ପୁରୀରେ ଅସମ୍ଭାଳ ଭିଡ଼, କଲବଲ ହେଉଛନ୍ତି ଭକ୍ତ, ସ୍ଥାନୀୟ ବାସିନ୍ଦା

Advertisment
ପୁରୀରେ ଅସମ୍ଭାଳ ଭିଡ଼, କଲବଲ ହେଉଛନ୍ତି ଭକ୍ତ, ସ୍ଥାନୀୟ ବାସିନ୍ଦା

ପୁରୀ : ଶ୍ରୀମନ୍ଦିର ଚାରିପାର୍ଶ୍ବରେ ବେଆଇନ୍‌ ପାର୍କିଂ ସହ ‌ଉଠା ଦୋକାନୀଙ୍କ ରାସ୍ତା ଉପରେ ବେପାର ଭକ୍ତଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ଦୈନିକ ଏଥିପାଇଁ ଚାରିଦ୍ବାରରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଲୋକେ ଯା’ଆସ ବେଳେ ଭିଡ଼ ଭିତରେ ଫସି କଲବଲ ହେଉଛନ୍ତି। ଅଧିକ ଯନ୍ତ୍ରଣା ପାଉଛନ୍ତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ। ଦର୍ଶନ ବେଳେ ପରିବାର ସହ ଆସିଥିବା ଏହି ଭକ୍ତ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଘର କରି ରହୁଥିବା ସାହିବାସିନ୍ଦାମାନେ ଗାଡ଼ିମୋଟର ନେଇ ଯିବାବେଳେ ବି ଏହି ଭିଡ଼ ଭିତରେ ଫସି କଲବଲ ହେଉଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନୋ ଭେଣ୍ଡିଂ ଓ ନୋ ପାର୍କିଂ ଜୋନ୍‌ ହେବ। ବେଆଇନ୍‌ ପାର୍କିଂ କରୁଥିବା ଗାଡ଼ିମାନଙ୍କଠାରୁ ଜରିମାନା ଆଦାୟ ହେବ। ବେଆଇନ୍‌ ‌ଭାବେ ଦୋକାନ ଖୋଲିଥିବା ଉଠା ଦୋକାନୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ। ୬ ମାସ ତଳେ ଏଭଳି ଘୋଷଣା କରିଥିଲା ଜିଲ୍ଲା ପୁଲିସ। ସେହି ଅନୁସାରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ‌ବି ହେଲା। କିଛି ଗାଡ଼ିକୁ ଉଠାଇ ନିଆଗଲା, କିଛି ଲୋକଙ୍କଠାରୁ ଜରିମାନା ଆଦାୟ କରାଗଲା। ଉଠା ଦୋକାନୀଙ୍କୁ ତଡ଼ିପାର କରାଗଲା। ଉତ୍ତରଦ୍ବାରରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦେଇ ବଡ଼ଦାଣ୍ଡ ସଂଲଗ୍ନ ରାସ୍ତାକୁ ସମ୍ପୂର୍ଣ୍ଣ ଉଠାଦୋକାନୀମୁକ୍ତ ରଖାଗଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଅଟୋ ପ୍ରବେଶ ନିଷେଧ କରାଗଲା। କିନ୍ତୁ କିଛି ମାସ ଭିତରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ଦେଖିବାକୁ ମିଳିଛି। ପାଖରେ ମାଳ ମାଳ ପୁଲିସ ଜଗି ରହୁଥିଲେ ବି କେହି ଏ ଦିଗରେ ମୁହଁ ଖୋଲୁନାହାନ୍ତି କି ଭିଡ଼ ହଟାଉନାହାନ୍ତି। ଫଳରେ ଦୈନିକ ଏଠାରେ ଭିଡ଼ ଜମୁଛି। ହଜାର ହଜାର ବାଇକ୍‌ ରାସ୍ତା ଉପରେ ପାର୍କିଂ ହେଉଛି। ଖଜା ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ଠେଲା ଗାଡ଼ି ସହ ଉଠା ଦୋକାନୀମାନେ ବି ମନଇଛା ରାସ୍ତା ଉପରେ ଦୋକାନର ପସରା ଖୋଲୁଛନ୍ତି।

ସିଂହଦ୍ବାରରେ ଶ୍ରୀନଅରଠାରୁ ଦୋଳମଣ୍ଡପସାହିର ସଂକୁଚିତ ରାସ୍ତାରେ ଯା’ଆସ କରିବା କଷ୍ଟକର ଥିବାବେଳେ ଉଠା ଦୋକାନୀମାନେ ଦର୍ଶନ ସେଡ୍‌କୁ ଲାଗି ‌ବିକ୍ରିବଟା କରୁଛନ୍ତି। ସମାନ ସ୍ଥିତି ଦକ୍ଷିଣଦ୍ବାର, ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ବି ଦେଖିବାକୁ ମିଳିଛି। ଫଳରେ ପାଦଚଲା ଲୋକେ ବି ଭିଡ଼ ଭିତରେ ଫସୁଛନ୍ତି। ଦିନ ‌ଅପେକ୍ଷା ସଂଧ୍ୟା ଅବସ୍ଥା ଅସମ୍ଭାଳ ହୋଇପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe