Image Courtesy of Zee News
ଗତବର୍ଷ ୭ପ୍ଲାଣ୍ଟ ପାଇଁ ମଞ୍ଜୁର ମିଳିଥିଲା, ଗୋଟିଏ ବି କାର୍ଯ୍ୟକ୍ଷମ ହେଲାନି
ଏବେ ତରତର ହୋଇ ୪୦ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ କୋଭିଡ୍ ପରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୭ଟି ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ନେଇ କାଳକ୍ଷେପଣ ନୀତି ଗ୍ରହଣ କଲେ ରାଜ୍ୟ ସରକାର। ଗୋଟିଏ ବି ଆରମ୍ଭ ହୋଇପାରିଲା ନାହିଁ। କୋଭିଡ୍ ସଂକ୍ରମଣ ପ୍ରଭାବ କମିବା ପରେ ସମସ୍ତେ ନିରବ ରହିଗଲେ। ଏବେ ଦ୍ବିତୀୟ ପର୍ଯ୍ୟାୟ ଲହର ସାଂଘାତିକ ଭାବେ ଓଡ଼ିଶାକୁ ପ୍ରଭାବିତ କରିବା ପରେ ବାହାଘର ବେଳେ ବାଇଗଣ ରୁଆ ନ୍ୟାୟରେ ସରକାର ପୁଣି ୪୦ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ଚିଠି ଲେଖାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପ କେନ୍ଦ୍ର ସରକାରଙ୍କୁ ବିସ୍ମିତ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜଣେ ଅଧିକାରୀ କହିଛନ୍ତି ଯେ ଗତବର୍ଷ ଓଡ଼ିଶାକୁ ଦିଆଯାଇଥିବା ୭ଟିକୁ ମିଶାଇଲେ ଓଡ଼ିଶାରେ ପାଖାପାଖି ୨୧ଟି ପ୍ଲାଣ୍ଟ ଲାଗି ରାସ୍ତା ଖୋଲିଯାଇଛି।
ଗତବର୍ଷ ପିଏମ୍ କେୟାର ପାଣ୍ଠିରୁ ରାଜ୍ୟରେ ୭ଟି ପ୍ରେସର ସ୍ବିଙ୍ଗ୍ ଆଡଜରପ୍ସନ ବା ପିଏସ୍ଏ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ଅନୁମତି ମିଳିଥିଲା। ରାଜ୍ୟ ସରକାରଙ୍କ ସହମତିରେ କେଉଁ ମେଡିକାଲରେ ଏହାକୁ ନିର୍ମାଣ କରାଯିବ, ତାହାର ତାଲିକା ପ୍ରସ୍ତୁତ ହୋଇଥିଲା। ଦେଶରେ ସମୁଦାୟ ୧୬୨ଟି ପିଏସ୍ଏ ପାଇଁ ୨୦୧ କୋଟି ମଞ୍ଜୁର ହୋଇଥିଲା ପିଏମ୍ କେୟାର ପାଣ୍ଠିରୁ। ଏହା ଭିତରେ ୪ମାସ ବିତି ଯାଇଥିବା ବେଳେ ଓଡ଼ିଶାରେ ଅନୁମୋଦନ ପାଇଥିବା ୭ଟି ଅକ୍ସିଜେନ୍ ପ୍ଲାଣ୍ଟରୁ ଗୋଟିଏ ହେଲେ ପ୍ଲାଣ୍ଟ ଛିଡ଼ା ହୋଇପାରିଲା ନାହିଁ। ପ୍ଲାଣ୍ଟ ନିର୍ମାଣ କରିବାକୁ ଥିବା ସଂସ୍ଥା ରାଜ୍ୟରେ ଜାଗା ପରିଦର୍ଶନ ମଧ୍ୟ କରିଥିଲା। ହେଲେ କ'ଣ ହେଲା କେଜାଣି ଗୋଟିଏ ହେଲେ ପ୍ଲାଣ୍ଟ ନିର୍ମାଣ ହୋଇପାରିଲା ନାହିଁ। ଦେଶବ୍ୟାପୀ କରୋନା ପ୍ରକୋପ ହ୍ରାସ ପାଇବା ପରେ ଟେଣ୍ଡର୍ ପାଇଥିବା କମ୍ପାନି ମଧ୍ୟ ପ୍ଲାଣ୍ଟ ନିର୍ମାଣ ଉପରେ ବିଶେଷ ଗୁରୁତ୍ବ ଦେଇ ନ ଥିବା କୁହାଯାଉଛି। ଫଳରେ କରୋନାର ଭୟଙ୍କର ଦ୍ବିତୀୟ ଲହର ସମୟରେ ଗୋଟିଏ ହେଲେ ମେଡିକାଲରେ ଅକ୍ସିଜେନ୍ ପ୍ଲାଣ୍ଟରୁ ଅକ୍ସିଜେନ୍ ଯୋଗାଣ ହୋଇପାରିନାହିଁ।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ୪୦ଟି ମେଡିକାଲରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରିବା ଲାଗି ଗୃହ ଓ ନଗର ବିକାଶ ମନ୍ତ୍ରଣାଳୟକୁ ଇତିମଧ୍ୟରେ ଚିଠି ଲେଖାଯାଇଛି। ଏଥିରେ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାକୁ ନଜରରେ ରଖି କେତେ କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରାଯିବ, ତାହା ଉଲ୍ଲେଖ ରହିଛି। ସରକାର କେବଳ ଯେଉଁଠି ମେଡିକାଲ ଅକ୍ସିଜେନ୍ ପାଇପ ଲାଇନ୍ ବ୍ୟବସ୍ଥା ବା ଏମ୍ଜିପିଏସ୍ ସୁବିଧା ନାହିଁ, ତାହାର ନିର୍ମାଣ କରିବେ ବୋଲି କହିଛନ୍ତି।
ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍ଏଚଏଆଇ ଜରିଆରେ ୭ଟି ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶାରେ ଭ୍ରଦକ, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଡିଆରଡିଓ କରିବ। ସେହିପରି ନବରଙ୍ଗପୁର ଓ ଖୋର୍ଧା ଏଚ୍ପିସିଏଲ, ବରଗଡ଼, ସମ୍ବଲପୁର ଓ ପୁରୀରେ ଆଇଓସିଏଲ, ନୂଆପଡ଼ା, ରାଉରକେଲାରେ ପିଏଲଏଲ ସଂସ୍ଥା ନିର୍ମାଣ କରିବେ ବୋଲି ସ୍ଥିର ହୋଇସାରିଛି। ଖୁବ୍ଶୀଘ୍ର ରାଜ୍ୟର ଦୁଇଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଆରଡିଓ ସହାୟତାରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
Follow Us