କାକଟପୁରରେ ‘ଆମ ବସ୍‌ଷ୍ଟାଣ୍ଡ୍‌’ ଲୋକାର୍ପିତ: ଦେଢ଼ ଏକର ଜାଗାରେ ରହିଛି ଆନୁଷଙ୍ଗିକ ସୁବିଧା

ଖର୍ଚ୍ଚ ହୋଇଛି ସାଢ଼େ ତିନି କୋଟି

କାକଟପୁରରେ ‘ଆମ ବସ୍‌ଷ୍ଟାଣ୍ଡ୍‌’ ଲୋକାର୍ପିତ: ଦେଢ଼ ଏକର ଜାଗାରେ ରହିଛି ଆନୁଷଙ୍ଗିକ ସୁବିଧା

କାକଟପୁର: କାକଟପୁରବାସୀଙ୍କ ଦୀର୍ଘ ଦିନର ଦାବିକୁ ଆଜି ରାଜ୍ୟ ସରକାର ସାକାର କରିଛନ୍ତି। ପରିବହନ କ୍ଷେତ୍ରରେ ଉନ୍ନତମାନର ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କାକଟପୁରଠାରେ ଏହି ନୂତନ ବସ୍‌ଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଛି। ପ୍ରାୟ ସାଢ଼େ ତିନି କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ କାକଟପୁରର ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ୍‌ ସମେତ୍ ରାଜ୍ୟର ୧୩ଟି ଜିଲ୍ଲାର ଅନ୍ୟ ୨୦ଟି ନୂତନ ବସ୍‌ଷ୍ଟାଣ୍ଡ୍‌ର ଲୋକାର୍ପଣ କରିଛନ୍ତି।

ଏଥି ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୨୪ଟି ସ୍ଥାନରେ ନୂତନ ବସ୍‌ଷ୍ଟାଣ୍ଡ୍‌ର ଶିଳାନ୍ୟାସ କରିବା ସହିତ ମୋ ପରିବହନ ସେବା ଏବଂ ସୁବାହକ ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିଛନ୍ତି। କାକଟପୁରଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କୁ ଦର୍ଶନ ଓ ସର୍ବଧର୍ମ ସମନ୍ବୟର ପୀଠ ପୀରଜାହନିଆଁ ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଯାତାୟାତ ସୁବିଧା ପ୍ରଦାନରେ ଏହି ନୂତନ ବସ୍‌ଷ୍ଟାଣ୍ଡ୍‌ ସହାୟକ ହେବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟ ସଂଯୁକ୍ତା ଦୀକ୍ଷିତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଲୋକାର୍ପଣ ଉତ୍ସବରେ ସାମିଲ୍ ହୋଇଥିଲେ। ପ୍ରାୟ ଦେଢ଼ ଏକର ପରିମିତ ଜମି ଉପରେ ନିର୍ମିତ ଏହି ବସ୍‌ଷ୍ଟାଣ୍ଡ୍‌ରେ ଯାତ୍ରୀ ବିଶ୍ରାମାଗାର, ଏଲ୍‌ଇଡି ଟିଭି, ଥଣ୍ଡା ପାନୀୟ ଜଳ, ଶୌଚାଳୟ, ଡାକବାଜି ଯନ୍ତ୍ର, ମୋବାଇଲ୍ ରିଚାର୍ଜ ଓ ସିସି କ୍ୟାମେରା ଓ ବସ୍‌ କର୍ମଚାରୀମାନଙ୍କ ପାଇଁ ରାତ୍ରୀ ରହଣିର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe