ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦେବାକୁ ଓଷ୍ଟାର ଦାବି : ମୃତ ଶିକ୍ଷକଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଆଯାଉ

Advertisment
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ଓଷ୍ଟାର ଆଶଙ୍କା‌

www.ossta.in

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କେନ୍ଦ୍ର ଦାୟିତ୍ୱରେ ନିଯୁକ୍ତ ହୋଇଥିବା ଗଞ୍ଜାମର ଦୁଇଜଣ ଶିକ୍ଷକ କରୋନା କେନ୍ଦ୍ରରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାର ଏହି ଶିକ୍ଷକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବା ସହ ସମଗ୍ର ରାଜ୍ୟରେ କରୋନା କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ ବୋଲି ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଦାବି କରିଛନ୍ତି।

‌ଶ୍ରୀ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ‌ଯେ କରୋନା ଦାୟିତ୍ୱରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ମାର୍ଚ୍ଚ ମାସରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଛି। ତେବେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି। ଏଭଳି ସମୟରେ ଗତ ୪ ତାରିଖରେ କରୋନା ଦାୟିତ୍ୱରେ ରହି କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ଶିକ୍ଷକ ସୀମାଞ୍ଚଳ ଶତପଥୀ ଓ ଆସ୍କା ବ୍ଲକର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢ଼ୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। କରୋନା ସମ୍ପର୍କରେ ଶିକ୍ଷକମାନେ ଅନଭିଜ୍ଞ। ସେମାନଙ୍କୁ କୌଣସି ଟ୍ରେନିଂ ଦିଆଯାଇ ନାହିଁ। ତଥାପି ନିଜ ଜୀବନକୁ ପାଣି ଛଡ଼ାଇ ପ୍ରବାସୀଙ୍କୁ ବସ୍‌ ଓ ଟ୍ରେନ୍‌ରୁ ନେଇ ସଙ୍ଗରୋଧ କେନ୍ଦ୍ରରେ ଛାଡ଼ିବା, ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ନେବା, ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟଗତ ସର୍ଭେ କରିବା, ପାଠ୍ୟପୁସ୍ତକ, ମଧ୍ୟାହ୍ନଭୋଜନ, ନାପକିନ୍ ବଣ୍ଟନ, ନାମଲେଖା ଆଦି କାର୍ଯ୍ୟ କରୁଛନ୍ତି। ତା’ପରେ ବି ସେମାନଙ୍କୁ ବୀମାଭୁକ୍ତ କରା ନଯିବା ଓ କରୋନାଯୋଦ୍ଧା ଭାବେ ଘୋଷଣା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ରାଜ୍ୟ ସରକାର ଶିକ୍ଷକଙ୍କୁ ତୁରନ୍ତ ନ୍ୟାୟ ଦିଅନ୍ତୁ। ନ ହେଲେ ଆଗାମୀ ଦିନରେ ଭୟଙ୍କର ଶିକ୍ଷକ ଆନ୍ଦୋଳନ ଗଢ଼ି ଉଠିବ। ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ସହ କରୋନା ଦାୟିତ୍ୱରେ କାର୍ଯ୍ୟ କରି ଆସିଥିବା ଓ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ। ଶିକ୍ଷକଙ୍କୁ ଉପଯୁକ୍ତ ତାଲିମ ସହ କରୋନା ପ୍ରତିରୋଧ ପୋଷାକ(କିଟ୍‌) ଯୋଗାଇ ଦିଆଯାଉ। ଯଦି ରାଜ୍ୟ ସରକାର ଓଷ୍ଟାର ଦାବିକୁ ଗ୍ରହଣ ନ କରନ୍ତି, ତେବେ ବାଧ୍ୟ ହୋଇ କରୋନା ଦାୟିତ୍ୱରୁ ସମସ୍ତ ଶିକ୍ଷକ ଓହରି ଯିବେ ବୋଲି ସଙ୍ଗଠନ ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ଅଧିକାରୀ ରାଧାକାନ୍ତ ଦାଶ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe