ଧାନ କିଣା ଆଉ ୭ଦିନ ବାକି, ଅପେକ୍ଷାରେ ୪୨ ହଜାର ଚାଷୀ

ସବୁଆଡ଼ୁ ଭୋଗୁଛନ୍ତି ଚାଷୀ: ଅଖାରେ ବି ଶୋଷଣ; କିଣା ୩୫ ଟଙ୍କା, ମିଳୁଛି ୧୦ ଟଙ୍କା

Representative image: Quora

ବ୍ରହ୍ମପୁର : ଚାଷୀ ଠାରୁ ମାର୍ଚ୍ଚ ୩୧ ଯାଏ ଧାନ କିଣିବାକୁ ସରକାର ସ୍ଥିର କରିଛନ୍ତି। ଧାନ କିଣା ସରିବାକୁ ଆଉ ମାତ୍ର ୭ଦିନ ବାକି। ଗଞ୍ଜାମ ଜିଲ୍ଲାର ଆହୁରି ୪୨ ହଜାର ଚାଷୀ ଧାନ ବିକି ପାରି ନାହାନ୍ତି। ପର୍ଯ୍ୟାପ୍ତ ଟାର୍ଗେଟ ମିଳୁ ନ ଥିବା ଯୋଗୁଁ ଧାନ କିଣାରେ ଅଚଳାବସ୍ଥା ଲାଗି ରହିଛି। ଇତିମଧ୍ୟରେ ଧାନ ବିକ୍ରି କରି ନ ପାରି ଶହ ଶହ ଚାଷୀଙ୍କ ଟୋକନ୍‌ ଅବଧି ସରିଯାଇଛି। ଶେଷ ପର୍ଯ୍ୟାୟରେ ଜିଲ୍ଲା ଯୋଗାଣ ବିଭାଗ ଜିଲ୍ଲାର ୧୦୦ଟି ମଣ୍ଡିକୁ ୬୪୬୪୨.୭୪ କ୍ବିଣ୍ଟାଲ୍‌ ଧାନ କ୍ରୟ କରିବାକୁ ଟାର୍ଗେଟ ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜିଲ୍ଲାର ମାତ୍ର ୯୧୧୮ଟି ବୈଧ ଟୋକନ୍‌ ରହିଛି। ଗୋଟିଏ ଟୋକନ୍‌ରେ ସର୍ବାଧିକ ୫୦ କ୍ବିଣ୍ଟାଲ୍ ଧାନ କିଣାଯାଇପାରିବ। ବୈଧ ସମସ୍ତ ଟୋକନ୍‌ରେ ଧାନ କିଣାଗଲେ ବି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଦିଆଯାଇଥିବା ସବୁ ଟାର୍ଗେଟ ମୁତାବକ ଧାନ କିଣାଯାଇପାରିବ ନାହିଁ। ଯେତେ‌ବଳେ ଚାଷୀ ଟୋ‌କନ୍‌ ଧରି ବସିଥିଲେ, ଟୋକନ୍‌ର ଅବଧି ରହିଥିଲା ସେ ସମୟରେ ମଣ୍ଡିକୁ ଟାର୍ଗେଟ ଦିଆଗଲା ନାହିଁ। ଟୋକନ୍‌ର ଅବଧି ସରିବା ବେଳକୁ ମଣ୍ଡିକୁ ଟାର୍ଗେଟ୍ ଦିଆଯାଇଛି। ଯୋଗାଣ ବିଭାଗର ‌ଧାନ କିଣାରେ ଅଜବ ନୀତି ପୁଣି ପଦାରେ ପଡ଼ିଛି।
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଧାନ କିଣା ଆରମ୍ଭ ହୋଇଛି। ଧାନ କିଣା କିଛି ଦିନ ସୁରୁଖୁରୁରେ ଚାଲିବା ପରେ ଜାନୁଆରି‌ ଶେଷ ସପ୍ତାହ ଠାରୁ ଅଚଳାବସ୍ଥା ଲାଗି ରହିଛି। ଗତ ବର୍ଷ ଟୋକନ୍‌ ନ ଆସିବାରୁ ଚାଷୀ ଧାନ ବିକି ପାରି ନ ଥିବା ବେଳେ ଏଥର ଟାର୍ଗେଟ୍ ସମସ୍ୟା ଯୋଗୁଁ ଚାଷୀ ହରଡ଼ଘଣାରେ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଗତ ବର୍ଷ ତୁଳନାରେ ଗଞ୍ଜାମ ଜିଲ୍ଲାରୁ ଅଧିକ ୫ଲକ୍ଷ କ୍ବିଣ୍ଟାଲ୍ ଧାନ କିଣାଯାଇଥିବା କହି ବାହାଦୁରୀ ନେଉଛନ୍ତି। ଜିଲ୍ଲାରେ ୧ଲକ୍ଷ ୩୭ହଜାର ୧୦୮ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଥିବା ବେଳେ ଆଜି ସୁଦ୍ଧା ୯୫ହଜାର ୧୩ଜଣ ଚାଷୀଙ୍କ ଠାରୁ ୪୪ଲକ୍ଷ ୪୨ହଜାର ୪୬୭ କ୍ବିଣ୍ଟାଲ୍‌ ଧାନ କିଣାଯାଇଛି। ଜିଲ୍ଲାର ୪୨ହଜାର ୯୫ ଜଣ ଚାଷୀ ଏଯାବତ୍ ଧାନ ବିକିପାରି ନାହାନ୍ତି। ମାତ୍ର ୯୧୧୮ ବୈଧ ଟୋକନ୍‌ ରହିଛି। ଗତ ଫେବ୍ରୁଆରି ୨୮ ଠାରୁ ଆଉ ନୂଆ ଟୋକନ୍‌ ଆସୁନାହିଁ। ଏହାକୁ ଅନୁଧ୍ୟାନ କଲେ ଯଦି ଏହି ସମସ୍ତ ବୈଧ ଟୋକନ୍‌ କିଣାଯାଏ, ‌ତେବେ ଜିଲ୍ଲାର ଆଉ ପ୍ରାୟ ୯ହଜାର ଚାଷୀଙ୍କ ଧାନ କିଣାଯିବ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ୩୩ହଜାର ପଞ୍ଜୀକୃତ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇ ସାରିଥିବା ସ୍ପଷ୍ଟ ଜଣାପଡ଼ୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe