ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍: ପରୀକ୍ଷାର୍ଥିନୀଙ୍କ ନିକଟରୁ ଫୋନ୍‌ ଜବତ, ବଦଳିଲେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍‌

Advertisment
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍: ପରୀକ୍ଷାର୍ଥିନୀଙ୍କ ନିକଟରୁ ଫୋନ୍‌ ଜବତ, ବଦଳିଲେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍‌

ଦେବଗଡ଼: ସାରା ରାଜ୍ୟରେ ଶୁକ୍ରବାର ଓଟିଇଟି ପରୀକ୍ଷା ଚାଲିଥିଲା। ଦେବଗଡ଼ ଜିଲ୍ଲର ୫ଟି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ତେବେ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି କରାଯିବା ସହିତ ତାଙ୍କ ନିକଟରୁ ମୋବାଇଲ ମଧ୍ୟ ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮ଟାରେ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଆରମ୍ଭ ହୋଇଥିଲା। ଘଣ୍ଟାଏ ନପୂରୁଣୁ ପ୍ରଶ୍ନପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିବା ଜଣାପଡ଼ିଥିଲା।

ଅନ୍ୟପକ୍ଷରେ ସାଢ଼େ ୮ଟା ସମୟରେ ଉକ୍ତ ପରୀକ୍ଷାକେନ୍ଦ୍ରରେ ପର୍ଯ୍ୟବେକ୍ଷକ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍‌ ରାଉଣ୍ଡ ଚେକିଂ କରିବା ସମୟରେ ଜଣେ ପରୀକ୍ଷାର୍ଥିନୀଙ୍କ ନିକଟରୁ ପ୍ରଶ୍ନପତ୍ରର ଚିତ୍ର ଉତ୍ତୋଳନ ହୋଇଥିବା ଏକ ମୋବାଇଲ ଫୋନ୍‌ ବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରା ଜବତ କରାଯାଇଥିଲା। ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେଇବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ସୂଚନା ଦେଇଛନ୍ତି।

ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଜବତ ହୋଇଥିବା ମୋବାଇଲକୁ ବୋର୍ଡ କର୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିବା ବେଳେ ଉକ୍ତ ମୋବାଇଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ନା ନାହିଁ ସେ ନେଇ ଅନୁଧ୍ୟାନ ପରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ଉକ୍ତ ଘଟଣା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍‌ ଦାୟିତ୍ବରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ପୃଷ୍ଟିଙ୍କୁ ଦାୟି୍ତ୍ବରୁ ପରିବର୍ତ୍ତନ କରାଯାଇ ସୁଗୁଡା ହାଇସ୍କୁଲର ପ୍ରଧାନଶିକ୍ଷକ ରାମେଶ୍ବର ନାୟକଙ୍କୁ କେନ୍ଦ୍ରର ନୂତନ ସୁପରିଟେଣ୍ଡେଣ୍ଟ୍‌ ଦାୟିତ୍ବ ଦିଆଯାଇଛି।

ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାର ୫ଟି କେନ୍ଦ୍ରରେ ମୋଟ ୧୧୦୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩୬ଜଣ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେଇଥିବା ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ। ପ୍ରଶ୍ନପତ୍ର ଭାଇରାଲ ଘଟଣା ଜଣାପଡ଼ିବା ପରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳାଫଳକୁ ନେଇ ଆଶଙ୍କାରେ ଥିବାବେଳେ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ କିଭଳି ଆସିଲା, ସେ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe