ବରଗଡ଼ ଜିଲ୍ଲାରେ ଆଜିଠୁ ଖରିଫ୍‌ ଧାନ କିଣା, ବିଭ୍ରାଟ ଆଶଙ୍କାରେ ଚାଷୀ

Advertisment
ରବି ଧାନ ସଂଗ୍ରହ, ଆରମ୍ଭରୁ ଅବ୍ୟବସ୍ଥା: କଟକରେ ଟୋକନ ପାଇଁ ଟଙ୍କା

ବରଗଡ଼ :  ବୁଧବାର ଠାରୁ ବରଗଡ଼ ଜିଲ୍ଲାରେ ଚଳିତ ବର୍ଷର ଖରିଫ ଧାନ କିଣା ହେବ। ୫୮ ପେକ୍ସ ଏବଂ ୧୯୩ଟି କ୍ରୟ କେନ୍ଦ୍ରରେ ଧାନ କିଣାବିକା ହେବ। ବର୍ତମାନ ଯାଏଁ ଜିଲ୍ଲାର ୧.୩୭ ଲକ୍ଷ ଚାଷୀ ଧାନ କିଣାବିକା ପାଇଁ ପଞ୍ଜୀକୃତ ହେଲେଣି। ଧାନ କିଣାବିକା ପାଇଁ ସପ୍ତାହକୁ ୬ଦିନ ମଣ୍ଡି ଖୋଲା ରହିବ। ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଅପରାହ୍ନ ୧ରୁ ଧାନ ଉଠିବ। ଗତଥର ଜିଲ୍ଲାରୁ ଖରିଫ ଋତୁରେ ୭,୨୧,୬୦୩.୧୭୬ ମେଟ୍ରିକ୍‌ ଟନ୍‌ ଧାନ ଉଠିଥିଲା। ତେବେ ଏଥର ବିଳମ୍ବରେ ଧାନ ସଂଗ୍ରହ ହେଉଥିବାରୁ ଗତଥର ତୁଳନାରେ କମ୍‌ ଧାନ ସରକାରୀ ଭାବେ କିଣାଯିବ ବୋଲି ଚା‌ଷୀମାନେ ଆକଳନ କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ କିଛି ଚାଷୀଙ୍କ ପାଖରେ ଟୋକନ୍‌ ପହଂଚିଛି। ତେବେ ତିନୋଟି କାରଣରୁ ଏଥର ଧାନ କିଣାରେ ବ୍ୟାପକ ବିଭ୍ରାଟ ହେବ ବୋଲି କୁହାଯାଉଛି। ପ୍ରଥମଟି ହେଲା ପାଣିପାଗ। ମାସ ସାରା ମେଘୁଆ ପାଣିପାଗ ସହ ଝିପିଝିପି ବର୍ଷା ଯୋଗୁଁ ଅମଳ ହୋଇଥିବା ଧାନ ଅଧା ନଷ୍ଟ ହୋଇ ସାରିଛି। ଆଗକୁ ବର୍ଷା ଛିଞ୍ଚିଲେ ଧାନ କିଣାରେ ବିଭ୍ରାଟ ସୃଷ୍ଟି ହେବ। ଦ୍ବିତୀୟ ହେଲା ଟୋକନ୍‌ ସମସ୍ୟା। ଜିଲ୍ଲାର ଚାଷୀମାନେ ଟୋକନ୍‌ ବ୍ୟବସ୍ଥା ପ୍ରଚଳନ ହେବା ଦିନରୁ ଧୋକା ଖାଇ ଆସୁଛନ୍ତି। ଧାନ ଅମଳ କରିଥିବା ଚାଷୀଙ୍କୁ ଟୋକନ୍‌ରେ ବିଳମ୍ବ ଏବଂ ଅମଳ କରିନଥିବା ଚାଷୀଙ୍କୁ ସଅଳ ଟୋକନ୍‌ ମିଳୁଛି। ଚାଷୀଙ୍କୁ ମିଳୁଥିବା ଟୋକନ୍‌ର ଅବଧି ୩୦ଦିନ ବୈଧ ରହିବ ବୋଲି ନିୟମ ରହିଛି। କିନ୍ତୁ ଏଥର ଦୈନିକ ଗୋଟିଏ ମଣ୍ଡିରେ ୩୦ଜଣ ଚାଷୀଙ୍କ ଧାନ ଏଣ୍ଟ୍ରି ହେବ ବୋଲି କୁହାଯାଇଛି। ତେଣୁ ଟୋକନ୍‌ ପାଇଥିବା ଚାଷୀ ଶୀଘ୍ର ଧାନ ବିକ୍ରି ଆଶାରେ ପ୍ରଥମରୁ ହିଁ ଧାନ ମଣ୍ଡିକୁ ଆଣିବ। ତେଣୁ ପାଣିପାଗ ଖରାପ ହେଲେ ଧାନ ନଷ୍ଟ ହେବା ସ୍ବାଭାବିକ। ତୃତୀୟ କଥା ହେଲା ବିଳମ୍ବରେ ଧାନ କିଣା। ପ୍ରତିବର୍ଷ ଖରିଫ୍‌ ଧାନ ସଂଗ୍ରହ ନଭେମ୍ବର ପହିଲା ସପ୍ତାହରୁ ଆରମ୍ଭ ହୋଇଥାଏ। ଏଥର କିନ୍ତୁ ୨୦ ଦିନ ବିଳମ୍ବରେ ଧାନ କିଣା ହେଉଛି। ତେଣୁ ଚାଷୀ ଏହି ବିଳମ୍ବତା ଯୋଗୁଁ ନିଶ୍ଚିତ ହଇରାଣ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe