣାଉଛନ୍ତି। ଏହାଛଡ଼ା ଶାନ୍ତି ସ୍ବରୂପ ୧୯୭୬ରେ ମୁକ୍ତିଲାଭ କରିଥିବା କୃଷ୍ଣସୁଦାମା ସିନେମାରେ କୃଷ୍ଣ ଓ ୧୯୭୭ର ‘ବନ୍ଧୁ ମହାନ୍ତି’ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତିନିଟି ଯାକ ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇ ଚମତ୍କାର ଅଭିନୟ କରିଥିଲେ। ତାଙ୍କ ପିତା ରାହାସ ବିହାରୀ ମିଶ୍ର ନିଜେ ମନଆକାଶ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ। ତିନିଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ୍‌ (ନିତ୍ୟାନନ୍ଦ ପାଲିତ୍)।

ପିତା ରାହାସ ବିହାରୀ ଏବଂ ଶାନ୍ତି ସ୍ବରୂପ ଆହୁରି କିଛି ଚଳଚ୍ଚିତ୍ର ପ୍ରକଳ୍ପ ହାତକୁ ନେଇଥିଲେ ବି ତାକୁ ସଂପୂର୍ଣ୍ଣ କରିପାରି ନଥିଲେ। ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ସମ୍ବଲପୁର ଝାଡ଼ୁଆପଡ଼ାର ମୂଳନିବାସୀ ଶାନ୍ତିସ୍ବରୂପ ଫାଟକରେ ଥିବା ସମ୍ବଲପୁରର ବହୁ ପୁରାତନ ମଡର୍ନ ଲଜ୍ ପରିଚାଳନା କରୁଥିଲେ। ଉକ୍ତ ଲଜ୍‌ ଗଂଗାଧର ମେହେର ମହାବିଦ୍ୟାଳୟରେ ପଢ଼ୁଥିବା ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଙ୍କ ଆଶ୍ରୟ ସ୍ଥଳ ଥିଲା। ଅନେକ ଦିନ ଧରି ତାଙ୍କ ଝାଡ଼ୁଆପଡ଼ା ଘରେ ଓଡ଼ିଶା ସାଂସ୍କୃତିକ ସମାଜର କାର୍ଯ୍ୟାଳୟ ଥିଲା। ତାଙ୍କ ପରିବାର ସହରର ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ୨୦୧୫ ମେ’ ୧୫ ତାରିଖରେ କିଛି ଅଜଣା ଦୁର୍ବୃତ୍ତ ଶାନ୍ତିସ୍ବରୂପଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ଦେହରେ ୨ଟି ଗୁଳି ବାଜିଥିଲେ ବି ସେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe