ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

Advertisment
ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର ମିଳିଛି। ଶିକ୍ଷାକ୍ଷେତ୍ରରେ ସାମଗ୍ରିକ ଉତ୍କର୍ଷତା ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ଲିଡରସିପ୍ ଆୱାର୍ଡ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁଣାତ୍ମକ ମାନ , ନିଯୁକ୍ତି, ନେତୃତ୍ୱ, ଶିକ୍ଷା ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଆଦି ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ତରଫରୁ ଏଆଇପିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍‌ଥ ବିଭାଗର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ।

ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ ପଣ୍ଡା କହିଥିଲେ, ‘ ଆମ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଉଚ୍ଚତର ଶିକ୍ଷା ସହ ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞତା ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଥିବା ଅତ୍ୟାଧୁନିକ ତଥା ବିଏସ୍‌ଏଲ୍‌-୩ ଲାବୋରେଟୋରୀ ଦେଶରେ ସ୍ୱତନ୍ତ୍ର। ବିଶ୍ୱବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହିତ ଗବେଷଣା ଲାଗି ସୁଯୋଗ, ଉନ୍ନତ ପାଠାଗାର ଭଳି ଭିତ୍ତିଭୂମି ରହିଛି। ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରାୟ ଗୋଟିଏ ଦଶନ୍ଧି ଧରି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଯେଭଳି କାମ କରିଆସୁଛି, ଏହି ପୁରସ୍କାର ତାହାର ଏକ ସ୍ୱୀକୃତି। ’ ଏଥିପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ନିକଟରେ କୃତଜ୍ଞ ବୋଲି ଶ୍ରୀ ପଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ‘ୱାର୍ଲ୍ଡ ସିଏସ୍‌ଆର୍ ଡେ ଆଣ୍ଡ ୱାର୍ଲ୍ଡ ସଷ୍ଟେନବିଲିଟି’ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡକ୍ଟର ଆର୍‌.ଏଲ୍‌. ଭାଟିଆ ଏବଂ ସ୍ୟାଣ୍ଡିଜ୍ ଟାୱାରର ନିର୍ଦ୍ଦେଶିକା ଅର୍ଚ୍ଚନା ପାତ୍ର ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌, ଗଣମାଧ୍ୟମ ପ୍ରତିନିଧି ତଥା ସରକାରୀ ଓ ଘରୋଇ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଗବେଷଣା ପାଇଁ ଏଆଇପିଏଚ୍ ଅନୁଷ୍ଠାନ ଦୀର୍ଘ ଦୁଇଦଶନ୍ଧି ଧରି ଦେଶବିଦେଶରେ କାମ କରିଆସୁଛି। ଓଡ଼ିଶା ବିଧାନସଭାରେ ପାରିତ ଆଇନ ବଳରେ ୨୦୧୮ ମସିହାରେ ଏହା ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟର ରୂପ ନେବାସହ ଅନୁଷ୍ଠାନ ନିଜର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିପାରିଛି। ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବିଭିନ୍ନ ଜନସ୍ୱାସ୍ଥ୍ୟ ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଡକ୍ଟରାଲ ଓ ପୋଷ୍ଟ ଡକ୍ଟରାଲ ଡିଗ୍ରୀ ପ୍ରଦାନ କରୁଛି। ବିଭିନ୍ନ ପାଠ୍ୟକ୍ରମ ମଧ୍ୟରେ ରହିଛି ପବ୍ଲିକ ହେଲ୍‌ଥ, ହେଲ୍‌ଥ କେୟାର ମ୍ୟାନେଜମେଣ୍ଟ, ଅକୁପେସନାଲ ଥେରାପି, ଫିଜିକାଲ ଏଜୁକେସନ, ମେଡିକାଲ ଲ୍ୟାବ୍ ମେଡିସିନ୍‌, ଓଷ୍ଟିଓପାଥି, ଡାଏଟେଟିକ୍ସ ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍‌, କ୍ଲିନିକାଲ ସାଇକୋଲୋଜି, ଫିଜିଓଥେରାପି ଓ ମେଡିକାଲ ସୋସିଓଲୋଜି ଇତ୍ୟାଦି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ପ୍ରବାସୀ ଓଡ଼ିଆ ଡାକ୍ତର ପିନାକୀ ପାଣିଗ୍ରାହୀ ଏଆଇପିଏଚ୍‌ର ପ୍ରତିଷ୍ଠାତା ସଭାପତି ଅଛନ୍ତି। ଜନସ୍ୱାସ୍ଥ୍ୟ ଭଳି ଏକ ଆଧୁନିକ ଓ ବ୍ୟାବହାରିକ ବିଷୟରେ ଶିକ୍ଷା ଓ ଗବେଷଣା ପାଇଁ ଖ୍ୟାତିଲାଭ କରିଥିବା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଭୁବନେଶ୍ୱର ନିକଟସ୍ଥ ଫୁଲନଖରାଠାରେ ଥିବା ଇଷ୍ଟ କ୍ୟାମ୍ପସ୍‌ରେ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe