ଧାନର ମାନ କୋହଳ ପ୍ରସଙ୍ଗ : ଅନୁଧ୍ୟାନ ସାରି ଫେରିଲେ ପ୍ରତିିନିଧି

Advertisment

କଟନୀ ଛଟନୀ ବଢ଼ାଇ ଦେଲାଣି ଚାଷୀଙ୍କ ଦୁର୍ଦଶା

କଟନୀ ଛଟନୀ ବଢ଼ାଇ ଦେଲାଣି ଚାଷୀଙ୍କ ଦୁର୍ଦଶା

ଧାନର ମାନ କୋହଳ ପ୍ରସଙ୍ଗ : ଅନୁଧ୍ୟାନ ସାରି ଫେରିଲେ ପ୍ରତିିନିଧି

ଭୁବନେଶ୍ୱର : ଏଫ୍‌ଏକ୍ୟୁ ମାନ ନଥିଲେ ଧାନ କିଣାଯିବ କି ନାହିଁ, ସେ ସଂକ୍ରାନ୍ତ ନିଷ୍ପତ୍ତି ଏବେ କେନ୍ଦ୍ର ସରକାରଙ୍କ କୋର୍ଟରେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ୮ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ୧୯ଟି ଜିଲ୍ଲା ଗସ୍ତ କରି ଫେରିଛନ୍ତି। ଦିନେ ଦୁଇଦିନ ଭିତରେ ସେମାନେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟକୁ ରିପୋର୍ଟ ଦେବେ।

ଏପଟେ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିବା ଜଣେ ଅଧିକାରୀଙ୍କ କହିବାନୁସାରେ ଅଧିକାଂଶ ମଣ୍ଡିରେ ଚାଷୀ ଆଣୁଥିବା ଧାନର ମାନ ଏଫ୍‌ଏକ୍ୟୁ ଗୁଣବତ୍ତାର ନ ଥିବା ଦେଖିବାକୁ ମିଳିଛି। କେଉଁଠି ଧାନର ରଙ୍ଗ ବଦଳି କଳା ପଡିଯାଇଛି ତ ଅନ୍ୟ କେଉଁଠି ଧାନ ସାଧାରଣ ରଙ୍ଗର ରହିଛି। ସାଧାରଣତଃ ଏକ କ୍ୱିଣ୍ଟାଲ୍‌ ଧାନରୁ ଚାଉଳ ପ୍ରାୟ ୬୫ କିଲୋ ଚାଉଳ ବାହାରିବା କଥା। କିନ୍ତୁ କିଛି ସ୍ଥାନରେ ଦେଢ଼ କ୍ୱିଣ୍ଟାଲ୍‌ ଧାନରୁ ଏକ କ୍ୱିଣ୍ଟାଲ୍‌ ବା ତା’ଠାରୁ କମ୍‌ ପରିମାଣର ଚାଉଳ ବାହାରିବାର ଆଶଙ୍କା ରହିଛି।

ଏସବୁକୁ ନେଇ ଚାଷୀ ଏବେ ଦ୍ୱନ୍ଦ୍ୱରେ। ପ୍ରଶ୍ନ ଉଠୁଛି, ଧାନର ଏଫଏକ୍ୟୁ ମାନ କୋହଳ ହେବ କି ନାହିଁ? ଯଦି କେନ୍ଦ୍ର ସରକାର ଏସବୁ ଧାନକୁ କିଣିବା ଲାଗି ଅନୁମତି ନ ଦିଅନ୍ତି, ତେବେ ଚାଷୀଙ୍କ ଧାନ କ’ଣ ହେବ?

ଅଦିନିଆ ବର୍ଷାରେ ଉପକୂଳବର୍ତୀ ୧୯ଟି ଜିଲ୍ଲାର ଚାଷୀଙ୍କ ସୁନାର ଧାନ ଫସଲ ଉଜୁଡ଼ି ଯାଇଥିଲା।  ବର୍ତ୍ତମାନ ଯାଏ ଯେତିକି ଧାନ ଅମଳ ହୋଇଛି, ସେଥିରେ ରହିଛି ଅଗାଡ଼ି, ବେରଙ୍ଗ ଧାନ।

ଧାନ ଏଫ୍‌ଏକ୍ୟୁ ମାନର ନୁହେଁ ବୋଲି ଅଭିଯୋଗ ହୋଇଥିଲା। ଏକ ୮ଜଣିଆ କେନ୍ଦ୍ରୀୟ ଅଫିସର ଦଳ ଗତ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ପୁରୀ, ଖୋର୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଭଳି ୧୯ଟି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଥିଲେ। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ୪ଜଣ ଅଫିସରଙ୍କୁ ନେଇ ମିଳିତ ଯାଞ୍ଚ କରାଯାଇଥିଲା। ସେମାନେ ମଣ୍ଡିଗୁଡ଼ିକ ବୁଲି ବିଭିନ୍ନ ଧାନର ନମୁନା ସଂଗ୍ରହ କରିଛନ୍ତି। ଏଫ୍‌ସିଆଇ ପରୀକ୍ଷାଗାରରେ ଧାନର ନମୁନା ପରୀକ୍ଷା କରିଛନ୍ତି।  ୨୦୧୭-୧୮ ଖରିଫ ଧାନ ସଂଗ୍ରହ ଋତୁ ନିମନ୍ତେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଧାନ, ଚାଉଳର ଏଫ୍‌ଏକ୍ୟୁ ମାନ ପାଇଁ ବିଭିନ୍ନ ମାପକାଠି ଧାର୍ଯ୍ୟ ହୋଇଛି। ଓଡ଼ିଶାରେ ଅଦିନିଆ ବର୍ଷା ଯୋଗୁଁ ଧାନର ବ୍ୟାପକ କ୍ଷୟକ୍ଷତି ପରିପ୍ରେକ୍ଷୀରେ ଯଦି କେନ୍ଦ୍ର ସରକାର ଏଫ୍‌ଏକ୍ୟୁ ମାନ କୋହଳ କରନ୍ତି, ସେ ବେରଙ୍ଗ ବା ନଷ୍ଟ ଧାନ ପାଇଁ ଧାର୍ଯ୍ୟ ମାନ ୫% ରହିଛି। ଏହି ମାନକୁ ଆହୁରି ୧ ପ୍ରତିଶତ ବା ସର୍ବାଧିକ ୨ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର। ତା’ଠାରୁ ଅଧିକ ମାତ୍ରାରେ ଧାନ କୋହଳ ହେଲେ ତାହା ଖାଦ୍ୟ ପାଇଁ ଅନୁପଯୁକ୍ତ ହେବ।

ଉଲ୍ଲେଖଯୋଗ୍ୟ, ବର୍ତମାନ ପଶ୍ଚିମ ଓଡ଼ିଶାରେ ଖରିଫ ଧାନ ସଂଗ୍ରହ ସରିବା ଉପରେ। ଉପକୂଳ ଓଡ଼ିଶାରେ ଧାନ ଅମଳ ଆରମ୍ଭ ହୋଇଛି। ଏବର୍ଷ ମିଲ୍‌ ମାଲିକ ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ମାମୁଲି ଅଭିଯୋଗରେ ପରିଣତ ହୋଇଛି। ଧାନ ଭଲ ଗୁଣର ହୋଇଥାଉ ପଛେ, କଟ୍‌ନୀ ଛଟ୍‌ନୀ ଆଳରେ କ୍ୱିଣ୍ଟାଲ୍‌ ପିଛା ଅନ୍ୟୂନ ୫ କିଲୋ ଧାନ କାଟି ଦିଆଯାଉଛି। ଏଭଳି ଢଙ୍ଗରେ ଚାଷୀଙ୍କ ନିକଟରୁ ପ୍ରାୟ ୨୦୦ କୋଟି ଟଙ୍କାର ହରିଲୁଟ୍‌ ହେଉଥିବା କୁହାଯାଉଛି। ଅଦିନିଆ ବର୍ଷା ଯୋଗୁଁ ଧାନର ମାନ ନିର୍ଧାରିତ ଏଫ୍‌ଏକ୍ୟୁଠାରୁ କମ୍‌ ହେବାର ଆଶଙ୍କା ଥିବାରୁ ଏଭଳି ପରିସ୍ଥିତି ମିଲ୍‌ ମାଲିକଙ୍କ ପାଇଁ ଅନୁକୂଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe