ପଦ୍ମପୁର ଉପନିର୍ବାଚନ: ବିଜେପୁର ଢାଞ୍ଚାରେ ବିଜେଡିର ରଣନୀତି!

Advertisment

ଅଭିଜ୍ଞତା ଓ ସୁସମ୍ପର୍କକୁ ଉପଯୋଗ କରିବି: ପ୍ରସନ୍ନ

ଅଭିଜ୍ଞତା ଓ ସୁସମ୍ପର୍କକୁ ଉପଯୋଗ କରିବି: ପ୍ରସନ୍ନ

ପଦ୍ମପୁର ଉପନିର୍ବାଚନ: ବିଜେପୁର ଢାଞ୍ଚାରେ ବିଜେଡିର ରଣନୀତି!

ବରଗଡ଼ : ଶାସକ ଦଳ ବିଜେଡି ବିଜେପୁର ଢାଞ୍ଚାରେ ପଦ୍ମପୁର ଉପନିର୍ବାଚନକୁ ଓହ୍ଲାଇବ ବୋଲି ଜଣାପଡ଼ୁଛି। ‌୨୦୧୮ ମସିହାରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ଦଳ ଯେଉଁଭଳି ଭାବେ ନିର୍ବାଚନମଣ୍ଡଳୀର କୋଣଅନୁକୋଣରେ ଡେରା ପକାଇଥିଲା, ପଦ୍ମପୁରରେ ବି ସମାନ ନୀତି ଆପଣାଇବା ନେଇ ଆଲୋଚନା ଶୁଣିବାକୁ ମିଳୁଛି। ବିଶେଷକରି, ପଶ୍ଚିମଓଡ଼ିଶାର କେତେଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ପ୍ରଦାନକରି ଏହାର ପ୍ରଥମ ଉଦ୍ୟମ ଆରମ୍ଭ କରିଛି ଦଳ।

ବିଜେପୁର ଉପନିର୍ବାଚନ ସମୟରେ ନିର୍ବାଚନମଣ୍ଡଳୀରେ ଶହେରୁ ଅଧିକ ମନ୍ତ୍ରୀ ଓ ବିଧାୟକ ଡେରା ମାରିଥିଲେ। ଉପକୂଳର ବହୁନେତା ମଧ୍ୟ ପ୍ରଚାରରେ ସାମିଲ୍‌ ହୋଇଥ‌ିଲେ। ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ଦଳର ଅନବରତ ପ୍ରଚାର ଯୋଗୁ ଭୋଟର୍‌ମାନେ ଅଣନିଃଶ୍ବାସୀ ହୋଇଯାଉଛନ୍ତି। ଯେଉଁଥିପାଇଁ ଭୋଟ୍‌ ଗ୍ରହଣର କିଛିଦିନ ପୂର୍ବରୁ ବହୁନେତାଙ୍କୁ ଦଳ ପ୍ରଚାର କାର୍ଯ୍ୟରୁ ଅପସାରଣ କରିଥିଲା। ଏହାପରେ, ସ୍ଥାନୀୟ ନେତାଙ୍କୁ ବ୍ଲକ୍‌ ଓ ଜୋନ୍‌ୱାରି ଦାୟିତ୍ବ ଦିଆଯାଇଥିଲା। ସୁଶୃଙ୍ଖଳିତ ରଣନୀତି ଏବଂ ମିଳିତ ପ୍ରଚେଷ୍ଟା ଯୋଗୁ ଏହି ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୀତା ସାହୁ ଏଠାରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ଅବଶ୍ୟ, ୨୦୧୯ ମସିହା ନିର୍ବାଚନରେ ଦଳ ରୀତା ସାହୁଙ୍କୁ ଟିକେଟ୍‌ ନଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପରବର୍ତ୍ତୀ ସମୟରେ ସେ ଇସ୍ତଫା ଦେବାରୁ ଆଉଥିରେ ଉପନିର୍ବାଚନ ହୋଇଥିଲେ ଏବଂ ରୀତା ପୁଣିଥରେ ବିଜୟ ହାସଲ କରିଥିଲେ। ପଦ୍ମପୁର ପାଇଁ ବି ବିଜେପୁର ଫର୍ମୁଲା ଆପଣେଇ ବିଜେଡି ଆସନ ବଜାୟ ରଖିବାକୁ ରଣନୀତି କରୁଥିବା ନେଇ ରାଜନୈତିକ ମହଲରେ ଆଲୋଚନା ଶୁଣିବାକୁ ମିଳୁଛି।

ରାଜନୈତିକ ବିଶେଷଜ୍ଞମାନେ ଏହାପଛରେ ଦୁଇଟି କାରଣ ଥିବା ମତ ଦେଇଛନ୍ତି। ପ୍ରଥମ ହେଉଛି, ପଦ୍ମପୁର ନିର୍ବାଚନମଣ୍ଡଳୀରେ କମ୍‌ ବ୍ୟବଧାନରେ ହାର୍‌ଜିତ୍‌ର ଫଇସଲା ହେଉଛି। ସେହିଦୃଷ୍ଟିରୁ ତୃଣମୂଳରେ କାମ କରୁଥିବା ନେତାଙ୍କୁ ଦାୟିତ୍ବ ଦେବାପାଇଁ ଦଳ ଏକପ୍ରକାର ନିଷ୍ପତ୍ତି ନେଇଛି। ଦ୍ବିତୀୟଟି ହେଉଛି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଛନ୍ତି। ଫଳରେ, ଉପନିର୍ବାଚନ ସମୟରେ ବିଭିନ୍ନ ପ୍ରସଙ୍ଗ ସହ ଆଞ୍ଚଳିକବାଦ ମୁଣ୍ଡ ଟେକିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପଶ୍ଚିମ ଓଡ଼ିଶାର ନେତାଙ୍କୁ ନିର୍ବାଚନ ଭାର ଅର୍ପଣ କରାଯାଇଛି।

publive-image The New Indian Express

ଦଳ ପକ୍ଷରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପଦ୍ମପୁରରେ ପ୍ରଚାର ମଙ୍ଗ ଧରିବେ। ଶ୍ରୀ ଆଚାର୍ଯ୍ୟଙ୍କ ସହ ବିଧାୟକ ସୁଶାନ୍ତ ସିଂହଙ୍କୁ ସାମଗ୍ରିକ ଭାବେ ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଶ୍ରୀ ଆଚାର୍ଯ୍ୟଙ୍କ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ସରିବା ପରେ ତାଙ୍କ ରାଜନୈତିକ କ୍ୟାରିଅରର ମୋଡ଼ କେଉଁଦିଗକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପୂର୍ବଭଳି ସକ୍ରିୟ ରାଜନୀତିରେ ତାଙ୍କୁ ଏତେଟା ଦେଖିବାକୁ ମିଳୁନଥିଲା। ସମ୍ଭବତଃ, ତାହା ସ୍ବାସ୍ଥ୍ୟଜନିତ କାରଣରୁ ସେ ଏତେଟା ସକ୍ରିୟ ହୋଇପାରୁନଥିଲେ। ତେବେ, ଶ୍ରୀ ଆଚାର୍ଯ୍ୟଙ୍କୁ ଏବେ ଦଳ ପକ୍ଷରୁ ପଦ୍ମପୁର ଉପନିର୍ବାଚନର ମଙ୍ଗୁଆଳ ଦାୟିତ୍ବ ଦେଇଛନ୍ତି। ସେହିପରି ଦଳର ଅନ୍ୟତମ ହେଭିୱେଟ୍‌ ନେତା ସୁଶାନ୍ତ ସିଂ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ଘଟଣାକୁ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରିନଥିଲେ। ଯେଉଁଥିପାଇଁ, ସର୍ବଦା ରାଜ୍ୟ ରାଜ‌ନୀତିରେ ଚଳଚଞ୍ଚଳ ରହୁଥିବା ଶ୍ରୀ ସିଂଙ୍କୁ ପରେ ସାମାନ୍ୟ ଧିମା ଗତିବିଧି ଥିବା ଲକ୍ଷ୍ୟ କରାଯାଉଥିଲା। ‌ଯେ କୌଣସି ନିର୍ବାଚନ ହେଲେ ତାଙ୍କୁ ଗୁୁରୁଦାୟିତ୍ବ ମିଳୁଥିଲା। କିନ୍ତୁ ଧାମନଗରେରେ ତାଙ୍କୁ ‌ଦେଖିବାକୁ ମିଳିନଥିଲା। କିନ୍ତୁ ଧାମନଗରରେ ପରାଜୟ ପରେ ପଦ୍ମପୁରରେ ବିଜୟ ସୁନିଶ୍ଚିତ କରିବାକୁ ଶ୍ରୀ ସିଂଙ୍କ ଉପରେ ବି ଆସ୍ଥା ପ୍ରକଟ କରିଛି।

ନିଜର ଦାୟିତ୍ବ ସମ୍ପର୍କରେ ଦଳର ବରିଷ୍ଠନେତା ତଥା ଉପସଭାପତି ଶ୍ରୀ ଆଚାର୍ଯ୍ୟ ‘ସମ୍ବାଦ’କୁ କହିଛନ୍ତି, ‘ ବିଜେଡି ଦଳ ଗଠନ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପଦ୍ମପୁର ଅଞ୍ଚଳ ଗସ୍ତ କରିଥିଲେ। ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ପଦ୍ମପୁର ନିର୍ବାଚନମଣ୍ଡଳୀର ପାଖାପାଖି ପ୍ରତିଟି ଗଁା ବୁଲିଛି ଓ ଲୋକଙ୍କ ସହ ମିଶିଛି।’ ‘ ମୋର ଅଭିଜ୍ଞତା ଏବଂ ତ୍ରୁଣମୂଳସ୍ତରରେ ଲୋକମାନଙ୍କ ସହ ଥିବା ସୁସଂପର୍କକୁ ଆଧାର କରି କାଳେ ବିଜେଡି ଦଳ ମୋ ଉପରେ ବିଶ୍ବାସ ଦେଖାଇ ଉପନିର୍ବାଚନର ଗୁରୁଦାୟିତ୍ବ ଦେଇଥିବା ଅନୁଭବ କରୁଛି, ’ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe