କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ସଲ୍ଟ ଟେଷ୍ଟିଂ ଲ୍ୟାବ୍
ଭୁବନେଶ୍ବର: ରାଜ୍ୟରେ ଆୟୋଡିନ୍ ଅଭାବ ଜନିତ ରୋଗର ନିରାକରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟର ୧୭ଟି ଜିଲ୍ଲା ଆୟୋଡିନ୍ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଥିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ନ୍ୟୁଟ୍ରିସନ୍ ଇଣ୍ଟରନାସନାଲ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ରାଜ୍ୟରେ ଆୟୋଡିନଯୁକ୍ତ ଲୁଣର ବ୍ୟବହାର ନେଇ ସଚେତନତା ଓ ଦକ୍ଷତା ବିକାଶ ଦିଗରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
ରାଜ୍ୟର ୧୭ଟି ଜିଲ୍ଲାରେ ଜାତୀୟ ଆୟୋଡିନ୍ ଅଭାବ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍ଆଇଡିଡିସିପି) କାର୍ଯ୍ୟ କରୁଛି। ଏଥିରେ ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ଜିଲ୍ଲା ସାମିଲ ରହିଛି। ଏମ୍ଓୟୁ ଫଳରେ ନ୍ୟୁଟ୍ରିସନ୍ ଇଣ୍ଟରନାସନାଲ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଏକ ସଲ୍ଟ ଟେଷ୍ଟିଂ ଓ ୟୁରିନ୍ ଆୟୋଡିନ୍ ଏଷ୍ଟିମେସନ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ରିଏଜେଣ୍ଟକୁ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯିବ। ନିକଟରେ ଏକ ଜାତୀୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟର ୪ଜଣ ଏଲ୍ଟି(ଲାବୋରେଟାର ଟେକ୍ନିସିଆନ୍) ଯୋଗ ଦେଇଥିଲେ।
Follow Us