ପଦ୍ମପୁର ଉପନିର୍ବାଚନ ବିଜୟ ଆଶା, ହେଲେ ଦମ୍ଭର ସହ କହୁନାହାନ୍ତି

Advertisment
ପଦ୍ମପୁର ଉପନିର୍ବାଚନ ବିଜୟ ଆଶା, ହେଲେ ଦମ୍ଭର ସହ କହୁନାହାନ୍ତି

The Economic Times

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଇଭିଏମ୍‌ ଭିତରେ ବନ୍ଦ। ଭୋଟ୍‌ଦାନକୁ ଚବିଶ ଘଣ୍ଟା ବିତିଛି। ହେଲେ କିଏ ଜିତିବ, ସେନେଇ କିଛି ସ୍ପଷ୍ଟ କହି‌ ହେଉନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ଭୋଟର୍‌ଙ୍କ ନିରବତା ମତଦାନ ପରେ ମଧ୍ୟ ଏଯାଏଁ କାଏମ୍‌ ରହିଛି। ଭୋଟର୍‌ଙ୍କ ହାବଭାବ ଠଉରାଇ ହେଉନାହିଁ। ସ୍ଥାନୀୟ ନେତା ଏବଂ କର୍ମୀ ଗ୍ରାଉଣ୍ଡ ଜିରୋରୁ ଯେତେ ଘଣ୍ଟାଚକଟା କଲେ ବି ଭୋଟ୍‌ ସଂପର୍କିତ କିଛି ବି ତଥ୍ୟ ଭୋଟର୍‌ ଓଗାଳୁ ନାହାନ୍ତି। ସମ୍ୟକ୍‌ ସୁରାକ୍‌ ବି ମୁହଁରୁ ବାହାରୁନି। ଯାହା ଉପନିର୍ବାଚନର ସମ୍ଭାବ୍ୟ ଫଳାଫଳକୁ ଏଯାଏଁ ଅନ୍ଧାର ଭିତରେ ରଖିଛି। ଦଳୀୟ ନେତାମାନେ ବିଜୟ ପାଇଁ ଆଶା ତ ରଖିଛନ୍ତି, ହେଲେ କୌଣସି ନା କୌଣସି ପ୍ରସଂଗକୁ ନିର୍ବାଚନ ଫଳାଫଳକୁ ନେଇ ଦମ୍ଭର ସହିତ କିଛି କହିପାରୁନାହାନ୍ତି। ବୁଥ୍‌ୱାରି ଭୋଟିଂ ଟ୍ରେଣ୍ଡକୁ ନେଇ ହିସାବକିତାବ ଚାଲିଛି।

କିନ୍ତୁ କାହାରି ପାଖରେ ସ୍ପଷ୍ଟ ଚିତ୍ର ନାହିଁ। ତେବେ ଭୋଟ୍‌ ଫଳାଫଳ ଚମକାଇ ଦେବା ଭଳି ହେବ ବୋଲି କୁହାଯାଉଛି। କାରଣ, ସଦ୍ୟ ଉପନିର୍ବାଚନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ନିଜ ପୂର୍ବ ଭୋଟ୍‌ହାର ରେକର୍ଡ ଭାଂଗିଛି। ଏଥର ୮୧.୨୯ ପ୍ରତିଶତ ମତଦାନ ହୋଇଛି। ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ଏଠାରେ ସର୍ବାଧିକ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା। ତେଣୁ ସର୍ବାଧିକ ଭୋଟ୍‌ହାର ମତଦାନର ଫଳାଫଳକୁ ଆଶ୍ଚର୍ଯ୍ୟଜନକ କରିବ ବୋଲି ଚର୍ଚ୍ଚା ହେଉଛି। ଆଗୁଆ ଫଳାଫଳ ଆକଳନ ପାଇଁ ତୁଙ୍ଗନେତାମାନେ ହିସାବ ଚଳାଇଛନ୍ତି। ଭୋଟ୍‌ ବ୍ୟାଙ୍କ୍‌ରୁ କେତେ ଆଦାୟ ହୋଇଛି, ତା'ର କସରତ ଚାଲିଛି। କିନ୍ତୁ ଏସବୁ ତଥ୍ୟ ଭୋଟର୍‌ଙ୍କ ନିରବତା ଯୋଗୁଁ ଏକ ପ୍ରକାର ଦିଗହରା ହୋଇଯାଇଛି। ତେବେ ପର୍ଯ୍ୟବେକ୍ଷକ ମହଲର ରୋଚକ ମତ ହେଲା, ଅନ୍ଧାରୀ ବିଜେ ହିଁ ଟ୍ରମ୍ପକାର୍ଡ ସାଜିବ। ଅର୍ଥାତ, ଯେଉଁ ଦଳ ଦୁଇଦିନିଆ ଅନ୍ଧାରୀ ବିଜେରେ ତୃଣମୂଳକୁ ଛୁଇଁଥିବ, ସେହି ଦଳ ହିଁ ବିଜୟୀ ହେବ ବୋଲି କହାଯାଉଛି।

ପଦ୍ମପୁର ଉପନିର୍ବାଚନରେ ଏହି କସରତ ଚାଲିଥିବାବେଳେ କୌଣସି ଦଳ ପରସ୍ପରର ବାଟ ଓଗାଳି ନାହାନ୍ତି। କିମ୍ବା ପୁଲିସ୍‌ ହାତରେ ବି କିଛି ଲାଗି ପାରିଲା ନାହିଁ। ନିର୍ବାଚନ ପୂର୍ବରୁ ଅର୍ଥ ସ୍ରୋତ ରୋକିବାକୁ ପୁଲିସ୍‌ ୨୦ରୁ ଅଧିକ ଚେକ୍‌ପୋଷ୍ଟ କରିଥିଲା। ଏଭଳି କଡ଼ା ସୁରକ୍ଷାରେ ଅନ୍ଧାରୀ ବିଜେକୁ ସୁପରିଚାଳନା କରିବା କାଠିକର ଥିଲା। ହେଲେ ଏଭଳି ସ୍ଥିତି ଭିତରେ ଯେଉଁ ଦଳ ଠିକ୍‌ ଭାବେ ଏହି ପ୍ରକ୍ରିୟା ସାରିଛି ତାହା ହିଁ ବିଜୟ ପାଇଁ ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ପଦ୍ମପୁର ନିର୍ବାଚନମଣ୍ଡଳୀର ୫ ପ୍ରତିଶତ ଭୋଟର୍‌ ସହରାଞ୍ଚଳର। କିନ୍ତୁ ସହରାଞ୍ଚଳରେ ଏଥର ସର୍ବନିମ୍ନ ଭୋଟିଂ ହୋଇଛି। ପଦ୍ମପୁର ଏନ୍‌ଏସିରେ ୧୩,୬୩୪ ଭୋଟରଙ୍କ ମଧ୍ୟରୁ ୯,୪୫୪ (୬୯.୧୪%) ମତଦାନ କରିଛନ୍ତି। ଏହି ଟ୍ରେଣ୍ଡକୁ ଆଗତୁରା ଠଉରାଇ ଦଳଗୁଡ଼ିକ ଗ୍ରାମାଞ୍ଚଳ ଉପରେ ହିଁ ନଜର କେନ୍ଦ୍ରିତ କରିଥିଲେ। ଏହି ଆଧାରରେ ହିଁ ଅନ୍ଧାରୀ ବିଜେ ହୋଇଥିଲା। ତେଣୁ ଏଥିରେ ଯେଉଁ ଦଳ ସଫଳ ହୋଇଛି, ବିଜୟ ତାହାରି ମୁଣ୍ଡକୁ ଯିବ ବୋଲି କହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe