ପଦ୍ମପୁର ଉପନିର୍ବାଚନ: ଚିହ୍ନ ତୁଳନାରେ ଭାବମୂର୍ତ୍ତି ଭାରୀ !      

Advertisment
ପଦ୍ମପୁର ଉପନିର୍ବାଚନ: ଚିହ୍ନ ତୁଳନାରେ ଭାବମୂର୍ତ୍ତି ଭାରୀ !      

The Economic Times

ବରଗଡ଼: ଆଉ ଆଠ ଦିନର କସରତ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହେବ। ୫ ତାରିଖ ଭୋଟ୍‌ ପଡ଼ିବ। ଏଣେ ପଦ୍ମପୁର ନିର୍ବାଚନମଣ୍ଡଳୀ ସାରା ରାଜନୈତିକ ଅଂକକଷା ଚାଲିଛି। ସବୁ ଦଳର କିଛି ନା କିଛି ମିଶ୍ରଣ ପର୍ବ ଚାଲିଛି।  ପ୍ରାର୍ଥୀ ଏବଂ ଦଳଗୁଡ଼ିକ  ସମ୍ଭାବ୍ୟ ଭୋଟ୍‌ ବ୍ୟାଙ୍କକୁ ନେଇ ହିସାବ କିତାବ ଲଗାଉଛନ୍ତି। ବୁଥୱାରୀ ଏହି ଅଣଆନୁଷ୍ଠାନିକ ସର୍ଭେ ଚଳାଇଛନ୍ତି। ପୂର୍ବରୁ ନିଜ ଜୟ-ପରାଜୟର ପାଖାପାଖି ସଠିକ୍‌ ବ୍ୟବଧାନ ଆକଳନ କରିପାରୁଥିଲେ। ହେଲେ କ୍ରମଶଃ ଏହି ହିସାବ ଗଡ଼ବଡ଼ ମାରୁଛି। ପ୍ରାର୍ଥୀମାନେ ଏଯାଏଁ ଦ୍ବନ୍ଦ୍ବ ଭିତରେ ଛନ୍ଦି ହୋଇଛନ୍ତି। ନେତାମାନେ ଦଳୀୟ ଭୋଟ୍‌ବ୍ୟାଙ୍କ ସଜାଡ଼ିବାକୁ ଅହରହ ଉଦ୍ୟମ କରୁଛନ୍ତି। ସେହି ଅନୁସାରେ ଗୋଟି ଚାଳନା ବି ହେଉଛି। ତେବେ ଏଯାଏଁ କୌଣସି ଦଳ ଭୋଟ୍‌ର ଅନ୍ତଃସ୍ରୋତକୁ ଠଉରାଇ ପାରିନାହାନ୍ତି। ଭୋଟର୍‌ଙ୍କ ମନ ପଢ଼ିବା ଏତେ ସହଜ ହୋଇନାହିଁ। ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅନୁସାରେ, ଅଧିକାଂଶ ଭୋଟର୍‌  ଦଳୀୟ ଚିହ୍ନ ବଦଳରେ ପ୍ରାର୍ଥୀଙ୍କ ଭାବମୂର୍ତ୍ତିକୁ ପ୍ରାଥମିକତା ଦେଉଛନ୍ତି।

ଦଳୀୟ ଚିହ୍ନକୁ ସାମାନ୍ୟ ଭାବମୂର୍ତ୍ତିକୁ ନଜରଅନ୍ଦାଜ କରି ପ୍ରାର୍ଥୀଙ୍କ କ୍ଷମତାକୁ ବି ଭୋଟର୍‌ ପରଖୁଥିବା ଦେଖାଯାଇଛି। ଦଳଗୁଡ଼ିକ ପକ୍ଷରୁ ଦିଆଯାଉଥିବା ନିର୍ବାଚନୀ ପ୍ରତିଶ୍ରୁତି ଭୋଟର୍‌ଙ୍କୁ ସେତେଟା ପ୍ରଭାବିତ କରିପାରିନି। ଭୋଟର୍‌ଙ୍କ ତରାଜୁରେ ଦଳୀୟ ଚିହ୍ନ ତୁଳନାରେ ପ୍ରାର୍ଥୀଙ୍କ ଭାବମୂର୍ତ୍ତି ଭାରୀ ରହିଥିବା ଜଣାପଡ଼ୁଛି। କାରଣ ସ୍ଥାନୀୟ ସମସ୍ୟାରୁ ସବୁ ଦଳ ନିଜକୁ ଦୂରେଇ ରଖୁଥିବା ଦେଖାଯାଉଛି। ଅଂଗନଦୀରୁ ଜଳସେଚନ ସୁବିଧା, ଦାଦନ ସମସ୍ୟା, ଧାନ ଅଭାବୀ ବିକ୍ରି ପ୍ରସଂଗ ଏଯାଏଁ ଖୋଲାଖୋଲି କୌଣସି ଦଳର ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ପାଇନାହିଁ। କେବଳ ପରସ୍ପର ଦୋଷ ଲଦାଲଦି ଭିତରେ ନିର୍ବାଚନୀ ପ୍ରଚାର ସୀମିତ ରହିଛି। ବରଗଡ଼-ନୂଆପଡ଼ା ରେଳ ଲାଇନ୍‌, ଇନ୍‌ପୁ୍ଟ୍‌ ସବ୍‌ସିଡି ଏବଂ ଫସଲ ବୀମା ପ୍ରସଂଗକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ ଜାରି ରଖିଛନ୍ତି। କିନ୍ତୁ ଏଥିରୁ କଂଗ୍ରେସ ଫାଇଦା ଉଠାଇବା ଭଳି ଉଦ୍ୟମ ଆରମ୍ଭ କରିନାହିଁ। କାରଣ ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟିଂ ଟ୍ରେଣ୍ଡ ବେଳେବେଳେ ଚମକାଇ ଦେଉଥିବା ନଜିର ରହିଛି। ଏଠାରେ ଗତ ୪ଟି ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଜୟ ସ୍ବାଦ ଚାଖିଛନ୍ତି। ୨୦୦୪ରେ କଂଗ୍ରେସ, ୨୦୦୯ରେ ବିଜେଡି, ୨୦୧୪ରେ ବିଜେପି ଏବଂ ୨୦୧୯ରେ ବିଜେଡି ଏଠାରୁ ବିଜୟୀ ହୋଇଛନ୍ତି। ତେଣୁ ପଦ୍ମପୁରରେ କିଛି ବି ଆଶ୍ଚର୍ଯ୍ୟଜନକ ଘଟିବା ପୂର୍ବ ଫଳାଫଳ ବୟାନ କରୁଛି। ସବୁ ଦଳକୁ ମୌକା ଦେବା ଭୋଟର୍‌ଙ୍କ ମାନସିକତା ଥିବା ବି ଗ୍ରାଉଣ୍ଡ ଜିରୋରୁ ଜଣାପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe