Representative image: Quora
କେନ୍ଦ୍ରାପଡ଼ା : କ୍ଷେତରେ ଧାନ ଚାଷ ହୋଇନି। ପଡ଼ିଆ ପଡ଼ିଛି। କିନ୍ତୁ ରେକର୍ଡରେ ଦର୍ଶାଯାଇଛି ଧାନ ଚାଷ ହେଇଛି। ପ୍ୟାକ୍ସ କର୍ତ୍ତୃପକ୍ଷ ବି ବିନା ଯାଞ୍ଚରେ ଆଖିବୁଜି ଚାଷୀଙ୍କ ଏ ଦଲିଲକୁ କେବଳ ମାନି ନେଇ ନ ଥିଲେ; ପ˚ଜୀକୃତ କରି ଟୋକନ୍ ଇସ୍ୟୁ ପାଇଁ ପଠାଇ ଦେଇଥିଲେ। କାହାର ୧୫ ଏକର ତ କାହାର ୨୦ଏକର ଜମିରେ ଧାନ ଫସଲ ହୋଇଥିବା ଦର୍ଶାଇଥିଲେ। କିନ୍ତୁ ସରକାରଙ୍କ ପୁନଃ ଯାଞ୍ଚ ନିର୍ଦ୍ଦେଶ ପରେ ପ୍ୟାକ୍ସ ସ˚ପାଦକ-ଚାଷୀଙ୍କ ସଲାସୁତୁରାରେ ଚାଲି ଆସୁଥିବା ଏ କେଳେଙ୍କାରୀ ଧରା ପଡ଼ିଯାଇଛି।
ଜିଲ୍ଲାର ୧୦ଏକରରୁ ଅଧିକ ଜମି ଥିବା ବଡ଼ଚାଷୀଙ୍କ ପାଖାପାଖି ୪୦ପ୍ରତିଶତ ଜମି ଏପରି ବାହାରିଲାଣି, ଯେଉଁଥିରେ ଧାନ ଚାଷ ଆଦୌ ହୋଇନାହିଁ। ବାଡ଼ିବଗିଚା, ପଡ଼ିଆ ପଡ଼ିଥିବା ଜମିକୁ ଧାନ ଚାଷ ହେଇଥିବା ଦର୍ଶାଯାଇଥିଲା। ଯୋଗାଣ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତହସିଲଦାର ଓ ଆର୍ଆଇଙ୍କ ସହାୟତାରେ ୧୦ଏକରରୁ ଅଧିକ ଥିବା ପ˚ଜୀକୃତ ଚାଷୀଙ୍କ ଦଲିଲ୍ ମୁତାବକ କ୍ଷେତରେ ଧାନ ଚାଷ ହେଇଥିବା ନେଇ ତନାଘନା କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ କେବଳ ସାମ୍ନାକୁ ଆସିଛି ତା ନୁହେଁ, ତିନି କୋଟିରୁ ଅଧିକ ଟଙ୍କାର ଧାନ କେଳେଙ୍କାରୀ ଚାଲ୍ ବି ଧରାପଡ଼ିଯାଇଛି। ଏବେ ଯଦିଓ ପୁନଃ ଯାଞ୍ଚ ରିପୋର୍ଟ ଆଧାରରେ ଟୋକନ୍ ଇସ୍ୟୁ ହୋଇଛି, କିନ୍ତୁ ବିଗତ ବର୍ଷମାନଙ୍କ ତୁଳନାରେ କମ୍ ପରିମାଣର ଧାନ ବିକିବା ପାଇଁ ଟୋକନ୍ ଆସିଥିବାରୁ ଚାଷୀ ସମେତ ପ୍ୟାକ୍ସ କର୍ତ୍ତୃପକ୍ଷ ଓ ବେପାରୀଙ୍କ ଚିନ୍ତା ବଢ଼ିଯାଇଛି।
ଜିଲ୍ଳା ଯୋଗାଣ ବିଭାଗର ତଥ୍ୟ ମୁତାବକ ଜିଲ୍ଲାରେ ସମୁଦାୟ ୨୭୧ଜଣ ବଡ଼ ଚାଷୀ ଅଛନ୍ତି, ଯେଉଁମାନଙ୍କର ୧୦ଏକର କିମ୍ବା ତାଠୁ ଅଧିକ ଜମିରେ ଧାନ ଚାଷ ହେଇଥିବା ପ˚ଜୀକୃତ ହୋଇଛି। ନିୟମାନୁଯାୟୀ, ଗୋଟିଏ ଏକରରେ ଧାନ ଫସଲ ହୋଇଥିଲେ ଜଣେ ଚାଷୀ ୧୩କୁଇଣ୍ଟାଲ୍ ଧାନ ମଣ୍ତିରେ ବିକି ପାରିବ। ଏହି ହିସାବରେ ଯଦି ଜଣେ ଚାଷୀ ୧୦ଏକର ଜମିରେ ଧାନ ଫସଲ କରିଥିବେ, ତେବେ ୧୩୦କୁଇଣ୍ଟାଲ୍ ଧାନ ବିକିପାରିବ। ଏଥିପାଇଁ ପ୍ରତିବର୍ଷ ଚାଷୀମାନେ ଧାନ ଫସଲ କରିଥିବା ଜମିର ପଟ୍ଟା ସୋସାଇଟିରେ ଦାଖଲ କରିଥାଏ। ଅଗଷ୍ଟରୁ ଏହି ପ˚ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବରରେ ଶେଷ ହୋଇଥାଏ। ପ˚ଜୀକୃତ ଜମି ରେକର୍ଡ ମୁତାବକ ଚାଷୀଙ୍କ ଟୋକନ୍ ଇସ୍ୟୁ ହୁଏ। ଏହି କ୍ରମରେ ଚଳିତ ବର୍ଷ ୨୭୧ବଡ଼ଚାଷୀଙ୍କ ୩୨୩୯ଏକର ଜମି ପ˚ଜୀକୃତ ହୋଇଥିଲା, ଯେଉଁଥିରେ ଧାନ ଫସଲ ହୋଇଥିବା ଦର୍ଶାଯାଇଥିଲା। ମାତ୍ର ସରକାର ଏଥର ଟୋକନ୍ ଇସ୍ୟୁ କରିବା ପୂର୍ବରୁ ଏମାନଙ୍କ କ୍ଷେତ ପୁନଃ ଯାଞ୍ଚ କରି ପ୍ରକୃତରେ ଧାନ ଫସଲ ହେଇଛି କି ନାହିଁ, ସେ ସ˚ପର୍କରେ ରିପୋର୍ଟ ଦେବାକୁ ନିର୍ଦେଶ ଦେବା ପରେ ଯୋଗାଣ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତହସିଲଦାର ଓ ଆର୍ଆଇଙ୍କ ସହଯୋଗରେ ଏହାର ତନାଘନା କରିଥିଲା।
ଏଥିରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଚକିତ କଲା ଭଳି। ସୋମବାର ସୁଦ୍ଧା ୨୪୯ଚାଷୀଙ୍କ ଜମି ଯାଞ୍ଚ କରାଯାଇଥିବା ବେଳେ ସେଥିରୁ ୧୧୨୮ଏକର ଜମିରେ ଆଦୌ ଧାନ ଚାଷ ନ ହୋଇ ସବୁ ଜମି ପଡ଼ିଆ ପଡ଼ିଥିବା ଜଣା ପଡିଛି।
ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ କହିଛନ୍ତି ଯେ ବାକି ଯେଉଁ ୨୨ଚାଷୀଙ୍କ ଜମି ଯାଞ୍ଚ ପ୍ରକ୍ରିୟା ଚାଲିଛି, ତାହା ସ˚ପୂର୍ଣ୍ଣ ହେଲେ ସ˚ଖ୍ୟା ଆହୁରି ଶହେ ଏକରରୁ ଅଧିକ ବଢ଼ିଯିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଯଦି ସମୁଦାୟ ପ˚ଜୀକୃତ ୩୨୩୯ଏକରରୁ ୧୩୦୦ଏକର ବା ୪୦ପ୍ରତିଶତ ଜମିରେ ଧାନ ଚାଷ ହେଇନଥିବା ରିପୋର୍ଟ ସାମ୍ନାକୁ ଆସୁଛି, ତା ହେଲେ ଧରିନେବାକୁ ପଡ଼ିବ ଯେ ୩ କୋଟିରୁ ଅଧିକ ଟଙ୍କାର ଧାନ କିଣା ଦୁର୍ନୀତି ଚାଲ୍ ଫସର ଫାଟିଯାଇଛି।
Follow Us