୨୬ରୁ ସରକାରୀ ବସ୍‌ ବନ୍ଦ!

Advertisment

ଓଏସ୍‌ଆର୍‌ଟିସି କର୍ମଚାରୀ ସଂଘର ଚେତାବନୀ

ଓଏସ୍‌ଆର୍‌ଟିସି କର୍ମଚାରୀ ସଂଘର ଚେତାବନୀ

୨୬ରୁ ସରକାରୀ ବସ୍‌ ବନ୍ଦ!

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସରକାରୀ ହାରରେ ନିଗମ କର୍ମଚାରୀଙ୍କୁ ଦରମା ପ୍ରଦାନ, ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିସନ ଅନୁଯାୟୀ ବକେୟା ଦରମା ପ୍ରଦାନ ଆଦି ଦାବି ନେଇ ଓଏସ୍‌ଆରଟିସି କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୬ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ବିଭାଗର ସମସ୍ତ ବସ୍‌ ଚଳାଚଳକୁ ବନ୍ଦ କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି।

କର୍ମଚାରୀ ସଂଗ୍ରାମ ସମିତି କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନଳିନୀ ରଞ୍ଜନ ପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦେଶନୁଯାୟୀ ସମାନ କାମକୁ ସମାନ ଦରମା କିମ୍ବା ଛଅ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ନିୟମିତ କରିବା, କୌଣସି ବି ନିୟମକୁ ନିଗମ କର୍ତୃପକ୍ଷ ପାଳନ କରୁନାହାନ୍ତି।

publive-image

ପରିବହନ ପରି ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ପ୍ରତି ସରକାର ସଂପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ବାରମ୍ବାର ବିକ୍ଷୋଭ, ଧାରଣା, ଆଲୋଚନା ପରେ ମଧ୍ୟ ସରକାରଙ୍କୁ କୌଣସି ଫରକ ପଡ଼ୁନାହିଁ।

କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ମହାରଣା କହିଥିଲେ, ୨୦୦୨-୦୩ ଆର୍ଥିକ ବର୍ଷ ଠାରୁ ନିଗମ ଅଧିକ ଲାଭ କରୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ନିଗମ କର୍ତ୍ତୃପକ୍ଷ ଠିକା କର୍ମଚାରୀଙ୍କୁ ପ୍ରତି ମାସରେ ପୁରା ମଜୁରି ଦେଉନାହାନ୍ତି। ନିଗମରେ ୨୪୦୮ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ୧୬୪୪ ଜଣ କର୍ମଚାରୀ ଅଛନ୍ତି। ଯେଉଁଥିପାଇଁ ଆମ ଉପରେ ଅଧିକ କାର୍ଯ୍ୟଭାର ପଡ଼ୁଛି। ଏତେସବୁ ସତ୍ତ୍ୱେ ମଧ୍ୟ ସରକାର ଅମାର ମୌଳିକ ଦାବି ପ୍ରତି ଧ୍ୟାନ ଦେଉନାହାନ୍ତି।

ବାରମ୍ବାର ନିଗମ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସେମାନଙ୍କ ଠାରୁ ଆମକୁ କେବଳ ପ୍ରତିଶ୍ରୁତି ମିଳିଥିବା ନିଗମ କର୍ମଚାରୀ ସଂଘ କହିଛି। ବାଧ୍ୟ ହୋଇ ଆମେ କାର୍ଯ୍ୟ ବନ୍ଦ ପରି ଚରମ ପଦକ୍ଷେପ ନେଇଥିବା ସଂଘ କହିଛି। ଏଥିନେଇ ଯେଉଁ କ୍ଷତି ଘଟିବ ସେଥିପାଇଁ ନିଗମ କର୍ତୃପକ୍ଷ ଦାୟୀ ରହିବେ ବୋଲି ସଂଘ କହିଛି। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ଭଞ୍ଜ, ପ୍ରଶାନ୍ତ କୁମାର ରାଉତ ପ୍ରମୁଖ କର୍ମକର୍ତା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe