ଓୟୁଟିଆର୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ: ‘କୃତ୍ରିମ ମେଧାର ସକାରାତ୍ମକ ପ୍ରୟୋଗ କର’

Advertisment

୨ଜଣଙ୍କୁ ସ୍ବର୍ଣ୍ଣ, ୬୪ଜଣଙ୍କୁ ରୌପ୍ୟ ପଦକ, ୨୦୯୨ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ସାର୍ଟିଫିକେଟ୍‌

୨ଜଣଙ୍କୁ ସ୍ବର୍ଣ୍ଣ, ୬୪ଜଣଙ୍କୁ ରୌପ୍ୟ ପଦକ, ୨୦୯୨ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ସାର୍ଟିଫିକେଟ୍‌

ଓୟୁଟିଆର୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ: ‘କୃତ୍ରିମ ମେଧାର ସକାରାତ୍ମକ ପ୍ରୟୋଗ କର’

ଭୁବନେଶ୍ୱର: ବିଶ୍ୱସ୍ତରରେ ବୈଷୟିକ କ୍ଷେତ୍ରର ଦ୍ରୁତ ବିକାଶ ହେଉଛି। ‌ସେଥି ମଧ୍ୟରୁ କୃତ୍ରିମ ମେଧା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ପ୍ରଯୁକ୍ତିବିଦ୍ୟାର ଏକ ଅଦ୍ଭୁତ ଆବିଷ୍କାର। ଏହାର ପ୍ରୟୋଗ ଏବେ ପ୍ରତି କ୍ଷେତ୍ରରେ ବ୍ୟାପକ ହେବାରେ ଲାଗିଛି। ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅନୁସାରେ ଏହା ପ୍ରାୟ ୪୦% ବୃତ୍ତି ଓ ଚାକିରିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କିଛି କ୍ଷେତ୍ରରେ ମାନବୀୟ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେବ। କୃତ୍ରିମ ମେଧାର ଉପଯୋଗ ଫଳରେ ଆର୍ଥିକ ପରିମଣ୍ଡଳରେ ବିଶେଷ ପରିବର୍ତ୍ତନ ଆସିବ। ତେଣୁ ଏହାର ସକାରାତ୍ମକ ପ୍ରୟୋଗ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଉପରେ ରାଜ୍ୟପାଳ ତଥା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) କୁଳାଧିପତି ରଘୁବର ଦାସ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସଭାପତିତ୍ବ କରି ରାଜ୍ୟପାଳ ଶ୍ରୀ ଦାସ କହିଲେ ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି ପାଲଟିଛି। ‌ଆମର ଲକ୍ଷ୍ୟ ଆତ୍ମନିର୍ଭର ଓ ବିକଶିତ ଭାରତ ନିର୍ମାଣ। ୨୦୪୭ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଆମେ ସଂକଳ୍ପବଦ୍ଧ। ବିଶ୍ୱବିଦ୍ୟାଳୟ ମଧ୍ୟ ଏଦିଗରେ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରି କାର୍ଯ୍ୟ କରିବା ଦରକାର। ଦକ୍ଷତା ଓ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଫଳରେ ଭାରତ ସ୍ୱାସ୍ଥ୍ୟ ସେବା, କୃଷି, ସୂଚନା ପ୍ରଯୁକ୍ତି, ଉତ୍ପାଦନ ପରି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇପାରିବ। ଓୟୁଟିଆର ଏଦିଗ‌ରେ କ୍ଷେତ୍ର ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଡିଆରଡିଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ସିଷ୍ଟମ୍‌(ଇସିଏସ୍‌) ମହାନିର୍ଦ୍ଦେଶକ ବିନୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଭାରତ ହେଉଛି ଯୁବ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର। ଏଠାରେ ୩୫ ବର୍ଷରୁ କମ୍ ଯୁବକଙ୍କ ସଂଖ୍ୟା ୬୬ ପ୍ରତିଶତ। ଯାହାକି ଆଜିର ସମୟରେ ବିଶ୍ବରେ ସର୍ବୋଚ୍ଚ ରହିଛି। ଆମେ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ବ୍ୟବହାର କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କହିଲେ, ତୁମ ଚାରିପାଖରେ ଯାହା କିଛି ଦେଖୁଛ ତାହାକୁ ସକରାତ୍ମକ ଭାବେ ଗ୍ରହଣ କରିବାକୁ ଚେଷ୍ଟା କର। ଓଡ଼ିଶାର ଏକ ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି। ତେଣୁ ଆମ ପରମ୍ପରା ଓ ସଂସ୍କୃତିକୁ ସାରା ବିଶ୍ୱରେ ପହଞ୍ଚାଅ। ନିଜ ମଧ୍ୟରେ ଆଗ୍ରହ ଓ ସାମର୍ଥ୍ୟ ରହିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ବୈଷୟିକ ଶିକ୍ଷାର ଅଭିବୃଦ୍ଧି ଓ ସରକାରଙ୍କ କ୍ରିୟାଶୀଳତା ସମ୍ପର୍କରେ ମତପ୍ରକାଶ କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତିଭୂଷଣ ବିଶ୍ୱାଳ ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବ ଅବସରରେ ପାରୁଲ ସାହୁ ଓ ଆଲୋକ କୁମାର ପରିଡାଙ୍କୁ ଚାନ୍‌ସେଲର ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ ଟପର୍‌ଙ୍କୁ ୬୪ଟି ରୌପ୍ୟ ପଦକ ଏବଂ ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷା ବର୍ଷରେ ୨୦୯୨ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe