କଚ୍ଛପ ଗତିରେ ଚାଲିଛି ଧାନସଂଗ୍ରହ: ଲକ୍ଷ୍ୟ ଦିନକୁ ୧୨୦୦ କ୍ବିଣ୍ଟାଲ, ୩ଦିନରେ ୬୦୦

Advertisment
ବରଗଡ଼ ଧାନ ଯାଇଛି ଛତିଶଗଡ଼!

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ କଚ୍ଛପଗତିରେ ଚାଲିଛି ଧାନସଂଗ୍ରହ। ଦିନକୁ ୧୨ଶହ କ୍ବିଣ୍ଟାଲ ଧାନସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ପ୍ରଥମ ୩ଦିନରେ ସଂଗୃହୀତ ହୋଇଛି ମାତ୍ର ୬୦୦ କ୍ବିଣ୍ଟାଲ।

ଗତ ଏପ୍ରିଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା ଯେ ଦୈନିକ ୧୨ଶହ କ୍ବିଣ୍ଟାଲ ଧାନ ଚାଷୀଙ୍କଠାରୁ ସଂଗୃହୀତ ହେବ। ମାସେ ବ୍ୟାପୀ ଚାଲିବାକୁ ଥିବା ରବି ଋତୁ ଧାନ ସଂଗ୍ରହରେ ଯାଞ୍ଚ ପରେ ୨୦୯୦ଜଣ ପଞ୍ଜୀକୃତ ଚାଷୀଙ୍କୁ ସାମିଲ କରାଯାଇଛି। ୧୨ ଏପ୍ରିଲ୍ ରବି ଋତୁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ମିଲରଙ୍କ ଜରିଆରେ ଦୈନିକ ୧୨ଶହ କ୍ବିଣ୍ଟାଲ ଧାନ କିଣାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ, ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ସୁଦ୍ଧା ୨ଟି ମଣ୍ତିରେ ୧୭ ଜଣ ଚାଷୀଙ୍କଠାରୁ ୬୮୦.୮୨ କ୍ବିଣ୍ଟାଲ ଧାନ ସଂଗୃହୀତ ହୋଇଛି। ଫଳରେ, ମଣ୍ତିରେ ଯେଉଁ ଭଳି ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ତତ୍ପରତା ପ୍ରକାଶ ପାଇବା କଥା ସେଭଳି ତତ୍ପରତା ଦେଖିବାକୁ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ କାଳବୈଶାଖୀ ବର୍ଷାର ସୂଚନାକୁ ନେଇ ଚାଷୀମାନେ ମଣ୍ତିକୁ ଧାନ ଆଣିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି କୃଷି ସମବାୟ ସମିତିର ସମ୍ପାଦକମାନେ କହିଛନ୍ତି।

ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୁଗୁଡ଼ା ମୁର୍ମୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଦିନକୁ ସର୍ବାଧିକ ୧୨ଶହ କ୍ବିଂଟାଲ୍ ଧାନ କିଣିବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ମିଲର୍‌ ଓ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଜଣାଇଦିଆଯାଇଛି। କିନ୍ତୁ ଚାଷୀମାନେ ମଣ୍ତିକୁ ଧାନ ଆଣିବାରେ ସେଭଳି ଆଗ୍ରହ ଦେଖାଉନାହାନ୍ତି। ଫଳରେ ଧାନ ସଂଗ୍ରହ ପରିମାଣ କମିଯାଇଛି, କିନ୍ତୁ ଆହୁରି ୧ ମାସ ସମୟ ରହିଛି, ଏହା ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହେବ ବୋଲି ଆଶା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe