ମଣ୍ଡିରୁ ଧାନ ଉଠୁନି, ଅଫିସ୍‌ରେ ଧାନ ଭର୍ତ୍ତି

Advertisment

୨୦ ଦିନ ହେଲା ଅଫିସ୍‌ରେ ପଡ଼ିଛି ଧାନ, ସରକାର ଚୁପ୍

୨୦ ଦିନ ହେଲା ଅଫିସ୍‌ରେ ପଡ଼ିଛି ଧାନ, ସରକାର ଚୁପ୍

ଧାନ ଯନ୍ତ୍ରଣା : ୪୮ ଦିନ ହେଲା କାର୍ଯ୍ୟାଳୟରେ ଭର୍ତ୍ତି ହୋଇଛି ଧାନ

ସମ୍ବଲପୁର/ଜମନକିରା/କୁଚିଣ୍ଡା : ଚଳିତ ବର୍ଷ ଖରିଫ ଧାନ ବିକ୍ରି ସାରା ପଶ୍ଚିମ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରବି ଧାନ ଫସଲରେ ଦୁଇ ଥର ଲେଖାଏଁ ସାର ଦିଆଗଲାଣି। ଆଉ କିଛି ମାସ ପରେ ଫସଲ ଅମଳ ହେବ। ଏପଟେ ଖରିଫ ଋତୁର ଧାନ ଚାଷୀ ବିକ୍ରି କରିପାରି ନାହିଁ। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ଚାଷୀର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ପ୍ରତିବାଦରେ ଚାଷୀ ଗତ ୨୦ ଦିନ ହେଲା ଜମନକିରା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଧାନ ଭର୍ତ୍ତି କରିଥିବା ସତ୍ତ୍ବେ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ।

ଧାନ କିଣାବିକାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଟୋକନ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଚାଷୀମାନଙ୍କୁ ଧାନ ବିକିବା ପାଇଁ ଆଗୁଆ ଟୋକନ୍ ଦିଆଯାଇଥିଲା। ମାତ୍ର ଧାର୍ଯ୍ୟ ସମୟରେ ଚାଷୀଙ୍କ ଠାରୁ ଧାନକିଣା ନଯିବାରୁ ଟୋକନ୍ ଲ୍ୟାପ୍‌ସ ହୋଇଯାଇଛି। କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ଆଜକୁ ୨ ମାସ ହେବ ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ବସ୍ତା ଗଦା ହୋଇରହିଛି। ଗତ ଜାନୁଆରି ୨୯ ତାରିଖରେ ଅଦିନିଆ ବର୍ଷା ଯୋଗୁଁ ଅନେକ ମଣ୍ଡିରେ ଚାଷୀଙ୍କ ଗଚ୍ଛିତ ଧାନ ବସ୍ତା ଭିଜି ବିପୁଳ କ୍ଷୟକ୍ଷତି ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ କୁସୁମୀ ମଣ୍ଡିରେ ୧୭୦ ବସ୍ତା, ପରୁଆଭାଡ଼ି ମଣ୍ଡିରେ ୩୫୦ ବସ୍ତା ଧାନ ପଡ଼ି ରହିଛି। କୁଚିଣ୍ଡା ଲ୍ୟାମ୍ପସ୍ ଅଂଚଳର ଚାଷୀମାନେ ଟୋକନ୍ ଲ୍ୟାପ୍‌ସ ହୋଇଯିବାରୁ ପ୍ରାୟ ୧୧୦ ବସ୍ତା ଧାନ ବିକିପାରିନାହାନ୍ତି। ଜମନକିରା ଲ୍ୟାମ୍ପସ ଅଧୀନ ଜମନକିରା ମାର୍କେଟ ୟାର୍ଡ୍ ରେ ୧୯ ହଜାର ୮୦୯ ବସ୍ତା ଧାନ, ଟିକିଲିପଡ଼ା ମଣ୍ଡିରେ ୪ ହଜାର ୫୯୧ ବସ୍ତା, ଭୋଜପୁର ମଣ୍ଡିରେ ୩ ହଜାର ୮୦୦ ବସ୍ତା, ଡିମିରିମୁଣ୍ଡା ମଣ୍ଡିରେ ୫ ହଜାର ୮୦୦ ବସ୍ତା, ସିରିଡ଼ ମଣ୍ଡିରେ ୫ ହଜାର ୫୦୦ ବସ୍ତା, ବଡ଼ମାଳ ମଣ୍ଡିରେ ୨ ହଜାର ୪୦୩ ବସ୍ତା ଧାନ ପଡ଼ି ରହିଥିବା ବେଳେ ଫାଶୀମାଲ୍ ଲ୍ୟାମ୍ପସ୍ ଅଧୀନ ଫାଶୀମାଲ୍ ଓ ଟିକିବା ମଣ୍ଡିରେ ୩୩ ଜଣ ଚାଷୀଙ୍କ ୩ ହଜାର ୨୧୫ ବସ୍ତା ଧାନ, ଧୁଡ଼ିପାଲି ମଣ୍ଡିରେ ପ୍ରାୟ ୩ ହଜାର ବସ୍ତା ଧାନ, ସୁବର୍ଣ୍ଣପାଲି ମଣ୍ଡିରେ ୧୭୦୦ ବସ୍ତା ଧାନ, ଗୁଣ୍ଡୁରୁଚୁଆଁ ମଣ୍ଡିରେ ୧୦ ଚାଷୀଙ୍କ ପ୍ରାୟ ୧୨୧୫ ବସ୍ତା ଧାନ ବିକ୍ରି ନ ହୋଇପଡ଼ିରହିଛି।

ଅଦିନିଆ ବର୍ଷା ଲକ୍ଷ୍ୟ କରି ମିଳିତ ଚାଷୀ ସଂଗଠନ ନେତୃତ୍ବରେ ଗତ ୨୫ ତାରିଖରେ ବିଭିନ୍ନ ସରକାରୀ ଅଫିସରେ ଧାନ ଭର୍ତ୍ତି କରି ପ୍ରତିବାଦ କରାଯାଇଥିଲା। ଏହି କ୍ରମରେ ଜମନକିରା ବ୍ଲକ୍ ଅଫିସ୍ ସମ୍ମୁଖରେ ଗେଟ୍ ଭିତରେ ୧୨୫ ବସ୍ତା ଧାନ, ତହସିଲ ଅଫିସ୍ ଭିତରେ ୧୦୬ ବସ୍ତା ଧାନ, ଜମନକିରା ଲ୍ୟାମ୍ପସ୍‌ରେ ୯୫ ବସ୍ତା ଧାନ, ଉଭୟ ଭୋଜପୁର ଆରଆଇ ଅଫିସ୍ ଓ ପଞ୍ଚାୟତ ଅଫିସରେ ୨୫ ବସ୍ତା ଧାନ ଲେଖାଏଁ, ଡିମିରିମୁଣ୍ଡା ପଞ୍ଚାୟତ ଅଫିସ୍‌ରେ ୫୦ ବସ୍ତା ଓ ସିରିଡ଼ ପଞ୍ଚାୟତ ଅଫିସ ଭିତରେ ୧୦୦ ବସ୍ତା ଧାନ ଭର୍ତ୍ତି କରାଯାଇଥିଲା। ସେହିଦିନଠାରୁ ବିଭିନ୍ନ ମଣ୍ଡିରେ ଓ ସରକାରୀ ଅଫିସଗୁଡ଼ିକରେ ଧାନ ବସ୍ତା ପଡ଼ି ରହିଥିବା ବେଳେ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନ ପାରି ଅନିଶ୍ଚିତତାରେ ପଡ଼ିରହିଛନ୍ତି। ଧାନ ବିକ୍ରି ନ ହେବାରୁ ପୁଅ ଝିଅ ବାହା ଘର ଚିନ୍ତା, ସମବାୟ କୃଷି ଋଣ ଶୁଝି ନ ପାରିବା, ରବି ଚାଷ ପାଇଁ ବିହନ ଯୋଗାଡ଼ କରି ନ ପାରିବା ଭଳି ସମ୍ଭାବ୍ୟ ପରିସ୍ଥିତି ଚାଷୀଙ୍କୁ ମାନସିକ ଚିନ୍ତାରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe