ମଣ୍ଡିରେ ଧାନ କିଣା ମନ୍ଥର : ବରଗଡ଼ ଜିଲ୍ଲାରେ ଟୋକନ୍‌ ବିଭ୍ରାଟର ସମାଧାନ ନାହିଁ

Advertisment
ଧାନ ଯନ୍ତ୍ରଣା : ଧାନ ବିକ୍ରି ଅପେକ୍ଷାରେ ହଜାର ହଜାର ଚାଷୀ

Sambad English

ବରଗଡ଼ : ଚାଷୀ ଅମଳ କରି ଧାନକୁ ଖଳ‌ାରେ ରଖିଛି। କିନ୍ତୁ ‌ଟୋକନ୍‌ ମିଳୁନି। ଯାହାକୁ ଟୋକନ୍‌ ମିଳିଛି, ତାର ଧାନ ଆଦୌ ଅମଳ ହୋଇନାହିଁ କିମ୍ବା ଅଧପନ୍ତରିଆ ରହିଛି। ଏଣେ ଖଳାରେ ସ୍ଥାନାଭାବ ଯୋଗୁଁ ରାଜପଥ ଉପରେ ଧାନ ଗଦା ହୋଇରହୁଛି। ଟୋକନ୍‌ ମିଳିଲେ ରାଜପଥରୁ ଧାନ ସାଉଁଟି ଚ‌ାଷୀ ମଣ୍ଡିକୁ ଯିବ। ଏଭଳି ଟୋକନ୍‌ ବିଭ୍ରାଟ ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଆରମ୍ଭ ହେଲାଣି। ଏଣେ ଚାଷୀମାନେ ଆନ୍ଦୋଳନ ପାଇଁ ମଧ୍ୟ ସଜବାଜ ହେଲେଣି। ଏଭଳି ସ୍ଥିତିରେ ଗତି କରୁଛି ଜିଲ୍ଲାର ଖରିଫ ଧାନ କିଣା। ଚଳିତ ମାସ ୯ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିଲେ ହେଁ କିଛି ବ୍ୟବସ୍ଥିତ ହୋଇନାହିଁ।

ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ମଂଗଳବାର ଯାଏ ୧.୩୦ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି। ମଣ୍ଡିରେ ୪୧ହଜାର କ୍ବିଣ୍ଟାଲ ଧାନ ପଡ଼ି ରହିଛି। ଅତବିରା ଆର୍‌ଏମ୍‌ସି ଅଧିନରେ ଥିବା ୟାର୍ଡ ଏବଂ କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ବର୍ତମାନ ଯାଏଁ ସେଠାରେ ମାତ୍ର ୩,୬୦,୩୬୨ ବସ୍ତା ଧାନ ପହଂଚିଛି। ୨,୯୯,୩୪୫ ବସ୍ତା ବିକ୍ରି ହୋଇଛି। ମଣ୍ଡିଗୁଡ଼ିକରେ ପଡ଼ିଛି ୬୦,୯୧୭ ବସ୍ତା ଧାନ। ଜଳସେଚିତ ଇଲାକାରେ ଧାନକିଣା ମନ୍ଥର ଥିବାରୁ ଚାଷୀମାନେ ଜାନୁଆରିରୁ ଆରମ୍ଭ କରିବାକୁ ଥିବା ରବି ଚାଷ ପାଇଁ ସମୟ ପାଇବେନି। ଧାନକିଣା ଆରମ୍ଭ ହେବାର ୧୦ ଦିନ ବିତିଗଲାଣି। କିନ୍ତୁ ଧାନକିଣା ଅତି ମନ୍ଥର ଚାଲୁଥିବାରୁ ବ୍ୟବସ୍ଥା ଉପରୁ ଚା‌ଷୀଙ୍କ ଭରସା ତୁଟି ଯାଇଛି। ମଣ୍ଡିରେ ଧାନକିଣା ମନ୍ଥର ଥିବାବେଳେ ମିଲ୍‌ରେ ପ୍ରଖର ଚାଲିଛି। ଅର୍ଥାତ ଚାଷୀ ମଣ୍ଡିକୁ ଧାନ ନନେଇ ସିଧାସଳଖ ମିଲର୍ସଙ୍କ ହାତରେ କମ୍‌ ଦରରେ ଟେକି ଦେଉଥିବା ପଦ୍ମପୁର ଅଂଚଳରୁ ଖବର ଆସୁଛି।

ଇତିମଧ୍ୟରେ ଆକାଶରେ ମେଘ ଭାସୁଛି। ବର୍ଷା ଆଶଂକା କରି ଚାଷୀମାନେ କମ୍‌ ଦରରେ ମିଲର୍ସଙ୍କୁ ଧାନ ଟେକିବାକୁ ଲାଗିଲେଣି। ଯୋଗାଣ ବିଭାଗ ବି ହାତ ବାନ୍ଧି ଚୁପ୍‌ ରହିଛି। ଅଧିକାଂଶ ସ୍ଥାନରେ ବିଲରେ ଧାନ ପଡ଼ି ରହିଛି। ମଣ୍ଡିରୁ ଧାନ ଉଠୁନଥିବାରୁ କିଛି ଚା‌ଷୀ ଧାନ କାଢ଼ି ମିଲ୍‌ ମୁହାଁ ହେଉଥିବା ମଧ୍ୟ ନଜିର ଆସିଛି। ମିଲ୍‌କୁ ଧାନ ଗଲେ ଚା‌‌ଷୀଙ୍କୁ କଟ୍‌ନି ଛଟ୍‌ନିର ଶିକାର ହେବାକୁ ପଡ଼ୁଛି। କିଛି ଅଂଚଳରେ ଚାଷୀ ହଜାରେରୁ ୧୨ଶହ ଟଙ୍କା ମଧ୍ୟରେ ଧାନ ବିକି ଦେଉଥିବା ଜଣାପଡ଼ିିଛି। ଧାନ କିଣା ପୂର୍ବରୁ ପ୍ରତିଥର ପ୍ରଶାସନ, ଯୋଗାଣ ବିଭାଗ ଏବଂ ଚାଷୀଙ୍କ ବୈଠକ ବସୁଛି। ଚାଷୀମାନେ ଟୋକନ୍‌ ବ୍ୟବସ୍ଥାକୁ ସ୍ଥାନୀୟ ପ୍ରଶାସନ ହାତକୁ ନେବାକୁ ଦାବି କରୁଛନ୍ତି। ହେଲେ ଚାଷୀଙ୍କ ଦାବି ସବୁଥର ଅଣଦେଖା ହୋଇ ରହୁଛି। ସରକାରୀ ଖାତାରେ ଧାନ କିଣା ଟାର୍ଗେଟ ପୂରଣ ହେଉଛି, କିନ୍ତୁ ପ୍ରତି ଋତୁରେ ଲକ୍ଷଲକ୍ଷ ବସ୍ତା ଧାନ ବିକ୍ରି ନହୋଇ ପଡ଼ି ରହୁଛି। ଚଳିତ ଖରିଫରେ ମଧ୍ୟ ଏହି ଅବ୍ୟବସ୍ଥାର ଝଲକ ଦେଖିବାକୁ ମିଳିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe