baomoi.com
ଭଦ୍ରକ : ‘ବୁଲ୍ବୁଲ୍ ପ୍ରଭାବରେ ଭଦ୍ରକରେ ୬୧ ହଜାର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡିସି) ଅନିଲ କୁମାର ସାମଲ ଆଜି ଭଦ୍ରକ ଗସ୍ତରେ ଆସି ସ୍ଥିତି ସମୀକ୍ଷା ପରେ ଏହା ଜଣାପଡ଼ିଛି।
ଆର୍ଡିସି ଶ୍ରୀ ସାମଲ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ଦେଇଥିଲେ। ସୂଚନା ଅନୁସାରେ, ବୁଲ୍ବୁଲ୍ ପ୍ରଭାବରେ ଜିଲ୍ଲାର ୭ଟି ବ୍ଲକର ୯୮୦ଟି ଗ୍ରାମ ପ୍ରଭାବିତ ହୋଇଛି। ଏଥିରେ ପାଖାପାଖି ୫ ଲକ୍ଷ ୫୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ମୋଟ ୬୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୫୦୦ ଘର ଭାଙ୍ଗିଛି। ଘରଭଙ୍ଗା କ୍ଷେତ୍ରରେ ରାଜସ୍ବ ବିଭାଗ ୫ ଦିନ ମଧ୍ୟରେ ନିର୍ଭୁଲ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ସମସ୍ତ ବିଡିଓ, ତହସିଲଦାର, ବିଭାଗୀୟ ଅଧିକାରୀ ଏବଂ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us