ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମହିଳା କମିସନରେ ହାଜର ହେଲେ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି । ନିଜ ଓକିଲଙ୍କ ସହିତ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ମହିଳା କମିସନରେ ହାଜର ହୋଇଛନ୍ତି । ମହିଳା କମିସନଙ୍କ ପକ୍ଷରୁ ମାମଲା ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ଗତକାଲି ସେ କାଗଜପତ୍ର ଦାଖଲ କରିପାରି ନଥିଲେ । ଆଜି ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ହାଜର ହୋଇ ଏହାକୁ ଦାଖଲ କରିଛନ୍ତି । ସେପଟେ ମହିଳା କମିଶନ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ମଗା ଯାଇଥିବା କାଗଜପତ୍ର ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ଦାଖଲ କରିଥିବା ସେ କହିଛନ୍ତି । ଗଠନ ହୋଇଥିବା କମିଟି ଏହି କାଗଜପତ୍ରର ଯାଂଚ କରିବ।
ଯାଂଚ ପରେ ପରବର୍ତ୍ତୀ ଶୁଣାଣି ତାରିଖ ଘୋଷଣା ହେବ । ମାମଲା ଯଥା ଶୀଘ୍ର ସାରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମହିଳା କମିସନ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି ଆଇନ ଆଖିରେ ସମସ୍ତେ ସମାନ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଲକ୍ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଚିଫ୍ ଫାଇନାନ୍ସ ଅଧିକାରୀଙ୍କୁ ଗତକାଲି ମହିଳା ଥାନାରେ ଜେରା କରାଯାଇଥିଲା । ସନ୍ଧ୍ୟାରେ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରା ଯାଇଥିଲା ।
ଏହା ପୂର୍ବରୁ ଓଟିଭି ଏଚ୍ଆର ମୁଖ୍ୟ, ଇନପୁଟ୍ ଏବଂ ଆଉଟପୁଟ ମୁଖ୍ୟଙ୍କୁ ପୁଲିସ ଜେରା କରି ସାରିଛି। ସୂଚନାଯୋଗ୍ୟ, ଲକ୍ଡାଉନରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାକୁ ମାସେ ବିତି ଯାଇଥିଲେ ମଧ୍ୟ ପୁଲିସର ତଦନ୍ତ ଶେଷ ହୋଇନାହିଁ।
Follow Us