Jagran Josh
ବାଲେଶ୍ବର : ଦୁଇଦିନ ପରେ ହେବ ଅଖିମୁଠି ଅନୁକୂଳ। ହେଲେ କିଛି ପ୍ରସ୍ତୁତି ହୋଇନି। କରୋନା କଟକଣା ହଟିବା ପରେ ମଧ୍ୟ ଚାଷୀ ଆଶ୍ବସ୍ତ ହୋଇପାରିନାହାନ୍ତି। ଗୋଟିଏ ପଟେ ରବି ଧାନ ଅମଳ ହୋଇପାରିନାହିଁ। ଯେତିକି ବି ଅମଳ ହୋଇଛି,ତାହା ବିକ୍ରି ହୋଇପାରିନାହିଁ। ତେଣୁ କେଉଁ ଭରସାରେ ପୁଣି ଖରିଫ ଚାଷ କରିବେ, ସେ ନେଇ ପ୍ରଶ୍ନଉଠାଇଛନ୍ତି ଶତାଧିକ ଚାଷୀ। ଏହାବାଦ୍ ଜିଲ୍ଲାରେ କେତେ ଜମିରେ ଚାଷ ହେବ ଏବଂ କେତେ ବିହନ ଓ ସାର ଦରକାର ପଡ଼ିବ, ସେ ନେଇ ପ୍ରାଶାସନିକ ସ୍ତରରେ କିଛି ଆଲୋଚନା ହୋଇନାହିଁ।
ଜିଲ୍ଲା କୃଷି ନିର୍ଧାରଣ କମିଟି ବୈଠ ଏ ପର୍ଯ୍ୟନ୍ତ ବସିନାହିଁ। ଅକ୍ଷୟତୃତୀୟା ପୂର୍ବରୁ କମ୍ବା ପରେପରେ ଏହି ବୈଠକ ବସିଥାଏ। କିନ୍ତୁ କେବେ ବୈଠକ ହେବ, ସେ ନେଇ କିଛି ନିଷ୍ପତ୍ତି ମଧ୍ୟ ହୋଇନାହିଁ।
ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ବାଲେଶ୍ବର ଜିଲ୍ଲାରେ ୨ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଖରିଫ ଫସଲ କରାଯିବା ପାଇଁ ଯୋଜନା ରହିଛି। ସେଥିରୁ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ଧାନ ଓ ବାକି ଜମିରେ ଅଣଧାନ ଚାଷ କରାଯିବ। ଏଥିପାଇଁ ଚାଷୀଙ୍କୁ ପ୍ରାୟ ଏକଲକ୍ଷ କ୍ୟୁଣ୍ଟାଲ ବିହନ ଆବଶ୍ୟକତା ରହିଛି। କିନ୍ତୁ କୃଷି ବିଭାଗ ପକ୍ଷରୁ ମାତ୍ର ୧୬ହଜାର କ୍ବିଣ୍ଟାଲ ବିହନ ଯୋଗାଣ ହୋଇଥାଏ। ବାକି ବିହନ ନିଜେ ଚାଷୀ ସଂଗ୍ରହ କରନ୍ତି। ଲକଡାଉନ କଟକଣା ଉଠିବା ପରେ ବାଲେଶ୍ବର ବିହନ ନିଗମ ପ୍ରକ୍ରିୟାକରଣ କେନ୍ଦ୍ରରେ ଜୋରଦାର ବିହନ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ସେଥିରେ ୮ହଜାର କ୍ୟୁଣ୍ଟାଲ ସ୍ବର୍ଣ୍ଣ, ୩ ହଜାର କ୍ୟୁଣ୍ଟାଲ କଳାଚମ୍ପା, ୮ଶହ କ୍ୟୁଣ୍ଟାଲ ପୂଜା, ୭ଶହ କ୍ୟୁଣ୍ଟାଲ ୧୦୦୧ଏମ୍ଟିୟୁ, ୫ଶହ କ୍ୟୁଣ୍ଟାଲ ପ୍ରତୀକ୍ଷା, ୮ଶହ କ୍ୟୁଣ୍ଟାଲ ୧୦୦୯, ୩ଶହ କ୍ୟୁଣ୍ଟାଲ ବୀଣା, ୨ଶହ କ୍ୟୁଣ୍ଟାଲ ୧୦୦୯ସବୱାନ୍ ବିହନ ପ୍ରସ୍ତୁତ ହୋଇସାରିଛି। ବାକି ବିହନ ମେ ୧୫ ସୁଦ୍ଧା ପ୍ରସ୍ତୁତ ହୋଇଯାଇଥିବ ବୋଲି ବିହନ ନିଗମ ଅଧିକାରୀ ଏସ୍ ପି ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଯାନବାହାନ ଚଳାଚଳ, ଓ ଦୋକାନବଜାର ବନ୍ଦ ରହିଥିବାରୁ ସାର, କୀଟନାଶକ, କୃଷି ଯନ୍ତ୍ରପାତି ଆଦି ବିଭାଗ ପାଖରେ ପହଞ୍ଚିପାରିନାହିଁ।
ଏନେଇ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର କହିଛନ୍ତି ଯେ, କୃଷିକାର୍ଯ୍ୟକୁ କରୋନା କଟକଣାରୁ ସରକାର ବାଦ୍ ଦେଇଥିଲେ ବି ସାମାଜିକ ଦୂରତା ଓ ସତର୍କତାର ସହ ଏହା ସମ୍ପାଦନ କରିବାକୁ ପଡ଼ିବ। ଯାହା ବି ହେଉ ଚାଷୀ ଓ କୃଷି ବିଭାଗ ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଯେତିକି ବିହନ ଯୋଗାଇ ଦିଆଯାଉଛି ତାହା ପର୍ଯ୍ୟାପ୍ତ ନହେଲେ ବି ପ୍ରତିବର୍ଷ ବିହନ ନିଗମ ଜରିଆରେ ଯେଉଁ ବିହନ ଯୋଗାଇ ଦିଆଯାଇଥାଏ ତାହା ପ୍ରାମାଣିକ ବିହନ। ଉକ୍ତ ବିହନକୁ ଚାଷୀମାନେ ତିନିବର୍ଷ ଯାଏ ବ୍ୟବହାର କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Follow Us