ଧାନ ବସ୍ତାରେ କେଳେଙ୍କାରୀ: ୧୦ ବର୍ଷରେ ୨୨୦୬ କୋଟି ଟଙ୍କାର ବସ୍ତା କିଣା

Advertisment
ଧାନ ବସ୍ତାରେ କେଳେଙ୍କାରୀ: ୧୦ ବର୍ଷରେ ୨୨୦୬ କୋଟି ଟଙ୍କାର ବସ୍ତା କିଣା

ବରଗଡ଼ : ଧାନ କିଣା ବ୍ୟବସ୍ଥାରେ ଚାଷୀ ‌ସବୁ କିସମରେ ‌ଶୋଷଣର ଶିକାର ହେଉଛି। କେତେବେଳେ ବର୍ଷାରେ ଧାନ ଭିଜୁଛି, ତ କେତେବେଳେ ଚାଷୀ ପାଖରେ ଧାନ ଥାଇ ଟୋକନ୍‌ର ଅବଧି ସରିଯାଉଛି। ଏସବୁ ଯନ୍ତ୍ରଣା ଭିତରେ ଧାନ ବସ୍ତା କିଣା କେଳେଙ୍କାରୀ ଚାଷୀଙ୍କୁ ଦୋହରା ଦୁଃଖ ଦେଉଛି। ଆର୍‌ଟିଆଇ ତଥ୍ୟ ଆଧାରରେ, ରାଜ୍ୟରେ ଗତ ଦଶବର୍ଷ ମଧ୍ୟରେ ଧାନ ଖରିଦ୍‌ ପାଇଁ ୨୨୦୬ କୋଟି ଟଙ୍କାର ବସ୍ତା କିଣାଯାଇଛି। କାଗଜକଲମରେ ବି ଏତିକି ଟଙ୍କାର ବସ୍ତା କିଣା ହୋଇଥିବା ଦର୍ଶାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ବସ୍ତା ଗଲା କୁଆଡ଼େ? ଚାଷୀଙ୍କ ହାତରେ ଖଣ୍ଡିଏ ବି ବସ୍ତା ନାହିଁ। ବସ୍ତା ଯୋଗାଡ଼ କରିବାକୁ ଚାଷୀ ଦହଗଂଜ ହେଉଛି। ମିଲର୍ସଙ୍କୁ ବସ୍ତା ମାଗିଲେ, ଏଥି ବାବଦକୁ ଧାନ କଟ୍‌ନି ହେଉଛି।

ଗତବର୍ଷ ରାଜ୍ୟରେ ମୋଟ୍‌ ୭୭ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏଥିରେ ଖରିଫରେ ୬୩ଲକ୍ଷ ଏବଂ ରବିରେ ୧୪ଲକ୍ଷ ଧାନ ସଂଗ୍ରହ କରାଯାଇଥିଲା। ଗାଇଡ୍‌ଲାଇନ୍‌ ଅନୁସାରେ, ବସ୍ତା ବାବଦକୁ ଟଙ୍କା କେନ୍ଦ୍ର ସରକାର ଦେଉଛି ଏବଂ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହାକୁ ଚାଷୀଙ୍କ ପାଖରେ ପହଂଚାଉଛନ୍ତି। କିନ୍ତୁ ଦଶବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ସରକାର ବସ୍ତା ବାବଦକୁ ଟଙ୍କାଟିଏ ଦେଇନାହିଁ। କେନ୍ଦ୍ର ସରକାରର ବିଜ୍ଞପ୍ତି ଅନୁସାରେ ଦେଶର ଅନୁବନ୍ଧିତ ୬ଟି କାରଖାନାରୁ ବସ୍ତା ମିଳିବ ବୋଲି କୁହାଯାଉଛି। କାଗଜପତ୍ରରେ ଆବଶ୍ୟକତା ଅନୁସାରେ ବସ୍ତା କିଣା ସାରିଥିବା ଉଲ୍ଲେଖ ରହିଛି। ହେଲେ ପ୍ରଶ୍ନ ଉଠୁଛି, ବସ୍ତା ଗଲା କୁଆଡ଼େ?  ଗତବର୍ଷ କିଛି ମିଲର୍ସଙ୍କୁ ବସ୍ତା ପିଛା ୨୦ ଟଙ୍କା ଦିଆଯାଇଥିବା ଯୋଗାଣ ବିଭାଗ ସଫେଇ  ଦେଉଛି। କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ମିଲର୍ସ ଚାଷୀକୁ ବସ୍ତା ଦେଲେ, ଚାଷୀଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ଏହାବାଦ୍‌ କ୍ବିଣ୍ଟାଲ ପିଛା ୩/୪ କିଲୋ ବି କଟ୍‌ନି କରୁଛନ୍ତି।

publive-image

ବରଗଡ଼ ଜିଲ୍ଲାକୁ ଏହି କେଳେଙ୍କାରୀର ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ଜିଲ୍ଲାରେ ଗତବର୍ଷ ଖରିଫ୍‌ରେ ୭୩ ଲକ୍ଷ କ୍ବିଣ୍ଟାଲ ଏବଂ ରବିରେ ୫୨ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। କିନ୍ତୁ କୌଣସି ମିଲର୍ସ ଚାଷୀଙ୍କୁ ବସ୍ତା ଦେଇନଥିଲେ। ପରେ ବିଭିନ୍ନ ଚାଷୀ ସଂଗଠନ ଆନ୍ଦୋଳନ କରିବାରୁ କିଛି ଚାଷୀଙ୍କୁ ବସ୍ତା ମିଳିଲା। ଆକଳନ ଅନୁସାରେ ଜିଲ୍ଲାର ମାତ୍ର ୫% ଚାଷୀଙ୍କୁ ବସ୍ତା ମିଳିଥିଲା। ଆର୍‌ଟିଆଇ ତଥ୍ୟ ଅନୁସାରେ ଗୋଟିଏ କ୍ବିଣ୍ଟାଲ ଧାନ କିଣା ପାଇଁ ୨ଟି ଗନି ବ୍ୟାଗ୍‌ ବାବଦକୁ ୯୪.୯୬ ଟଙ୍କା ଖର୍ଚ୍ଚ କରାଯାଇଛି। ଅର୍ଥାତ ଜିଲ୍ଲାରେ ଗୋଟିଏ ଋତୁରେ ୪୫ କୋଟି ଟଙ୍କା ଉପରେ ବସ୍ତା କିଣା ବାବଦକୁ ହେରଫେର୍‌ ହେଉଥିବା ବାରି ହେଉଛି।

ଯଦି ଛତିଶଗଡ଼ର କଥା ତର୍ଜମା କରାଯାଏ, ସେଠାରେ ବ୍ୟବସ୍ଥା ସଂପୂର୍ଣ୍ଣ ଭିନ୍ନ। ଚାଷୀ ମଣ୍ଡିକୁ ଆଣୁଥିବା ଧାନ ପରିମାଣର ଦୁଇ ତୃତୀୟାଂଶ ବସ୍ତା ସରକାର ଯୋଗାଇ ଦେଉଛନ୍ତି। ଚାଷୀ ଏକ ତୃତୀୟାଂଶ ଧାନ ପାଇଁ ବସ୍ତା ଯୋଗାଡ଼ କରୁଛି। ‌ଚାଷୀ ଆଣୁଥିବା ବସ୍ତା ପିଛା ୨୫ ଟଙ୍କା ପରେ ଚାଷୀର ଆକାଉଣ୍ଟରେ ଜମା ହେଉଛି। କିନ୍ତୁ ଓଡ଼ିଶାରେ ବସ୍ତା ପାଇଁ ବି ଚାଷୀ ସାଂଘାତିକ ଷଡ଼ଯନ୍ତ୍ରର ଶିକାର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe