ଖଣି ଚୋରାଚାଲାଣ ରୋକିବାକୁ ଆମ ପଦକ୍ଷେପ ସାରା ଦେଶରେ ଆଦର୍ଶ: ଖଣି ମନ୍ତ୍ରୀ

Advertisment
ଖଣି ଚୋରାଚାଲାଣ ରୋକିବାକୁ ଆମ ପଦକ୍ଷେପ ସାରା ଦେଶରେ ଆଦର୍ଶ: ଖଣି ମନ୍ତ୍ରୀ

twitter.com

ଭୁବନେଶ୍ବର : ବିରୋଧୀ ସଦସ୍ୟମାନେ ବେଆଇନ ଖଣି କାରବାର କଥା ଉଠାଉଛନ୍ତି। ହେଲେ ସେମାନେ ଜାଣିବା ଦରକାର ଯେ, ଖଣିଜ ସାମଗ୍ରୀର ବେଆଇନ କାରାବାର ରୋକିବାକୁ ରାଜ୍ୟ ସରକାର ଏକ ଅତ୍ୟାଧୁନିକ ଅନଲାଇନ୍ ବ୍ୟବସ୍ଥା ଯଥା ଆଇଥ୍ରିଏମ୍‌ଏସ୍‌ ପ୍ରଣୟନ କରିଛନ୍ତି। ଯାହାକି ସମଗ୍ର ଦେଶରେ ଏକ ଅଗ୍ରଣୀ ପଦକ୍ଷେପ। ଆମର ଏହି ଅନଲାଇନ୍ ବ୍ୟବସ୍ଥାକୁ ଆପଣାଇବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହାପରେ ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟର ଖଣି ଅଧିକାରୀମାନେ ଏଠାକୁ ଆସି ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ସେମାନଙ୍କ ରାଜ୍ୟରେ ପ୍ରଚଳନ କରିବାକୁ ପଦକ୍ଷେପ ନେଇଛନ୍ତି। ଏହା ଆମର ସ୍ବଚ୍ଛତାକୁ ଦର୍ଶାଉଛି ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି।

ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଓଡ଼ିଶାର ଅନଲାଇନ୍ ବ୍ୟବସ୍ଥା ଅନୁଧ୍ୟାନ କରି ତାହାକୁ ତାଙ୍କ ରାଜ୍ୟରେ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣିଜ ବ୍ୟବସାୟରେ ଉତ୍ତୋଳନ ଠାରୁ ଆରମ୍ଭ କରି ବିପଣନ ଏବଂ ଅନ୍ତିମ ବ୍ୟବହାର ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ କାର୍ଯ୍ୟକାରିଣୀ ଏହି ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ନିୟନ୍ତ୍ରଣ କରାହେଉଛି। ଫଳରେ ବେଆଇନ ଖଣି କାରବାର ରୋକାଯାଇପାରୁଛି। ଅପରପକ୍ଷେ ଆମ ରାଜ୍ୟର ଖଣି ରାଜସ୍ବ ଦେଶର ସବୁ ରାଜ୍ୟ ତୁଳନାରେ ସବୁଠୁ ଅଧିକ। ଏପରିକି ଦ୍ବିତୀୟ ଅଗ୍ରଣୀ ରାଜ୍ୟ ଯଥା ଝାଡ଼ଖଣ୍ଡର ଖଣି ରାଜସ୍ବ ଠାରୁ ଆମର ଖଣି ରାଜସ୍ବ ୩.୫ଗୁଣା ଅଧିକ। ଚଳିତବର୍ଷ ବଜେଟ୍‌ରେ ୨୯୨କୋଟି ୪୨ଲକ୍ଷ ୨୫ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। ସେଥିରୁ ଯୋଜନା ବ୍ୟୟ ବାବଦକୁ ୨୧୮କୋଟି ୬୫ଲକ୍ଷ ୫୮ହଜାର ଟଙ୍କା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe