ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ: ପ୍ରଣତି ମିଶ୍ର

ଆଘାତଜନିତ ପରିଚାଳନା ଉପରେ କର୍ମଶାଳା ଆୟୋଜିତ

ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ: ପ୍ରଣତି ମିଶ୍ର

ଭୁବନେଶ୍ବର: ଜଣେ ଖେଳାଳି ପାଇଁ କ୍ରୀଡ଼ା ସାମ୍ବାଦିକ ଯେତିକି ଗୁରୁତ୍ୱପୂର୍ଣ୍ଣ, କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ମଧ୍ୟ ଖେଳାଳିଙ୍କ ଗୁରୁତ୍ୱ ସେହିପରି । ଉଭୟଙ୍କ ଜନମାନସରେ ପ୍ରଚାର ପାଇଁ ପରସ୍ପରର ଆବଶ୍ୟକତା ରହିଛି । ଖେଳ ଦୁନିଆ ଏବଂ କ୍ରୀଡ଼ା ସାମ୍ବାଦିକତା ପରସ୍ପର ଠାରୁ ଭିନ୍ନ ନୁହଁନ୍ତି ବରଂ ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପରର ପରିପୂରକ ବୋଲି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜୟିନୀ ତଥା ଓଡ଼ିଶା କ୍ରୀଡ଼ାର ଲିଜେଣ୍ଡ ଆଥ୍‌ଲେଟ୍‌ ପ୍ରଣତି ମିଶ୍ର ଏହି ମତ ଦେଇଛନ୍ତି ।

ସ୍ଥାନୀୟ ଉତ୍କଳ କରାଟେ ସ୍କୁଲର ସମ୍ମିଳନୀ କକ୍ଷରେ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟ ସମାରୋହରେ ପ୍ରଣତିଙ୍କ ସହ ଓଡ଼ିଶାର କ୍ରିକେଟ୍‌ ଗୌରବ ତଥା ବର୍ତ୍ତମାନର ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଏବଂ ସଦ୍ୟ ଏଭରେଷ୍ଟ ଆରୋହଣ କରିଥିବା ସିଦ୍ଧାର୍ଥ ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବି ଏବଂ ସମ୍ପାଦକ ଦେବୀପ୍ରସନ୍ନ ମହାନ୍ତି ମଧ୍ୟ ସାମିଲ ଥିଲେ । ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ତାଙ୍କ ଭାଷଣରେ କହିଥିଲେ, ଖେଳରେ ସଫଳତା ହାସଲ କରିବାର କିଛି ସର୍ଟକର୍ଟ ନାହିଁ । ପାଗଳ ପ୍ରାୟ ହୋଇ ଖେଳରେ ନଲାଗିଲେ ବଡ଼ ସଫଳତା ହାସଲ କରିହେବ ନାହିଁ ।

publive-image

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ସିଦ୍ଧାର୍ଥ ରାଉତରାୟ ତାଙ୍କ ଜୀବନରେ କ୍ରୀଡ଼ା ସହ ସାମିଲ ହୋଇ ରହିଥିବାରୁ କିପରି ପାଦେପାଦେ ସଫଳତା ପାଇଛନ୍ତି, ତାହା ବିସ୍ତୃତ ଭାବେ ବତାଇବା ସହ ଏଭରେଷ୍ଟ ଆରୋହଣର ସ୍ମୃତି ବାଣ୍ଟିଥିଲେ ସମସ୍ତଙ୍କ ସହ । ସମାଜର ମହିଳାମାନଙ୍କୁ ଖେଳ ମାଧ୍ୟମରେ ସଶକ୍ତ ହୋଇ ନିର୍ଭୟର ସହ ଚଳିବାର ସେ ଦେଇଥିଲେ ଆହ୍ୱାନ । ସମ୍ବିତ୍‌ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓସ୍‌ଜାର ଏକ ବିଶେଷ ସ୍ମରଣିକାର ପ୍ରଚ୍ଛଦ ଉନ୍ମୋଚନ କରାଯାଇଥିଲା ।

ମୁଖ୍ୟ ସମାରୋହ ପୂର୍ବରୁ ଖେଳାଳିମାନଙ୍କ ଜୀବନରେ ଆଘାତ ଜନିତ ସମସ୍ୟାର ଉପଚାର କିପରି ତୁରନ୍ତ କରାଯିବା ଦରକାର, ସେ ବାବଦରେ ଏକ ବିଶେଷ କର୍ମଶାଳା ଆୟୋଜିତ ହୋଇଥିଲା । ଦେଶର ଜଣେ ପ୍ରମୁଖ ଫିଜିଓ ତଥା ହକି ଓ ଫୁଟବଲ ଦଳ ସହ ଅନେକ ଦିନ ଜଡ଼ିତ ଥିବା ଡା. ମୁକ୍ତି ପ୍ରସାଦ ଦାଶ ଏହି କର୍ମଶାଳା ପରିଚାଳନା କରିଥିଲା ବେଳେ ଏଥିରେ ଅନେକ ଯୁବା ଖେଳାଳିଙ୍କ ସହ ରାଜଧାନୀର ବହୁ ପ୍ରମୁଖ ସ୍କୁଲର କ୍ରୀଡ଼ା ଶିକ୍ଷକମାନେ ଯୋଗ ଦେଇଥିଲେ । ଏହି କର୍ମଶାଳା ଏକ ନିଆରା ଥିଲା ବୋଲି କହି ସମସ୍ତେ ପ୍ରଶଂସା କରିଥିଲେ ।

publive-image

ଉତ୍କଳ କରାଟେ ସ୍କୁଲର ଅଧ୍ୟକ୍ଷ ତଥା ବିଶିଷ୍ଟ କ୍ରୀଡ଼ା ଗୁରୁ ହରିପ୍ରସାଦ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ମାନିତ ମଧ୍ୟ କରାଯାଇଥିଲା । ବହୁ ଖେଳାଳି ଓ ମିଡିଆ କର୍ମୀଙ୍କ ସହ ଓସ୍‌ଜା ପରିବାରର ସୁରେଶ ସ୍ୱାଇଁ, ସଞ୍ଜୀବ ବିଶ୍ୱାଳ, ଦେବାଶିଷ ସୁନ୍ଦରାୟ, ତପନ ସ୍ୱାଇଁ, ରଜନୀକାନ୍ତ ଶତ୍ରୁସଲ୍ୟ, ସମୀକ୍ଷା ପଟନାୟକ, ତନ୍ମୟ ଦାସ, ଦେବୀପ୍ରସନ୍ନ ପାଣିଗ୍ରାହୀ, କୁମାର ବିମଲ, ବେଣୁଧର ଦାସ, କୁମାର ଶ୍ରୀ, ସୌଭାଗ୍ୟ ରଥ, ସୁକେଶ ରଞ୍ଜନ ବେହେରା, ଦିପ୍ତୀରଞ୍ଜନ ସାମଲ, ମହେନ୍ଦ୍ର ସାହୁ, ରଞ୍ଜନ ରାୟ, ବିଜୟ ରଣା, ମନମୋହନ ସ୍ୱାଇଁ, ସନ୍ତୋଷ ମହାନ୍ତି, ଶକ୍ତିପ୍ରକାଶ ନନ୍ଦ, ପ୍ରଫୁଲ୍ଲ ସାହୁ, ନିରଞ୍ଜନ ରେଡ୍ଡୀ, ସର୍ବେଶ୍ୱର ମହାନ୍ତି, ଏବଂ ଜଗଦୀଶ ଦାସ ପ୍ରମୁଖ ଏହି ବିଶେଷ ଉତ୍ସବରେ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe