Our healthcare system: ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ଏମିତି: ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍‌ପିଟାଲର ବିକଳଚିତ୍ର

ବିଭାଗରେ ଜଣେମାତ୍ର ସହକାରୀ ପ୍ରଫେସର। ସେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏହା ପରେ ଡାକ୍ତରଖାନାକୁ ଆସି ଏକ୍ସରେ କରୁଛନ୍ତି। ସେଥିରୁ ପୁଣି ସମୟ କାଢ଼ି ସପ୍ତାହକୁ ଥରେ ଏମ୍‌ଆର୍‌ଆଇ କରୁଛନ୍ତି।

medical collage sundarghar

Photograph: (Nayra Education Consultancy Service)

ସୁନ୍ଦରଗଡ଼: ବିଭାଗରେ ଜଣେମାତ୍ର ସହକାରୀ ପ୍ରଫେସର। ସେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏହା ପରେ ଡାକ୍ତରଖାନାକୁ ଆସି ଏକ୍ସରେ କରୁଛନ୍ତି। ସେଥିରୁ ପୁଣି ସମୟ କାଢ଼ି ସପ୍ତାହକୁ ଥରେ ଏମ୍‌ଆର୍‌ଆଇ କରୁଛନ୍ତି। ଏ ସମସ୍ୟା ସମ୍ପର୍କରେ ସରକାର ଓ ବିଭାଗୀୟ ସଚିବଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି ମେଡିକାଲ କଲେଜ କର୍ତ୍ତୃପକ୍ଷ। କିନ୍ତୁ ଏଯାଏଁ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ସପ୍ତାହକୁ ଥରେ ମିଳୁଥିବା ଏ ଜରୁରୀସେବା ଗୁରୁତର ରୋଗୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଏମ୍‌ଆର୍‌ଆଇ ଯନ୍ତ୍ର ଥାଇ ରୋଗୀ  ସମ୍ବଲପୁର, ବୁର୍ଲା ନଚେତ୍ ରାଉରକେଲା ଯାଇ ଖର୍ଚ୍ଚାନ୍ତ ହେବା ସହ ହଇରାଣ ହେଉଛନ୍ତି। ଏ ବିକଳଚିତ୍ର ହେଉଛି ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ଗୁରୁତ୍ବପୂର୍ଣ୍ଣ ରଞ୍ଜନରଶ୍ମି (ରେଡିଓଲୋଜି) ବିଭାଗର। କେବଳ ରଞ୍ଜନରଶ୍ମି ବିଭାଗ ନୁହେଁ, ୪୧୭.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ନାହିଁ ନାହିଁରେ ଚାଲିଛି। ୨୦ଟି ବିଭାଗରେ ଉଭୟ ବହିର୍ବିଭାଗ ଓ ଅନ୍ତର୍ବିଭାଗରେ ଚିକିତ୍ସାସେବା ପାଇଁ ଅନୁମୋଦନ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୧୦ଟି ବିଭାଗ ଖୋଲିଛି। ତା’ମଧ୍ୟ ଠିକ୍‌ ଭାବେ ଚାଲୁନି।

ଜଣେ ପ୍ରଫେସରଙ୍କ କାନ୍ଧରେ, ପାଠପଢ଼ା, ଏକ୍ସରେ, ଏମ୍‌ଆର୍‌ଆଇ ଭାର

ଏଭଳି ସ୍ଥିତିରେ ଆହୁରି ୧୦ ବିଭାଗ କେବେ ଖୋଲିବ କାହାକୁ ଜଣାନାହିଁ। ସବୁଠାରୁ ବଡ଼କଥା ହେଲା, ବଡ଼ଡାକ୍ତରଖାନାରେ ହୃଦ୍ ଓ ସ୍ନାୟୁରୋଗର ଚିକିତ୍ସା ସେବା ମିଳିବ ବୋଲି ସମସ୍ତଙ୍କର ବଡ଼ ଆଶା ଥାଏ। କିନ୍ତୁ ଅନୁମୋଦିତ ୨୦ଟି ବିଭାଗ ତାଲିକାରେ ଏ ଦୁଇ ଗୁରୁତ୍ବପୂର୍ଣ୍ଣ ବିଭାଗର ନାଁ ହିଁ ନାହିଁ। ସେହିପରି ୫ ଶହ ଶଯ୍ୟାର ବଡ଼ଡାକ୍ତରଖାନା ହୋଇଥିବା ଓ ବର୍ହି ଚିକିତ୍ସା ସହ ଅନ୍ତଃବିଭାଗ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏଯାଏଁ ଏଠାରେ ଆଇସିୟୁ ବ୍ୟବସ୍ଥା ହୋଇପାରିନାହିଁ। ବହୁ ଦାବି ପରେ ମାସେ ତଳେ ୫ଟି ଭେଣ୍ଟିଲେଟର୍‌ ଲଗାଯାଇଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଟ୍ରମାକେୟାର ୟୁନିଟ୍‌ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ଆଇସିୟୁ ବ୍ୟବସ୍ଥା ନଥିବାରୁ ଅନେକ ଗୁରୁତର ରୋଗୀଙ୍କୁ ବୁର୍ଲା, ରାଉରକେଲା ସ୍ଥାନାନ୍ତର କରାଯାଉଛି। 

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଶଙ୍କରାରେ ଦର୍ଲିପାଲି ଏନ୍‌ଟିପିସି ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ପାରିପାର୍ଶ୍ବିକ ବିକାଶପାଣ୍ଠିରୁ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ପାଇଁ ବିଶାଳ କୋଠା ନିର୍ମାଣ ‌ହୋଇଥିଲା। ୨୦୨୩ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାବେଳେ ଏଠାରେ ଡାକ୍ତରୀ ପାଠପଢ଼ା ସହ ଚିକିତ୍ସାସେବାରୁ ସୁନ୍ଦରଗଡ଼ ଜିଲ୍ଲା ତଥା ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ବାସୀ ଉପକୃତ ହେବେ ବୋଲି କହିଥିଲେ। କିନ୍ତୁ ବିଡ଼ମ୍ବନା, ଉପରେ ଚହଟଚିକଣ ଦିଶୁଥିବା ଏହି ବଡ଼ଡାକ୍ତରଖାନାର ଭିତର କେବଳ ଫମ୍ପା କହିଲେ ଭୁଲ୍ ହେବନାହିଁ। ଏ ସମ୍ପର୍କରେ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଅଧୀକ୍ଷକ ନିର୍ମଳ କୁମାର ସାହାଣୀ କହିଛନ୍ତି, ଏମ୍‌ଆର୍‌ଆଇ ସମସ୍ୟା ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଇଛି, କିନ୍ତୁ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ଜଣେ ସହକାରୀ ପ୍ରଫେସରଙ୍କ ହାତରେ ୩ଟି ଦାୟିତ୍ବ ରହିଛି। ଅନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe