ଧାନକିଣା ବାଟବଣା: ପଦ୍ମପୁର ଉପଖଣ୍ଡରେ ପଡ଼ିଛି ୬.୨୬ ଲକ୍ଷ ପ୍ୟାକେଟ୍   

Advertisment
ଧାନକିଣା ବାଟବଣା: ପଦ୍ମପୁର ଉପଖଣ୍ଡରେ ପଡ଼ିଛି ୬.୨୬ ଲକ୍ଷ ପ୍ୟାକେଟ୍   

OrissaPOST

ପଦ୍ମପୁର: ପ୍ରଥମେ ଡିସେମ୍ବର ମାସ ୫ତାରିଖରୁ ଧାନ କିଣିବାକୁ ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ କାଳେ ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀମାନେ ତାତିବେ, ତେଣୁ  ନଭେମ୍ବର ୨୧ ତାରିଖରେ ମଣ୍ଡି ଖୋଲାଗଲା।  ଖରିଫ ଧାନ କିଣାବିକା ସୁରୁଖୁରୁରେ ହେବ। ଚାଷୀ ହଇରାଣ ହେବେନି। ମିଲର୍ସଙ୍କ ମନମାନୀ ଚଳିବ ନାହିଁ ବୋଲି ପ୍ରଶାସନ କହିଥିଲା। କିନ୍ତୁ ଏସବୁ କେବଳ ‌ଘୋଷଣା ଥିଲା ବୋଲି ବାରି ହେଉଛି। ବର୍ତ୍ତମାନ ଉପଖଣ୍ଡର ପଦ୍ମପୁର ବ୍ଲକ୍‌ର ୧୭ଟି ମଣ୍ଡି, ପାଇକମାଳ ବ୍ଲକ୍‌ର ୧୫ଟି ମଣ୍ଡି, ଝାରବନ୍ଧ, ସୋହେଲା, ଗାଇସିଲେଟ ଓ ବିଜେପୁର ବ୍ଲକ୍‌ର ୧୨ଟି ଲେଖାଏଁ ମଣ୍ଡିରେ ଲକ୍ଷାଧିକ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ମିଲର୍ସ ଧାନ ଠିକଣା ଭାବେ ଉଠାଉ ନାହାଁନ୍ତି କି ପ୍ରଶାସନ ନଜର ପକାଉ ନାହିଁ। କେବଳ ଫାଇଲ ଭିତରେ ଧାନ କିଣାବିକା ସୁରୁଖୁରୁରେ ଚାଲିଥିବା ଦର୍ଶାଯାଇଛି।

ଉପଖଣ୍ଡର ୧୮ଟି ମାର୍କେଟ ୟାର୍ଡ ଓ ୬୩ଟି  ଅସ୍ଥାୟୀ କ୍ରୟ କେନ୍ଦ୍ରକୁ ନେଇ ମୋଟ୍‌ ୮୧ କେନ୍ଦ୍ରରେ ଧାନ କିଣାବିକା ଚାଲିଛି। ହେଲେ ବୁଧବାର ସଂଧ୍ୟା ସୁଦ୍ଧା ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ୬ ଲକ୍ଷ ୨୬ ହଜାର ୫୪୧ ପେକେଟ ଧାନ ପଡ଼ି ରହିଛି। ବିଶେଷକରି ଉପାନ୍ତ ଅଞ୍ଚଳ ପାଇକମାଳ ଓ ଝାରବନ୍ଧ ବ୍ଲକ୍‌ର ଅଧିକାଂଶ ମଣ୍ଡିରେ ଧାନ ପଡ଼ିଛି। ପଦ୍ମପୁର ବ୍ଲକ୍‌ର ସର୍ଗିବାହାଲ ମଣ୍ଡି, ପାଇକମାଳ ବ୍ଲକର ଜାମସେଠ୍‌, ଝିଟିକି, ଲଖମରା, ପାଇକମାଳ, ଧାରୋଲ, ଝାରବନ୍ଧ ବ୍ଲକ୍‌ର ଲଉଡିଦର୍ହା, ଡଭା ଓ ଝାରବନ୍ଧ ୟାର୍ଡରେ ୧୫ ହଜାରରୁ ୨୫ ହଜାର ବସ୍ତା ଧାନ ଗଦା ହୋଇଛି। ଏ ସଂପର୍କରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଧାନ ଉଠାଣ ପ୍ରକିୟାକୁ ତ୍ବରାନ୍ବିତ କରିବାକୁ ମିଲର୍ସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe