ପଦ୍ମପୁର ଉପନିର୍ବାଚନ: ପ୍ରଚାର କଲେ ଅପରାଜିତା 

Advertisment
ପଦ୍ମପୁର ଉପନିର୍ବାଚନ: ପ୍ରଚାର କଲେ ଅପରାଜିତା 

ବରଗଡ଼/ପଦ୍ମପୁର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରଚାର ମଇଦାନକୁ ଓହ୍ଲାଇ ରୋଡ୍‌ ସୋ ଏବଂ ନିର୍ବାଚନୀ ସଭା କରିଛନ୍ତି। ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପଦ୍ମପୁରର ଭେଉଁରିଆ, ସତୀଭଟା ଓ ବରିକେଲରେ ପ୍ରଚାର କରି ସେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂଙ୍କୁ ଟାର୍ଗେଟ୍ କରିଛନ୍ତି। ‘ଅନ୍ୟର ବୋହୂ, ଶାଶୂଘର ପାଇଁ କହିବ ନା ବାପଘର ପାଇଁ କହିବ?’ ବୋଲି ଅପରାଜିତା ପ୍ରଶ୍ନ ରଖିଛନ୍ତି। ଶାଶୂଘ‌ରେ ଥିବା ଝିଅକୁ ନା ମାଟିର ପୁଅକୁ ପଦ୍ମପୁରବାସୀ ଜିତାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆକାଶିଆ ଗସ୍ତ କରି କେଇ ମିନିଟ୍‌ରେ ଜନସଭା କରି ଚାଲିଗଲେ। ମୁଖ୍ୟମନ୍ତ୍ରୀ ୩୬୫ ଦିନ ଲୋକଙ୍କ ସାଂଗରେ ରହି ପାରିବେ କି ବୋଲି ଅପରାଜିତା ପ୍ରଶ୍ନ ରଖିଥିଲେ। ଏଥିସହ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପ୍ରସଙ୍ଗରେ ସେ କହିଥିଲେ, ୨୦ ବର୍ଷ ତଳେ ସେ ନିଜେ ବରଗଡ଼ର ଜିଲ୍ଲାପାଳ ଥିଲା ସମୟରେ ଏହି ଜିଲ୍ଲା ଗଠନର ଆବଶ୍ୟକତା ଉପଲବ୍ଧି କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଣେ ଗତକାଲି ବିଧାନସଭାରେ ଖୋଦ୍ ତାଙ୍କର ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାରଙ୍କର ପଦ୍ମପୁର ଜିଲ୍ଲା ଗଠନ ନେଇ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ଘୋଷଣା କରିଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀ ଓ ବିଜୁଜନତା ଦଳର ଠକେଇ ବେଶ୍‌ ଜଣାପଡୁଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଥିଲେ। ସେହିଭଳି ସେ ଗଂଗାଧର ମେହେର ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଶଂକା ବ୍ୟକ୍ତ କରିଥିଲେ। ଏହି ପ୍ରକଳ୍ପ ଏକ ଦିଗହରା ପ୍ରକଳ୍ପ ବୋଲି ସେ ଆଖ୍ୟା ଦେଇଥିଲେ।

ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ଏହି ସାଧାରଣ ସଭାଗୁଡ଼ିକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଯୋଗଦେଇ ବିଗତ ୨୨ ବର୍ଷର ଶାସନ କାଳରେ ରାଜ୍ୟ ସରକାରଙ୍କ ଅଂଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଚାଲିଥିବା ଆକ୍ଷେପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe