ଚାଷୀଙ୍କ ଅଜାଣତରେ ମଣ୍ଡିରେ ଉଠିଛି ଧାନ, ଟଙ୍କା ବି ହୋଇଛି ଜମା, ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଚାଷୀ

ଚାଷୀଙ୍କ ଅଜାଣତରେ ମଣ୍ଡିରେ ଉଠିଛି ଧାନ, ଟଙ୍କା ବି ହୋଇଛି ଜମା, ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଚାଷୀ

ଭଞ୍ଜନଗର : ଧାନ କିଣା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା କହୁଥିଲେ ମଧ୍ୟ ଟୋକେନ୍, ଟାର୍ଗେଟ ଆଉ ମଣ୍ଡି ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ସଂପ୍ରତି ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରି କରିବା ନିମନ୍ତେ ପଞ୍ଜିକୃତ ଚାଷୀ ନିକଟରେ ଧାନ ସହ ଟୋକେନ୍ ରହିଥିଲେ ମଧ୍ୟ ଟାର୍ଗେଟ ନଥିବାରୁ ଚାଷୀ ମାନେ ଧାନ ବିକ୍ରୟ କରିପାରୁନାହାନ୍ତି। ଅନ୍ୟପଟେ ମାର୍ଚ୍ଚମାସ ଯାଏଁ ଧାନ କିଣାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରୁ ହିଁ ୯୦ ପ୍ରତିଶତରୁ ଅଧିକ ଧାନ କ୍ରୟ ସରିଲାଣି । ଚାଷୀ ନିକଟରେ ଟୋକେନ ରହିଥିଲେ ମଧ୍ୟ ସରକାର ସମବାୟ ସମିତି ଓ ମିଲର ମାନଙ୍କୁ ଟାର୍ଗେଟ୍ ଦେଉନଥିବାରୁ ଚାଷୀମାନେ ଧାନ ବିକ୍ରୟ କରିପାରୁ ନାହାନ୍ତି। ବହୁ ଚାଷୀଙ୍କ ଟୋକେନ୍ ଅବଧି ମଧ୍ୟ ସରିବାକୁ ବସିଲାଣି। ଏଭଳି ଦୁର୍ବିସହ ସ୍ଥିତିରେ ଚାଷୀଙ୍କ ଅଜାଣତରେ ତାଙ୍କ ଟୋକେନ୍‌ରେ ଅନ୍ୟର ଧାନ ମଣ୍ଡିରେ ବିକ୍ରି ହେବା ସହ ଟଙ୍କା ମଧ୍ୟ ବ୍ୟାଙ୍କ ଖାତାରେ ଜମା ହୋଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି।

ସମବାୟ ସମିତି ଗୁଡିକରେ ସୋସାଇଟି ସମ୍ପାଦକମାନେ ଚଞ୍ଚକତା କରି ଚାଷୀ ମାନଙ୍କ ଧାନ ଉଠାଉନଥିବା ବେଳେ ବେଆଇନ ଭାବେ ବେପାରୀମାନଙ୍କ ଧାନ କ୍ରୟକୁ ଗୁରୁତ୍ବ ଦିଆଯାଉଥିବା ଅଭିଯୋଗ ହେଉଛି। ଚାଷୀ ନିକଟରେ ଧାନ ଜମା ହୋଇ ରହିଥିଲେ ମଧ୍ୟ ନା ତାଙ୍କ ନିକଟକୁ ଟୋକେନ୍ ଆସିଛି ନା ତାଙ୍କ ଧାନ ବିକ୍ରି କରିବା ନେଇ ମିଳିଛି କୌଣସି ସୂଚନା। କିନ୍ତୁ ତାଙ୍କ ନାମରେ ୩୨.୭୦ କୁଇଣ୍ଟାଲ୍ ଧାନ ସମବାୟ ସମିତିରେ କିଣାଯାଇଥିବା ସହ ଅନ୍ୟର ବ୍ୟାଙ୍କ ଖାତାକୁ ଟଙ୍କା ଯାଇଥିବା ଅଭିଯୋଗ କରିଛନ୍ତି ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥପ୍ରସାଦ ବ୍ଳକ୍ ଅଲାଡି ପଞ୍ଚାୟତର ପାଇକରାପଲ୍ଲୀ ଗ୍ରାମର ପିତବାସ ଦିହୁଡି । ଆଜି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ବିରୋଧରେ ହୋଇଥିବା ଅନ୍ୟାୟର ତଦନ୍ତ କରିବା ସହ ତାଙ୍କ ଧାନ କ୍ରୟ କରିବା ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏଥିସହ ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି।

ପିତବାସଙ୍କ ଅଭିଯୋଗ ଅନୁଯାୟୀ,ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରୟ କରିବା ନିମନ୍ତେ ସେ ପଞ୍ଜିକରଣ କରିଥିଲେ। କିନ୍ତୁ ତାଙ୍କର ନାମରେ ବହୁ ଦିନରୁ ଟୋକେନ୍ ନଆସିବାରୁ ସରକାରୀ ପୋର୍ଟାଲ୍‌ରେ ଯାଞ୍ଚ କରିଥିଲେ। ସେଠାରୁ ସେ ଜାଣିବାକୁ ପାଇଥିଲେ ଯେ, ଚଳିତ ମାସ ତାଙ୍କ ନାମରେ ୩୦୧ ନମ୍ବର ଟୋକେନ୍ ଇସ୍ୟୁ ହେବା ସହ ୮ ତାରିଖ ଦିନ ଧାନ ସଂଗ୍ରହ କରାଯାଇଛି। ଏଥିସହ ୧୦ ତାରିଖ ଦିନ ବ୍ୟାଙ୍କରେ ମଧ୍ୟ ଟଙ୍କା ଜମା ହୋଇଛି। କିନ୍ତୁ ତାଙ୍କ ପାଖରେ ଧାନ ଜମା ରହିବା ସହ ସେ ଧାନ ବିକ୍ରି କରିନାହାନ୍ତି କି ତାଙ୍କ ନିକଟରୁ ଟୋକେନରେ କୌଣସି ସୂଚନା ଆସିନାହିଁ ବୋଲି ଅଭିଯୋଗ କରିଛନ୍ତି। ଏନେଇ ସେ ଗଞ୍ଜାମ ଜିଲ୍ଳାପାଳ,ଆରକ୍ଷୀ ଅଧିକ୍ଷକ,ଭିଜିଲାନ୍ସ ବିଭାଗକୁ ଅଭିଯୋଗ ପତ୍ର ପଠାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe