ଭୁବନେଶ୍ୱର: ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନି‌େର୍ଦ୍ଦଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାବେଳେ ବାକି ୧୨ଟି ଜିଲ୍ଲାରେ କିପରି ଧାନ କିଣା ଆରମ୍ଭ ହେବ ସେ ଚିନ୍ତା ଏବେ ଯୋଗାଣ ବିଭାଗକୁ ଘାରିଛି। ଏପରିକି ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇନଥିବାରୁ କିପରି ସବୁ ଜିଲ୍ଲାରେ ଆସନ୍ତା ୧୦ତାରିଖ ସୁଦ୍ଧା ଧାନ କିଣା ଆରମ୍ଭ ହେବ ସେନେଇ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର ସମୀକ୍ଷା କରିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଚଳିତ ୨୦୨୫-୨୬ ଧାନ କ୍ରୟ ଋତୁ ପାଇଁ ୧୯,୬୭, ୮୧୨ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଖରିଫ ୨୦୨୫-୨୬ ପାଇଁ  ମୋଟ ଧାନ ଚାଷ ଅଞ୍ଚଳ ୬୧,୬୭, ୪୧୪ ଏକର ପଞ୍ଜୀକୃତ ହୋଇଛି। ଜାନୁଆରି ୩ ସୁଦ୍ଧା ପ୍ରାୟ ୧୧ .୮୪   ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ମୋଟ୍  ୨,୭୧,୩୧୮ ଜଣ ଚାଷୀ ୧୨.୦୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି। ଧାନ ଅମଳ ସ୍ଥିତିକୁ ଦୃଷ୍ଟିରେ ରଖି  ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ଜାରି ରହିଛି। ୨୦୨୪-୨୫ ରେ ୭୩.୪୫ ଲକ୍ଷ ମେଟ୍ରିକ୍ ଟନ୍‌ ଖରିଫ ଏବଂ ୧୯. ୧୮  ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ଏହା ବଢ଼ିବ ବୋଲି ଆଶା କରାଯାଉଛି। 

Advertisment

T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?

ଖରିଫ ଧାନକିଣା ସ୍ଥିତିର  ସମୀକ୍ଷା କଲେ ମୁଖ୍ୟ ସଚିବ
୯୬% ପିଡିଏସ୍‌ ହିତାଧିକାରୀଙ୍କ ଇ-କେୱାଇସି ସରିଛି

ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂହ କହିଛନ୍ତି, ଚାଷୀମାନେ ଯେପରି ସୁବିଧାରେ ଧାନ ବିକିପାରି‌ବେ ସେଥିପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସାଟେଲାଇଟ୍ ଇମେଜ୍‌ରି ବ୍ୟବହାର ସହାୟକ ହୋଇଛି। ଏହାସହ କି କି ପଦକ୍ଷେପ ନିଆଯାଇଛି ସେନେଇ ସୂଚନା ଦେଇଥିଲେ। ସେହିପରି ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାକୁ ୧୪୧୮ ମିଲର୍ସ ନିୟୋଜିତ ହୋଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକ ଧାନ ସଂଗ୍ରହ ହେଉଥିବାରୁ ସେହି ଅନୁସାରେ ଚାଉଳ ସଂଗ୍ରହ କରି ରଖିବା ପାଇଁ ସ୍ଥାନର ଅଭାବ ପୂରଣ କରିବାକୁ ଅଧିକ ସ୍ମାର୍ଟ ଗୋଦାମ ବ୍ୟବସ୍ଥା କରିବା ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ୨୬୦୦ ପ୍ରାଥମିକ କୃଷି ସମବାୟ ସମିତି, ୪୦୦ରୁ ଊର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ପାଣି ପଞ୍ଚାୟତ ସହଯୋଗରେ ପ୍ରାୟ ୪୦୦୦  ଧାନ ସଂଗ୍ରହ କେନ୍ଦ୍ର ଏହି ପ୍ରକ୍ରିୟାରେ ସାମିଲ ରହିଛନ୍ତି। ରାଜ୍ୟରେ  ୬.୫ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ରଖୁଥିବା ୧୬୨ଟି ସରକାରୀ ଗୋଦାମ ବ୍ୟବହାର କରାଯାଉଛି। ଆଗକୁ ଧାନ ସଂଗ୍ରହକୁ ଦେଖି ଅଧିକ ଗୋଦାମ ବ୍ୟବସ୍ଥା କରାଯିବ। ବୈଠକରୁ ଜଣାପଡ଼ିଛି ଯେ ରାଜ୍ୟର ୩,୨୭,୮୩,୬୭୩ ଜଣ ହିତାଧିକାରୀଙ୍କୁ ରାସନ ଚାଉଳ ଯୋଗାଇ  ଦିଆଯାଉଛି। ୯୬% ହିତାଧିକାରୀଙ୍କର ଇ-କେୱାଇସି ଯାଞ୍ଚ କରାଯାଇଛି। ଏହି ବୈଠକରେ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ସମ୍ପୃକ୍ତ  ବିଭାଗର ବରିଷ୍ଠ ଅଧିକାରୀମାନେ  ଉପସ୍ଥିତ ଥିଲେ।

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି