ଟଳିଲା ସମସ୍ୟା, ଖୋଲିଲା ମଣ୍ତି : ୬ ଗାଁର ଚାଷୀ ବିକିବେ ଧାନ

Advertisment
ଟଳିଲା ସମସ୍ୟା, ଖୋଲିଲା ମଣ୍ତି : ୬ ଗାଁର ଚାଷୀ ବିକିବେ ଧାନ

ଛତ୍ରପୁର : ଛତ୍ରପୁର ବ୍ଲକ ସାମନ୍ତରାପୁର ସୋସାଇଟିରେ ଆଜି ମଣ୍ଡି ଖୋଲିଛି। ଭିକାରିପଲ୍ଲୀ ପଞ୍ଚାୟତର ୬ଟି ଗାଁର ୧୪୨ଜଣ ଚାଷୀ ଧାନ ବିକିବା ଲାଗି ବାଟ ଖୋଲିଛି। ମଣ୍ଡିରେ ଚାଷୀଙ୍କ ଧାନ ଶୁକ୍ରବାରଠୁ କିଣା ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଓ ରାଜ୍ୟ ଯୋଗାଣ ବିଭାଗ ପଦକ୍ଷେପ ଫଳରେ ଏହା ସମ୍ଭବ ହୋଇଛି।

ଛତ୍ରପୁର ବ୍ଲକ ସାମନ୍ତରାପୁର ‌ସୋସାଇଟିରେ ଭିକାରିପଲ୍ଲୀ ପଞ୍ଚାୟତର ସାମନ୍ତରାପୁର, ଭିକାରିପଲ୍ଲୀ, ଦନେଇବ୍ରହ୍ମପୁର, ବ୍ରାହ୍ଣଣିଆପଲ୍ଲୀ, ଗୋଲ୍ଲାପଲ୍ଲୀ ଓ କେଉଟପଲ୍ଲୀ ଗ୍ରାମର ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଥିଲେ। ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ପାଇଁ ରାଧାକୃଷ୍ଣ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ଏହି ଦାୟିତ୍ବ ନ୍ୟସ୍ତ ହୋଇଥିଲା। କିନ୍ତୁ ଚାଷୀଙ୍କ ଟୋକନ୍ ନ ଆସିବାରୁ ଚାଷୀ ଆସି ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସୋସଇଟିରେ ଚାଷୀ ପଞ୍ଜୀକରଣରେ ତ୍ରୁଟି ରହିଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ସୋସାଇଟିର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗାଣ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। ଛତ୍ରପୁର ଏଆରସିଏସ୍‌ଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏଥିସହ ଡିଆର୍‌ସିଏସ୍‌ଙ୍କୁ ରେଜିଷ୍ଟ୍ରାର ଅଫ୍‌ କୋପରେଟିଭ୍‌ ସୋସାଇଟି(ଆରସିଏସ୍‌) କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ୧୦୫୩ ପ୍ଲଟ ଏବଂ ୧୬୧ ଚାଷୀଙ୍କ ତଥ୍ୟରେ ଅସଙ୍ଗତି ରହିଥିବା ଜଣାପଡ଼ିଥିଲା। ଗତକାଲି ୧୪୨ଚାଷୀଙ୍କ ଧାନ କିଣିବା ଲାଗି ରାଜ୍ୟ ଯୋଗାଣ ବିଭାଗ ଅନୁମତି ଦେଇଥିଲା। ଏହି ଅନୁମତି ଆସିବା ପରେ ଆଜିଠୁ ଚାଷୀଙ୍କ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି।

ମଣ୍ତି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ସରପ‌ଞ୍ଚ ଧବଳେଶ୍ବର ପ୍ରଧାନ, ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ମିସନ୍ ଶକ୍ତିର ଜିଲ୍ଲା ସଂଯୋଜ ଶାଶ୍ବତ କୁମାର ସାହୁ, ବ୍ଲକ ସଂଯୋଜିକା ସପ୍ନା ପାତ୍ର, ରାଧାକୃଷ୍ଣ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସଭାନେତ୍ରୀ ଶୈଳବାଳା ରଥ ଓ ଲକ୍ଷ୍ମୀ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ଜଣେ ଚାଷୀଙ୍କ ୫୦ କ୍ବିଣ୍ଟାଲ୍ ଧାନ କିଣାଯାଇଛି। ପର୍ଯ୍ୟାୟ କ୍ରମେ ସମସ୍ତ ଚାଷୀଙ୍କ ଧାନ କିଣାଯିବ। ବାକି ଚାଷୀଙ୍କ ଥିବା ସମସ୍ୟା ତୁରନ୍ତ ସମାଧାନ କରି ସେମାନଙ୍କ ଧାନ ମଧ୍ୟ କିଣାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe