ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ: ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର ଆସିଲା କିପରି?

Advertisment

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ଗଣଶିକ୍ଷା ବିଭାଗର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ମାଧ୍ୟମିକ ଶିକ୍ଷା ପରିଷଦ ପରି ରାଜ୍ୟର ନାମକରା ସଂସ୍ଥା ଓଟିଇଟି ପରୀକ୍ଷା ପରିଚାଳନା କରୁଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଛି।

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ଗଣଶିକ୍ଷା ବିଭାଗର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ମାଧ୍ୟମିକ ଶିକ୍ଷା ପରିଷଦ ପରି ରାଜ୍ୟର ନାମକରା ସଂସ୍ଥା ଓଟିଇଟି ପରୀକ୍ଷା ପରିଚାଳନା କରୁଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଛି।

otet 4

ଭୁବନେଶ୍ବର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ଗଣଶିକ୍ଷା ବିଭାଗର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ମାଧ୍ୟମିକ ଶିକ୍ଷା ପରିଷଦ ପରି ରାଜ୍ୟର ନାମକରା ସଂସ୍ଥା ଓଟିଇଟି ପରୀକ୍ଷା ପରିଚାଳନା କରୁଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ତାହା ପୁଣି ପରିଷଦ ଉପସଭାପତିଙ୍କ ଲାପ୍‌ଟପ୍‌ରୁ। ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁହଁ ଖୋ‌ଲିଛନ୍ତି।

କଠୋର କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ ହେବ ନାହିଁ ବୋଲି ସେଥିରେ କ୍ୟୁଆର୍‌ କୋଡ୍‌, ୱାଟରମାର୍କ ରହିଥିଲା। ତା’ପରେ ବି କିଛି ଲୋକ ଏଭଳି ଦୁଃସାହସ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ୬ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସେ ଶିକ୍ଷକ ହୁଅନ୍ତୁ ବା ଯେତେ ବଡ଼ ଲୋକ, ଏଥିରେ ଯିଏ ବି ସମ୍ପୃକ୍ତ ଥିବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗାମୀ ଦିନରେ କିଭଳି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ସେ ସଂପର୍କରେ ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରିବୁ। ସ୍ୱଚ୍ଛତାର ସହ ପରୀକ୍ଷା ଦେଉଥିବା ଶିକ୍ଷକଙ୍କ ପ୍ରତି ଅନ୍ୟାୟ ହୋଇଛି। ୨୦୧୧ ପୂର୍ବରୁ ଯେଉଁମାନେ ଶିକ୍ଷକ ହୋଇଛନ୍ତି, ସେମାନଙ୍କ ପାଇଁ ଓଟିଇଟିର ଆବଶ୍ୟକ ନଥିବା ବିଜ୍ଞପ୍ତି ବାହାରିଥିଲା। ହେଲେ ଏନ୍‌ସିଟିଇ ନିୟମ କରିବା ପରେ ସ୍ବତନ୍ତ୍ର ଓଟିଇଟି କରାଯାଉଛି। ଓଟିଇଟି ନଥିବାରୁ ଶିକ୍ଷକଙ୍କ ପଦୋନ୍ନତିରେ ଅସୁବିଧା ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ବୋର୍ଡର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର କହିଛନ୍ତି ଯେ ଲାପ୍‌ଟପ୍‌ରେ ପ୍ରଶ୍ନପତ୍ର ରହିବା କଥା ପ୍ରଥମ ଥର ଶୁଣୁଛି। ଏତେ ବଡ଼ ଗୋପନୀୟ ଜିନିଷ କିଭଳି ଲାପ୍‌ଟପ୍‌କୁ ଆସିଲା। ଡାଟା ‌ଏଣ୍ଟ୍ରି ଅପରେଟର ଏହି ଲାପ୍‌ଟପ୍‌କୁ ବ୍ୟବହାର କରିବାକୁ କିଭଳି ସୁଯୋଗ ପାଇଲେ। ପରୀକ୍ଷା ପରିଚାଳନାରେ ସାବଧାନତା ଅବଲମ୍ବନ କରାଯାଇ ନାହିଁ। ବିଶ୍ବସ୍ତ ଲୋକ ହିଁ ବୋର୍ଡର ବିଶ୍ବାସରେ ବିଷ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ସବୁବେଳେ ମେଧାବୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳୁଛନ୍ତି। କୌଣସି ଗୋଟିଏ ବି ପରୀକ୍ଷା ସ୍ବଚ୍ଛତାର ସହ ହୋଇ ପାରୁନାହିଁ। କେତେବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଯାଉଛି ତ କେବେ ତ୍ରୁଟି ପରିଲକ୍ଷିତ ହେଉଛି। ଲକ୍ଷାଧିକ ପ୍ରାର୍ଥୀଙ୍କ ଭବିଷ୍ୟତ ବାଜିରେ ଲାଗୁଥିବା ବେଳେ ଜଣେ ଦୁଇ ଜଣ  ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ଓଟିଇଟିରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲା। ଉପସଭାପତି କାହିଁକି ବାଦ୍‌ ପଡ଼ିଲେ। ସେ ନିଜ ଲାପ୍‌ଟପ୍‌ରେ ପ୍ରଶ୍ନପତ୍ର ରଖୁଥିଲେ କାହିଁକି? ତାଙ୍କୁ କାହିଁକି ଉତ୍ତରଦାୟୀ କରାଯିବ ନାହିଁ? କାର୍ଯ୍ୟାନୁଷ୍ଠାନ ହେବନି କାହିଁକି? ଏଭଳି ବ୍ୟବସ୍ଥା ଚାଲିଲେ ବିଭିନ୍ନ ପରୀକ୍ଷା ଉପରୁ ପିଲାମାନେ ଭରସା ହରାଇବେ।

ଉପସଭାପତିଙ୍କୁ ମାରାଥନ୍ ଜେରା, ଆଉ ୩ ଜଣଙ୍କୁ ଉଠାଇଲା କ୍ରାଇମ୍‌ବ୍ରାଞ୍ଚ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଚଳିତ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଚାଲିଥିବା ନିୟମ ବହିର୍ଭୂତ କାର୍ଯ୍ୟ ସାମନାକୁ ଆସିଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ବୋର୍ଡ ଉପସଭାପତି କିଭଳି କାର୍ଯ୍ୟ କରୁଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍‌ଟପ୍‌କୁ ଏଫ୍‌ଟିପି (ଫାଇଲ୍ ଟ୍ରାନ୍‌ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍‌ରେ ପ୍ରଶ୍ନପତ୍ର ଆସିଥିଲା। ଏଭଳି ସାଂଘାତିକ କାର୍ଯ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ସାମନାକୁ ଆସିଛି। କିନ୍ତୁ ବୋର୍ଡରେ ବହୁଦିନରୁ ଚାଲି ଆସିଥିବା ଏଭଳି ଅନିୟମିତତାକୁ ଉଚ୍ଚ କର୍ତ୍ତୃପକ୍ଷ ଚୁପଚାପ୍‌ ସହିବା ଘଟଣା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।

ବୋର୍ଡର ରେଗୁଲେସନ୍‌ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ। କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍‌ଟପ୍‌କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା। କିନ୍ତୁ ବୋର୍ଡର ଡିଏଲ୍‌ଆର୍‌ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି। 

ନିୟମ ଅନୁସାରେ, ମୁଦ୍ରଣ ସଂସ୍ଥା ପ୍ରଶ୍ନପତ୍ରର ସଫ୍ଟକପି ‌କୌଣସି ପରିସ୍ଥିତିରେ ପରୀକ୍ଷା ପୂର୍ବରୁ ବୋର୍ଡକୁ ପଠାନ୍ତି ନାହିଁ। ପରୀକ୍ଷା ପରେ ସମ୍ପାଦକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶ୍ନପତ୍ରର ସଫ୍ଟ କପି ଆସିଲେ, ତାହା ବୋର୍ଡ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇ ରୁହେ। ପୁଣି ନିର୍ଦ୍ଧାରିତ ଫର୍ମାଟ୍‌ରେ ପ୍ରସ୍ତୁତ ହାତଲେଖା ପ୍ରଶ୍ନପତ୍ର ମୁଦ୍ରଣ ସଂସ୍ଥାକୁ ଗୋପନୀୟ ଭାବେ ପଠାଯାଇଥାଏ। ମୁଦ୍ରଣ ସଂସ୍ଥା ତିନିଥର ପ୍ରୁଫ୍‌ ସଂଶୋଧନ ପାଇଁ ହାର୍ଡ କପିକୁ ସମ୍ପାଦକଙ୍କ ପାଖକୁ ପଠାଇଥାଆନ୍ତି। କିନ୍ତୁ ମୁଦ୍ରଣ ସଂସ୍ଥା ପ୍ରଶ୍ନପତ୍ରର ସଫ୍ଟ କପିକୁ ଏଫ୍‌ଟିପି (ଫାଇଲ୍ ଟ୍ରାନ୍‌ସଫର୍ ପ୍ରୋଟକଲ୍)ରେ ପଠାଇଥାଏ। ଉଭୟ ପ୍ରେରକ ଓ ପ୍ରାପକ ୟୁଜର୍‌ ନେମ୍ ଏବଂ ପାସ୍‌ଵାର୍ଡ ଜାଣିଥିଲେ ହିଁ ଏଫ୍‌ଟିପିରେ ଆସିଥିବା ଫାଇଲ୍ ଖୋଲିପାରିବ। ଏସ୍‌ଓପିରେ ଏ ପ୍ରକାର ବ୍ୟବସ୍ଥା ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଶ୍ରୀ ମହାନ୍ତିଙ୍କ ନିକଟକୁ ମୁଦ୍ରଣ ସଂସ୍ଥା କିନ୍ତୁ ଇ-ମେଲ୍‌ରେ ପ୍ରଶ୍ନପତ୍ର ପଠାଇଥିଲା। 

କେଉଁ ପରିସ୍ଥିତିରେ ଓ କାହା ନି‌ର୍ଦ୍ଦେଶରେ ସଫ୍ଟକପି ବୋର୍ଡ ଉପସଭାପତିଙ୍କ ପାଖକୁ ଆସିଲା, ତାହା ତଦନ୍ତ ସାପେକ୍ଷ। ପୁଣି ପ୍ରଶ୍ନପତ୍ର ତିଆରି ପାଇଁ ବୋର୍ଡ ପ୍ୟାନେଲ୍‌ରେ ଥିବା ପ୍ରଶ୍ନକର୍ତ୍ତା ତାଲିକାରୁ ପ୍ରଶ୍ନକର୍ତ୍ତାଙ୍କୁ ଚୟନ କରାଯାଏ। କିନ୍ତୁ ସଂପ୍ରତି ଉପସଭାପତିଙ୍କ ଝିଆରୀ ଓ ଏକାଡେମିକ୍‌ ଅଫିସରଙ୍କ ପତ୍ନୀଙ୍କୁ ଉକ୍ତ ପ୍ରଶ୍ନକର୍ତ୍ତା ତାଲିକାରେ ରଖାଯାଇଛି। ଏହା ସଂପୂର୍ଣ୍ଣ ନିୟମ ବହିର୍ଭୂତ। ବୋର୍ଡ ନିୟମ ଅନୁସାରେ ଉପସଭାପତି କେବଳ ଶୈକ୍ଷିକ ଦାୟିତ୍ୱରେ ରହିବା କଥା। କିନ୍ତୁ ତାଙ୍କୁ ପରୀକ୍ଷା ବ୍ୟବସ୍ଥା କ’ଣ ପାଇଁ ଦିଆଯାଇଛି, ତାହାକୁ ନେଇ ସ‌ନ୍ଦେହ ବଢୁଛି। ଇତିମଧ୍ୟରେ ଜିତନ ମହାରଣା ସମେତ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ବୋର୍ଡ ଉପସଭାପତି ଶ୍ରୀ ମହାନ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିସାରିଲାଣି। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାରେ ଆଜି ପୁଣି ତିନି ଜଣଙ୍କୁ ଉଠାଇ ଆଣିଛି। କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ, କୋରାପୁଟ ଜିଲ୍ଲାର ଜଣେ ଶିକ୍ଷକ ଏବଂ କଳାହାଣ୍ଡିର ଆଉ ଜଣେ ଶିକ୍ଷକଙ୍କୁ ଉଠାଇଛି। ଏହି ଜେରକ୍ସ ଦୋକାନରେ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିବା ବେଳେ ଅନ୍ୟ ଦୁଇ ଶିକ୍ଷକ ପ୍ରଶ୍ନପତ୍ର କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe