ଅସୁସ୍ଥ ଘୋଡ଼ାକୁ ମରଣ ମୁହଁରେ ରାସ୍ତା ପାର୍ଶ୍ୱରେ ଛାଡି ଚାଲିଗଲା ମାଲିକ

Advertisment
ଅସୁସ୍ଥ ଘୋଡ଼ାକୁ ମରଣ ମୁହଁରେ ରାସ୍ତା ପାର୍ଶ୍ୱରେ ଛାଡି ଚାଲିଗଲା ମାଲିକ

ବୈଶିଙ୍ଗା: ମରଣ ମୁହଁରେ ଘୋଡାକୁ ଛାଡି ଚାଲିଗଲା ମାଲିକ । ଏଭଳି ଏକ ଅଭାବନୀୟ ଚିତ୍ର ଆସିଛି ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆସ୍ଥିତ୧୮ନଂ ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଇ ଦିନ ପୂର୍ବରୁ କେହି ଜଣେ ବ୍ୟକ୍ତି ଉକ୍ତ ଅସୁସ୍ଥ ଘୋଡାଟିକୁ ଆଣି ରାସ୍ତା ପାର୍ଶ୍ୱରେ ଛାଡି ଦେଇ ପଳେଇ ଯାଇଥିବାବେଳେ ସେମାନେ ଏହାକୁ ଏହା ଉକ୍ତ ଘୋଡ଼ାଟି କଳମା ପଞ୍ଚାୟତର କୌଣସି ଜଣେ ବ୍ୟକ୍ତିଙ୍କର ବୋଲି ଅନୁମାନ କରିଛନ୍ତି।

ସୂଚନା ମୁତାବକ କିଛି ଦିନ ପୂର୍ବରୁ ଏଇମିତି ଏକ ଘୋଡ଼ାକୁ ବିବାହ କାର୍ଯ୍ୟରେ ଲଗାଇ ତଥା ଘୋଡା ପାଦରେ ଲାଗିଥିବା ନାଲକୁ ବିକ୍ରି କରି ଭଲ ପଇସା ମଧ୍ୟ ରୋଜଗାର କରୁଥିଲା ତାର ମାଲିକ। ହେଲେ ହଠାତ କିଛି ଦିନ ପୂର୍ବରୁ ଘୋଡ଼ାଟିର ଗୋଟିଏ ପଛ ପଟ ବାମ ଗୋଡ଼ରେ ଇନଫେକ୍ସନ ଆରମ୍ଭ ହୋଇଥିଲା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ତାହା ଗୋଡ଼ ଉପରକୁ ମାଡି ଯାଇଥିଲା। ପରେ ଘା’ ଏତେ ବଡ ହୋଇଯାଇଥିଲା ଯେ ଘୋଡା ସମ୍ପୂର୍ଣ ଅସୁସ୍ଥ ହୋଇପଡିଥିଲା। ହେଲେ ବିଡମ୍ବନା ଯେଉଁ ଘୋଡାକୁ କାମରେ ଲଗାଇ ମାଲିକ ପଇସା ରୋଜଗାର କରୁଥିଲେ, ତାର ଚିକିତ୍ସା ନକରି ମରଣ ମୁହଁରେ ରାସ୍ତା ପାର୍ଶ୍ୱରେ ଛାଡିଦେଇ ଚାଲିଗଲା।

publive-image

ଘୋଡାଟି ଜାତୀୟ ରାଜପଥ କଡରେ ଦୁଇଦିନ ଧରି ଯନ୍ତ୍ରଣାରେ ଛଟପଟ ହୋଇ ଅସହାୟ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲେ ଏବଂ ବୈଶିଙ୍ଗା ସମ୍ବାଦ ପ୍ରତିନିଧିଙ୍କୁ ଜଣାଇଥିଲେ। ଆଜି ଆମ ପ୍ରତିନିଧିଙ୍କ ପ୍ରଚେଷ୍ଟାରେ ଆନିମଲ ହେଲ୍ପ ଲାଇନର ବାରିପଦା କାର୍ଯ୍ୟାଳୟର ମୁଖ୍ୟ ଭାନୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଖବର ଦିଆଯାଇଥିଲା ଓ ତାଙ୍କ ପ୍ରଚେଷ୍ଟାରେ ଆଜି ସକାଳୁ ଭେଟନାରୀ ସର୍ଜନ ସ୍ୱୟମ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଦଳ ଆସି ଗଡ଼ଦେଉଳିଆରେ ପହଞ୍ଚିଥିଲେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଘୋଡାଟିର ପ୍ରାଥମିକ ଚିକିତ୍ସା କରାଇଥିଲେ। ହେଲେ ତାଙ୍କ କହିବା କଥା ହେଲା ଚିକିତ୍ସା ଅଭାବରୁ ଘୋଡା ଗୋଡ଼ରେ ହୋଇଥିବା ଛୋଟ ଘା’ଟି ବଢ଼ି ବଢ଼ି କ୍ୟାନସରରେ ଆକ୍ରାନ୍ତ ହୋଇସାରିଛି, ଯେଉଁଥିପାଇଁ ବାରିପଦାକୁ ନେଇ ଗୋଡ଼ଟିକୁ କାଟିବାକୁ ପଡିବ। ତେବେ ଜନ୍ତୁ ହେଲେ ବି ତାର ଜୀବନ ଅଛି । ବଂଚି ରହିବା ପାଇଁ ସୁସ୍ଥ ଥିବାବେଳେ ମାଲିକ ପାଇଁ ଅନେକ କଷ୍ଟ ସହିଥିଲା। ହେଲେ ତା ଶେଷ ସମୟରେ ସ୍ୱାର୍ଥପର ମାଲିକ ମରଣ ମୁହଁରେ ଛାଡି ଚାଲିଯିବା ମଣିଷ ପଣିଆ ଉପରେ ପ୍ରଶ୍ନଚିହ୍ନ ଠିଆ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe