ମଣ୍ଡିରେ ଏଜେଣ୍ଟଙ୍କ ଦୌରାତ୍ମ୍ୟ: ମିଲର୍‌ଙ୍କୁ କେବେ ବାନ୍ଧିବେ ଯୋଗାଣ ମନ୍ତ୍ରୀ?

Advertisment

ନବନିର୍ମାଣ କୃଷକ ସଂଗଠନର ପ୍ରଶ୍ନ

ନବନିର୍ମାଣ କୃଷକ ସଂଗଠନର ପ୍ରଶ୍ନ

ଜାନୁଆରି ୧ରୁ ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବ କେନ୍ଦ୍ର

The Hindu

ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀ ଘୋଷଣା କରିଥିଲେ ଯେ କଟନିଛଟନି ହେଲେ ମିଲର୍‌ ଗିରଫ ହେବେ। ମାତ୍ର ଏବେ ରାଜ୍ୟ ସାରା ଧାନ ମଣ୍ଡିରେ ଖୋଲା‌ଖୋଲି କଟନିଛଟନି ଚାଲିଛି। ମିଲର୍‌ମାନେ ଏଫ୍ଏକ୍ୟୁ ମାନ ଆଳରେ ବିନା କଟନିଛଟନିରେ ଧାନ ଉଠାଇବାକୁ ମନା କରୁଛନ୍ତି। ଏମିତିକି ଜିଲ୍ଲା ପ୍ରଶାସନର ସମ୍ମୁଖରେ ବୁଝାମଣା‌ ହେଉଛି ଓ ଚାଷୀଠାରୁ କଟନିଛଟନି କରି ଧାନ କିଣାଯାଉଛି। ମିଲର୍‌ ଏଜେଣ୍ଟ ନିଯୁକ୍ତି କରିବା ବେଆଇନ ହେଲେ ବି ମଣ୍ଡିରେ ସେମାନଙ୍କ ରାଜ୍‌ ଚାଲିଛି। ଆଜି ଏମିତି ସଂଗିନ୍ ଅଭିଯୋଗ କରିଛି ନବନିର୍ମାଣ କୃଷକ ସଙ୍ଗଠନ।

publive-image

ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଘରୋଇ ବ୍ଲକ ଗଣିଆ ମଣ୍ଡିରେ କ୍ବିଣ୍ଟାଲ୍‌ ପିଛା ୧୨ କେଜି ଧାନ କଟାଯାଉଛି। ରାଜଧାନୀର ନାକ ତଳେ କଟକ, ଖୋର୍ଧା ଜିଲ୍ଲାରେ ମିଲର୍‌ ସିଧାସଳଖ କହୁଛନ୍ତି କଟନି ନହେଲେ ଧାନ ଉଠାଇବେ ନାହିଁ। ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ କୁଆଡ଼େ ଗଲେ? ନିୟମାନୁସାରେ ବ୍ଲକ୍‌ ସ୍ତରରେ ଜଣେ ଓଏଏସ୍‌ ଅଫିସରଙ୍କୁ ନେଇ ସ୍କ୍ବାଡ୍‌ ରହିବା କଥା। ମାତ୍ର ଅନେକ ଜିଲ୍ଲାରେ ସ୍କ୍ବାଡ୍‌ ଗଠନ ହୋଇନାହିଁ। ବାକି ଯେଉଁ ଜିଲ୍ଲାରେ ସ୍କ୍ବାଡ୍‌ ଗଠନ ହୋଇଛି, ତା‌’ର ଦେଖାନାହିଁ। ମଣ୍ଡିରେ ମିଲର୍‌ଙ୍କ ବେଆଇନ ଏଜେଣ୍ଟଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାଇକୋର୍ଟଙ୍କ ରାୟ ଅନୁସାରେ ମଣ୍ଡିରେ ମିଲର୍‌ ଏଜେଣ୍ଟ ରଖିପାରିବେ ନାହିଁ। ଏଠି ହାଇକୋର୍ଟଙ୍କ ନି‌ର୍ଦ୍ଦେଶକୁ ଫୁ’ କରି ଉଡ଼ାଇଦିଆଯାଇଛି। ଏଜେଣ୍ଟମାନେ ହିଁ ସବୁ ବିଶୃଙ୍ଖଳାର ମୂଳ ବୋଲି ଶ୍ରୀ ନନ୍ଦ କହିଛନ୍ତି। ନିୟମ ଅନୁଯାୟୀ ଲେବର ଚାର୍ଜ ମଣ୍ଡିରେ ସମବାୟ ସମିତି ଦେବା କଥା। ମାତ୍ର ଏବେ ଚାଷୀଙ୍କଠାରୁ ଆଦାୟ କରାଯାଉଛି। ଏହା ଚାଷୀଙ୍କୁ ଲୁଟ୍‌ ବୋଲି ସେ କହିଛନ୍ତି।

publive-image Agriculture Post

ମଣ୍ଡି ବାହାରେ ମିଲର୍‌ମାନେ ୧୨ଶହରୁ ୧୩ଶହ ଟଙ୍କାରେ ଧାନ କିଣୁଛନ୍ତି। ପରେ ତାକୁ ଜାଲ୍‌ ଚାଷୀଙ୍କ ନାମରେ କାଗଜପତ୍ର କରାଉଛନ୍ତି। ଏଇ ହିସାବରେ ଗୋଟିଏ କ୍ବିଣ୍ଟାଲ୍‌ରେ ମିଲର୍‌ମାନେ ୫ ଶହରୁ ୬ଶହ ଟଙ୍କା ଲାଭ ପାଉଛନ୍ତି। ତେଣୁ ଗଳାବାଟରେ ଲକ୍ଷାଧିକ ମେଟ୍ରିକ୍‌ ଧାନ ସଂଗ୍ରହ କରି ମିଲର୍‌ମାନେ କୋଟି କୋଟି ଟଙ୍କାର ମୁନାଫା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଗତ ଦିନରେ ସିଏଜି ରିପୋର୍ଟରେ ଧାନକିଣାରେ ୪୦୦ କୋଟି ଟଙ୍କା‌ର କଟନିଛଟନି କରାଯାଇଛି ବୋଲି ତଥ୍ୟ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକର କୁବେଲପେକ୍ସ, ମଲମୁଣ୍ଡା, ପୁଇଁତଲା ପେକ୍ସ ଏକ ଉଦାହରଣ ଥିଲା। ଲକ୍ଷାଧିକ କ୍ବିଣ୍ଟାଲ ଧାନର ମିଛ ହିସାବ ମିଲର୍‌ମାନେ ଦେଖାଇଥିଲେ। ଧାନ କ୍ରୟ ବ୍ୟବସ୍ଥା ତଦାରଖରେ ଜିଲ୍ଲାପାଳ ମୁଖ୍ୟ ବ୍ୟକ୍ତି। କିନ୍ତୁ ଏହାକୁ ସୁଧାରିବାରେ ତାଙ୍କର ଭୂମିକା ରହୁନାହିଁ। ଏଆର୍‌ସିଏସ୍‌, ଉପଜିଲ୍ଲାପାଳ, ସିଏସ୍‌ଓ କେହି ବି ଚାଷୀଙ୍କ ଦୁଃଖ ଶୁଣୁନାହାନ୍ତି। ପରିତାପର କଥା ନିଜେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ମିଲର୍‌ଙ୍କୁ ସମର୍ଥନ କରୁଛନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ମନୱର୍‌ ଅଲ୍ଲୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe