ଧାନକିଣା ଦୁର୍ନୀତି : ଧରାପଡ଼ିଲାଣି କଳା କାରନାମା, ୭ ପେକ୍ସ ସଂପାଦକ ହେଲେଣି ନିଲମ୍ବିତ

Advertisment

୨ଡିଇଓଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ, ୨ଟି ରାଇସ ମିଲ ଚଢ଼ଉର ଜାରି ରହିଛି ତଦନ୍ତ

୨ଡିଇଓଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ, ୨ଟି ରାଇସ ମିଲ ଚଢ଼ଉର ଜାରି ରହିଛି ତଦନ୍ତ

ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ନିର୍ଦେଶ: ଧାନ ସଂଗ୍ରହ କରିବେ ଏସଏଚଜି

photo-represnetative

ବଲାଙ୍ଗୀର : ଦୁର୍ନୀତି ରୋକିବାକୁ ଚାରିପଟୁ ନିୟମ କଡ଼ାକଡ଼ି। ୫-ଟିରୁ ନେଇ ମୋ ସରକାର ସବୁ ଅଛି। ହେଲେ ବଲାଙ୍ଗୀର ଜିଲ୍ଲାରେ ଏଠି, ସେଠି, ସବୁଠି ଦୁର୍ନୀତି। ସବୁ ସୀମା ଟପିଯାଉଛନ୍ତି ଦୁର୍ନୀତିଖୋର ଅଧିକାରୀ କର୍ମଚାରୀ। ମଣ୍ଡିରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି। କିନ୍ତୁ ଜାଲିଆତି କରି କାଗଜପତ୍ରରେ ଏଠି ଚାଲିଛି ଧାନକିଣା। ଫଲସ ଏଣ୍ଟ୍ରିରୁ ନେଇ ଜମି କାଗଜପତ୍ରରେ ବି ଚଞ୍ଚକତା। ଅନେକ ପ୍ରକ୍ରିୟା ଥିଲେ ବି ଧାନ କିଣା ଦୁର୍ନୀତି ଏଠି ଯାହାକୁଯେତେ। ଖୋଦ ସରକାରୀ ତଦନ୍ତରେ ସାଙ୍ଘାତିକ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଲାଣି। ଯାହାର ତଥ୍ୟ ଲାଗିଛି ‘ସମ୍ବାଦ’ ହାତରେ। ୭ଟି ପେକ୍ସର ୭ ଜଣ ସଂପାଦକ ଓ ୨ ଜଣ ଡିଇଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲାଣି ପ୍ରଶାସନ। ସେଥିମଧ୍ୟରୁ କେତେ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଦେଇ ନିଲମ୍ବନ କରାଯାଇଥିବା ବେଳେ କେତେ ଜଣଙ୍କ ନାଁରେ ଥାନାରେ ଏତଲା ବି ଡିଆରସିଏସଙ୍କ ନିର୍ଦେଶକ୍ରମ‌େ ଦିଆଯାଇଛି। ଏପରିକି ମିଲର୍ସଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୨ଟି ମିଲ ଉପରେ ଚଢ଼ଉ କରାଯାଇ ତଦନ୍ତ ଜାରି ରଖିଛି ଯୋଗାଣ ବିଭାଗ।

ମିଳିଥିବା ତଥ୍ୟରୁ ଜଣାଯାଏ ଯେ, ଶିବତଲା ପେକ୍ସ ସଂପାଦକ ରାଜୀବ ବଣ୍ଡାଙ୍କୁ ନିଲମ୍ବନ କରାଯାଇଛି। ସେହି ପେକ୍ସର ଡିଇଓ ଶଶିଭୂଷଣ ପ୍ରଧାନଙ୍କୁ ବହିଷ୍କୃତ କରାଯାଇଛି। ଏପରିକି ଦେଓଗାଁ ଥାନାରେ ଗତ ୨୪ ତାରିଖ ବିଭାଗ ପକ୍ଷରୁ ଏଆରସିଏସ ଏତଲା ବି ଦେଇଛନ୍ତି। ଚୁଡ଼ାପାଲି ପେକ୍ସରେ ମଧ୍ୟ ବ୍ୟାପକ ମନମାନୀ ପେକ୍ସ ସଂପାଦକ ଗୋପବନ୍ଧୁ ସାହୁ ଚଳାଇଥିଲେ। ନିଜ ସଂପର୍କୀୟମାନଙ୍କ ନାଁରେ ଧାନ କିଣା ପ୍ରକ୍ରିୟାରେ ରେଜିଷ୍ଟ୍ରେସନ କରିଥିଲେ। ଫଳରେ ତାଙ୍କୁ ନିଲମ୍ବନ କରାଯାଇଛି। ଟିଟିଲାଗଡ଼ ସର୍କଲର ପତ୍ରାପାଲି ପେକ୍ସ ଓ ଗୋଇମୁଣ୍ଡ ପେକ୍ସ ଉଭୟରେ ସଂପାଦକ ଦାୟିତ୍ୱରେ ଥିଲେ ସତ୍ୟନାରାୟଣ ନାଗ। ସେ ଉଭୟ ପେକ୍ସରେ ନିଜ ମନମାନୀ କାମ ଚଳାଇଥିଲେ। ଚାଷୀ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଟୋକନ ପାଇଥିଲେ ସେ କମ ଧାନ ରଖୁଥିଲେ। ଟୋକନ ପାଇଥିବା ଚାଷୀଙ୍କଠାରୁ ଥର ଥର କରି ଧାନ କିଣାଯାଉଥିଲା। ତଦନ୍ତରେ ସବୁ ଧରାପଡ଼ିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି। ପାଟଣାଗଡ଼ ସର୍କଲ ସୋଲବନ୍ଧ ପେକ୍ସର ସୁଦର୍ଶନ ଭୋଇ, ଡିଇଓ ପ୍ରକାଶ ରଣା ଉଭୟେ ଜାଲିଆତି କରି ଚାଷୀ ପଞ୍ଜୀକରଣ କରିଥିଲେ। ଜାଲ କାଗଜପତ୍ରରେ ମିଛ ରେଜିଷ୍ଟ୍ରେସନ କରିଥିଲେ। ଉଭୟଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ତଦନ୍ତ ହୋଇଥିଲା ଓ ବିଭାଗ ନିଲମ୍ବନ କରିଛି। ସଇନ୍ତଳା ଗଣପତ୍ରାପାଲି ପେକ୍ସ ସଂପାଦକ ନିଶାମଣି ସାହୁ, ଦେଓଗାଁ ବ୍ଲକ ଉପରଝର ପେକ୍ସ ସଂପାଦକ ସରୋଜ କ୍ଷେତୀଙ୍କୁ ବିଭାଗ ନିଲମ୍ବନ କରିଛି। ଜିଲ୍ଲାରେ ୧୭୪ଟି ମଣ୍ଡିରେ ଧାନ କିଣା ଚାଲୁରହିଥିବା ବେଳେ ଅନେକାଂଶରେ ଦୁର୍ନୀତି ଚାଲିଛି। ମିଛ ଧାନକିଣା ଜୋରଦାର ଜିଲ୍ଲାରେ ହେଉଥିବା ଜଣାପଡ଼ିଲାଣି। ନିକଟରେ ଲିଲୁରାମ ରାଇସ ମିଲରେ ପ୍ରଶାସନ ପକ୍ଷରୁ ଚଢ଼ଉ ହୋଇଥିଲା। ଟିଟିଲାଗଡ଼ ଉପଜିଲ୍ଲାପାଳ, ଯୋଗାଣ ବିଭାଗ ଅଧିକାରୀ ଓ କଣ୍ଟାବାଞ୍ଜି ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ମିଲରେ ଧାନ କେତେ ପରିମାଣର ଗଚ୍ଛିତ ଅଛି ଓ ଚାଉଳର ପରିମାଣ କେତେ ଅଛି ତାହାର ତଦାରଖ ହୋଇଥିଲା। ମିଲ ଭିତରେ ଥିବା ଗୋଦାମକୁ ସିଲ କରି ଅଧିକାରୀମାନେ ଦୁଇ ତିନି ଦିନ ଧରି ତଦନ୍ତ କରିଥିଲେ। ମିଲ ମାଲିକ ଯେତେ ପରିମାଣର ଧାନ ପେକ୍ସରୁ ଉଠାଇଥିଲେ ସେଥିରୁ ସଟେଜ ଥିବା ସନ୍ଦେହ ହୋଇଥିଲା। ମିଲରେ ଚାଉଳ, ଖୁଦ ବି ସବୁ ରହିଥିଲା। ମୋଟାମୋଟି ତଦନ୍ତ ପରେ ପ୍ରାୟ ୩୧ ହଜାର କୁଇଣ୍ଟାଲ ଧାନ ସଟେଜ ଥିବା ତଥ୍ୟ ପ୍ରଶାସନ ହାତରେ ଲାଗିଛି। ଏଣୁ ମିଲରେ ଯାହା ଧାନ ଥିଲା ସବୁକୁ ଅନ୍ୟ କିଛି ମିଲକୁ ସ୍ଥାନାନ୍ତର କରି ମିଲିଂ କରିବାକୁ ଦିଆଯାଇଛି। ସେହିପରି ସଇନ୍ତଳା ପିପ୍ରୁଟଠାରେ ଥିବା ମହାବୀର ରାଇସ ମିଲ ଉପରେ ଯୋଗାଣ ବିଭାଗ ଚଢ଼ଉ କରିଥିଲା। ମଣ୍ଡିରୁ ଧାନ ନଉଠାଇ ସିଧାସଳଖ ଚାଷୀଙ୍କଠାରୁ ମିଲ ମାଲିକ ଧାନ କିଣୁଥିବା ଚଢ଼ଉ ଟିମ ଜାଣିବାକୁ ପାଇଥିଲେ। ସେହି ମିଲକୁ ଆଗକୁ ଧାନ ନକିଣିବାକୁ ନିର୍ଦେଶ ଦିଆଯାଇଛି। ମୋଟାମୋଟି ଦେଖିଲେ ଜିଲ୍ଲାରେ ବଡ଼ଧରଣର ଧାନକିଣା ଦୁର୍ନୀତି ଏଥର ହୋଇଛି। ଯାହା ଫଳରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ଏବେ ବି ମଣ୍ଡିଗୁଡ଼ିକରେ ପଡ଼ିରହିଛି।

କାଗଜପତ୍ରରେ ଧାନକିଣା!
ବଲାଙ୍ଗୀର ଜିଲ୍ଲାରେ ଚଳିତ ଧାନକିଣା ପ୍ରକ୍ରିୟାରେ ୩୫ଲକ୍ଷ ୯୫ହଜାର ୬୦୦ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରହିଥିଲା। ଏଯାଏ ସେଥିରୁ ୩୪ଲକ୍ଷ ୭୩ହଜାର କୁଇଣ୍ଟାଲ ଧାନ କିଣା ସରିଲାଣି। ଧାନ କିଣି ମିଲମାନଙ୍କୁ ବି ୩୪ଲକ୍ଷ ୩୦ହଜାର କୁଇଣ୍ଟାଲ ଧାନ ମିଲିଂ ପାଇଁ ଦିଆସରିଛି। ଏଥର ମୋଟ ୪୮ହଜାର ୨୮୫ ଜଣ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଥିଲେ। ହେଲେ ଏବେ ବି ଅନେକ ଚାଷୀ ନିଜ ଧାନ ବିକ୍ରି କରିପାରି ନାହାନ୍ତି। ବହୁ ଚାଷୀଙ୍କ ଟୋକନ ଲେପସ ହୋଇଗଲାଣି ବୋଲି କହାଯାଉଛି। ଟାର୍ଗେଟ କେମିତି ପୂରଣ ହେଲା ଓ ଚାଷୀଙ୍କ ଧାନ କେମିତି ବିକ୍ରି ହୋଇପାରିଲା ନାହିଁ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଏପଟେ ମଣ୍ଡିଗୁଡ଼ିକରେ ମିଛ ଚାଷୀଙ୍କ ନାଁରେ ଜାଲିଆତି କରି ଧାନ କିଣାଯାଇଛି। ବହୁ ପେକ୍ସ ସଂପାଦକ ନିଜ ନିଜ ସଂପର୍କୀୟଙ୍କ ନାଁ ରେଜିଷ୍ଟ୍ରେସନ କରି ଧାନ କିଣିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନେତାଙ୍କଠାରୁ ଆରମ୍ଭ କରି ଚାଷୀ ସମସ୍ତଙ୍କ ସମାନ ଅଭିଯୋଗ। ଧାନ କିଣାରେ ଦୁର୍ନୀତି ହୋଇଛି। କାଗଜପତ୍ରରେ ଧାନ କିଣା କାରବାର ଅନେକ ପେକ୍ସରେ ହୋଇଥିବା କହାଯାଉଛି। ଯୋଗାଣ ବିଭାଗ- ପେକ୍ସ- ମିଲର୍ସଙ୍କ ସଲାସୁତୁରାରେ ସବୁ କାରବାର ହୋଇଛି। ଫଳରେ ବହୁ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ହୋଇଛନ୍ତି। ଏପଟେ ଯୋଗାଣ ବିଭାଗ ନୂଆ ଟାର୍ଗେଟ ଆସିଲେ ବାକି ରହିଯାଇଥିବା ଧାନ ସବୁ କିଣାଯିବ ବୋଲି କହୁଛି। କିନ୍ତୁ ଏ ପର୍ଯ୍ୟନ୍ତ ନୂତନ ଟାର୍ଗେଟ କିଛି ଆସି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe