କଳାହାଣ୍ତିରେ ଧାନ କିଣା ବିଳମ୍ବ, ଛତିଶଗଡ଼କୁ ଚୋରା ଚାଲାଣ ଆରମ୍ଭ

Advertisment
କଳାହାଣ୍ତିରେ ଧାନ କିଣା ବିଳମ୍ବ, ଛତିଶଗଡ଼କୁ ଚୋରା ଚାଲାଣ ଆରମ୍ଭ

ଧର୍ମଗଡ଼ : ବକେୟା ପ୍ରାପ୍ୟ ନ ପାଇବା ଯାଏଁ ଧାନ ଉଠାଇବେ ନାହିଁ ବୋଲି କହି କଳାହାଣ୍ତି ଜିଲ୍ଲାରେ ମିଲର୍ସ ଏଯାଏ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଜିଲ୍ଲାରେ ଧାନ କିଣା ବିଳମ୍ବ ହୋଇଛି। ଜିଲ୍ଲାରେ ସୋମବାର ଠାରୁ ମଣ୍ଡି ଆରମ୍ଭ ହୋଇଛି। ଧର୍ମଗଡ଼ରେ ମଣ୍ଡି ଆରମ୍ଭ ହୋଇଥିଲେ ହେଁ ସୋମବାର ଧାନ କିଣା ଆଦୌ ହୋଇ ପାରି ନଥିବା ସୂଚନା ମିଳିଛି। ଏହାର ସୁଯୋଗ ନେଇ ଦଲାଲମାନେ ଚାଷୀମାନଙ୍କ ଠାରୁ ଅତି କମ୍‌ ଦରରେ ଧାନ କିଣି ଛତିଶଗଡ଼ ଅଞ୍ଚଳକୁ ଚାଲାଣ କରୁଛନ୍ତି। ଧର୍ମଗଡ଼ ଉପଖଣ୍ଡ ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ପ୍ରତିଦିନ ଶହ ଶହ ଟ୍ରକ୍‌ ଧାନ ଛତିଶଗଡ଼କୁ ଚାଲି ଯାଉଛି। ସେହିପରି ସ୍ଥାନୀୟ କିଛି ମିଲର୍ସଙ୍କ ଦଲାଲମାନେ ମଧ୍ୟ କମ୍‌ ଦରରେ ଧାନ କିଣି ଗଚ୍ଛିତ ରଖିଛନ୍ତି। ମଣ୍ଡି ଖୋଲିବା ପରେ କାଗଜପତ୍ର କରାଇନେବାର ସୁଯୋଗ ଅପେକ୍ଷାରେ ଥିବା ଜଣାଯାଇଛି।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ଯୋଗାଣ ବିଭାଗ ନିଜ ତ୍ରୁଟିକୁ ଲୁଚାଇବା ପାଇଁ ଧାନ ଅମଳ ହୋଇ ନଥିବା କହି ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ବଦଳାଇ ୧ ତାରିଖ ମଣ୍ତି ଖୋଲିବା ପରିବର୍ତ୍ତେ ୧୫ ତାରିଖକୁ ଘୁଞ୍ଚାଇ ଦେଲା। ମିଲର୍ସ ଧାନ ଉଠାଇବାକୁ ମନା କରିବାରୁ ଅସଲ ତଥ୍ୟ ପଦାକୁ ଆସିଲା। ରବି ଋତୁ ଧାନ କିଣା ନେଇ ଯୋଗାଣ ବିଭାଗ ଓ ମିଲରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ପ୍ରଶାସନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା। ମିଲର୍ସ ଖରିଫରେ ଯୋଗାଣ ସଚିବ ଦେଇଥିବା ବର୍ଦ୍ଧିତ ପାଉଣା ପ୍ରତିଶ୍ରୁତି ଫେଲ ମାରିବା ଜାଣିବା ପରେ ଧାନ କିଣିବେ ନାହିଁ କହି ବୈଠକରୁ ପଳାଇ ଆସିଥିଲେ। ସେପଟେ ପ୍ରଶାସନ ଅନ୍ୟ ଜିଲ୍ଲାର ମିଲର୍ସ ଆଣି ଧାନ କିଣିବାର ବ୍ୟବସ୍ଥା କରୁଛି।

ସରକାର ଧାନର ସହାୟକ ମୂଲ୍ୟ ୧୭୫୦ ଟଙ୍କା ରଖିଛନ୍ତି। ହେଲେ ଜିଲ୍ଲାରେ ମଣ୍ତି ଆରମ୍ଭ ନ ହେବା ଯୋଗୁଁ ଚାଷୀ ଧାନ କୁଇଣ୍ଟାଲ ପିଛା ୧ ହଜାରରୁ ୧୨ ଶହ ଟଙ୍କା ମଧ୍ୟରେ ବିକ୍ରି କରି ଦେଉଛି। ଏବେ ଧାନ ଛତିଶଗଡ଼ ଓ ଅନ୍ୟ ଜିଲ୍ଲାମୁହାଁ ହେଲାଣି। ଛତିଶଗଡ଼ ସରକାର ଧାନର ସହାୟକ ମୂଲ୍ୟ ବୋନସ ସାଙ୍ଗରେ ୨୫ଶହ ଟଙ୍କା ରଖିଥିବାରୁ ଛତିଶଗଡ଼ ମିଲରଙ୍କ ଦୃଷ୍ଟି ଏବେ କଳାହାଣ୍ତି ଚାଷୀ ଉପରେ ପଡ଼ିଛି। ଏଣୁ ଜିଲ୍ଲାରେ ବିଳମ୍ବିତ ମଣ୍ତିର ଫାଇଦା ନେଇ ପ୍ରତିଦିନ ଶହ ଶହ ଧାନ ଗାଡ଼ି କମ୍‌ ମୂଲ୍ୟରେ କିଣା ହୋଇ ଚାଲାଣ ହେଉଛି। ଧାନ ଚୋରା ଚଲାଣ ସଂପର୍କରେ ଧର୍ମଗଡ଼ ଉପଖଣ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କୁ ପଚାରିବାରୁ ଆମ ନଜରକୁ ଏପରି ଘଟଣା ଆସିଲେ ଚଢ଼ଉ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe