ହାଇଦ୍ରାବାଦରେ ୩ ମହଲା କୋଠାରୁ ଖସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ; ୧୨ଦିନ ତଳେ ଯାଇଥିଲେ, ଗାଁରେ ପହଞ୍ଚିଲା ଶବ 

Advertisment
ହାଇଦ୍ରାବାଦରେ ୩ ମହଲା କୋଠାରୁ ଖସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ; ୧୨ଦିନ ତଳେ ଯାଇଥିଲେ, ଗାଁରେ ପହଞ୍ଚିଲା ଶବ 

ବେଲଗୁଣ୍ଠା : ଗଞ୍ଜାମ‌ରେ ସରୁନି ଦାଦନ ଦୁଃଖ। ଏଭଳି ପରିସ୍ଥିତିରେ ହାଇଦ୍ରାବାଦରେ ତିନି ମହଲା କୋଠାରୁ ଖସି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ, ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତ ସିଂହମର୍ଦ୍ଦନ ଗ୍ରାମର ସଞ୍ଜୟ ଗୌଡ଼। ଶ୍ୟାମସୁନ୍ଦର ଗୌଡ଼ଙ୍କ ପୁଅ ସଞ୍ଜୟ ହାଇଦ୍ରାବାଦର ଏକ କନଷ୍ଟ୍ରକ୍ସନ୍ କମ୍ପାନିରେ କାର୍ଯ୍ୟ କରୁଥିଲେ। ଗତ ସୋମବାର ଦିନ ସେ କାମ କରୁଥିବା ସମୟରେ ତିନିମହଲା କୋଠାରୁ ଖସି ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସିଂହମର୍ଦ୍ଦନ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସଞ୍ଜୟଙ୍କ ଶବ ପହଞ୍ଚିବା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

publive-image

ଶ୍ୟାମସୁନ୍ଦର ଗୌଡ଼ଙ୍କ ପରିବାର କହିଲେ ପତ୍ନୀ ବଙ୍ଗାଳି, ଦୁଇ ପୁଅ ଓ ବୋହୂ ଏବଂ ନାତିନାତୁଣୀ। ଦୁଇଝିଅ ବିବାହ କରିସାରିଛନ୍ତି। ସଞ୍ଜୟ ହେଉଛନ୍ତି ଶ୍ୟାମସୁନ୍ଦରଙ୍କ ସାନପୁଅ। ସଞ୍ଜୟଙ୍କ ସାନପୁଅ ସାନୁ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ତା’ ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ସେ ସର୍ବସ୍ବାନ୍ତ ହୋଇଯାଇଥିଲେ। ଏଥିପାଇଁ ବିଭିନ୍ନ ଆଡ଼ୁ ଧାରଉଧାର ବି କରିସାରିଥିଲେ। କନ୍ତୁ ପରିବାର ଚଳାଇବା ଓ ପୁଅର ଚିକିତ୍ସା ଲାଗି ଅର୍ଥାଭାବ ଯୋଗୁଁ ସଞ୍ଜୟ ଗତ ୧୦ ତାରିଖରେ ପାଲକଷଣ୍ଢା ଗ୍ରାମର ଜଣେ ଠିକାଦାରଙ୍କ ସହାୟତାରେ ହାଇଦ୍ରାବାଦ ଯାଇ ଏକ କନ୍‌ଷ୍ଟ୍ରକ୍ସନ୍ କମ୍ପାନିରେ ଦାଦନ ଶ୍ରମିକ ଭାବେ କାମ ଆରମ୍ଭ କରିଥିଲେ।  ଗତ ସୋମବାର ଦିନ ତିନି ମହଲା କୋଠା ଉପରେ ଛିଡ଼ା ହୋଇ ଏକ ଲୁହାରଡ଼୍‌କୁ ସିଧା କରୁଥିବା ସମୟରେ ହଠାତ୍ ତଳକୁ ଛିଟିକି ପଡ଼ିଥିଲେ। ତାଙ୍କୁ କିଛି ସହଯୋଗୀ ଉଦ୍ଧାର କରି ନିକଟସ୍ଥ ଉଷ୍ମମାଳି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ I ସେଠାରେ ଡାକ୍ତର ସଞ୍ଜୟକୁ ମୃତ ଘୋଷଣା କରିଥିଲେ I

ଆଜି ସକାଳ ସାଢ଼େ ୧୦ଟାରେ ଏକ ଆମ୍ବୁଲାନ୍ସ୍‌ରେ ସଞ୍ଜୟଙ୍କ ଶବ ଗାଁରେ ପହଞ୍ଚିଥିଲା। କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟିପଡ଼ିଥିଲା। ସଞ୍ଜୟଙ୍କ ପରିବାରବର୍ଗ କାନ୍ଦି କାନ୍ଦି ବେହୋସ୍ ହୋଇଯିବା ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ସଞ୍ଜୟଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ କମ୍ପାନିର କଣ୍ଟ୍ରାକ୍ଟର୍ ୨ ଲକ୍ଷ ଟଙ୍କା ସହାୟତା ଦେଇଥିଲେ। ଆଉ ୨୦ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସଞ୍ଜୟଙ୍କ ପରିବାର ପ୍ରତିପୋଷଣ ଓ ପିଲାଙ୍କ ପାଠପଢ଼ା ଦିଗରେ ସହାୟତା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe