ପଦ୍ମପୁର ଉପନିର୍ବାଚନ: ନାମାଙ୍କନକୁ ନେଇ ଛକାପଞ୍ଝା

Advertisment
ବୁଥ୍‌ ବାହୁଡ଼ା ମତ: ସବୁଠି କଡ଼ା ମୁକାବିଲା, ବିଜେପି ନେଇପାରେ ରାଜସ୍ଥାନ, ମଧ୍ୟପ୍ରଦେଶ

The Financial Express

ବରଗଡ଼: ଦିନକ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ। ଅର୍ଥାତ୍‌ ହାତରେ ୪୮ ଘଣ୍ଟାର ସମୟ ରହିଛି। କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ରାଜନୈତିକ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ନାମାଙ୍କନକୁ ନେଇ ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ଣ କରିଦେଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବର୍ତ୍ତମାନ ସୁଦ୍ଧା ୧୧ଜଣ ପ୍ରାର୍ଥିପତ୍ର ନେଇଛନ୍ତି।

ଗତକାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦିନଧାର୍ଯ୍ୟ କରିଥିଲେ। କିନ୍ତୁ ଚାଷୀଙ୍କ ଦାବି ଓ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଯାହାକି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ୧୫ଦିନ ଧରି ବୋଡ଼ାସମ୍ବର କୃଷକ ସଂଗଠନର ନେତୃତ୍ବରେ ବୀମା ଓ ଇନ୍‌ପୁଟ୍‌ ସବ୍‌ସିଡ୍‌ ଦାବିରେ ଚାଷୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଥିସହିତ ଜିଲ୍ଲା ଗଠନ ଦାବିରେ ମଧ୍ୟ ଆନ୍ଦୋଳନ ଚାଲିଛି। ଉପନିର୍ବାଚନ ପାଇଁ ନାମାଙ୍କନ ନକରିବାକୁ ଚାଷୀମାନେ ସର୍ବଦଳୀୟ ବୈଠକ ବେଳେ ସମସ୍ତ ରାଜନୈତିକ ନେତାଙ୍କୁ ମୁଣ୍ଡିଆମାରି ଅନୁରୋଧ ଜଣାଇଥିଲେ। ତଦନୁସାରେ, ଚାଷୀଙ୍କ ଆନ୍ଦୋଳନ ପ୍ରତି ସମ୍ମାନ ଜଣାଇ ଶ୍ରୀ ପୁରୋହିତ ପ୍ରାର୍ଥିପତ୍ର ଦାଖଲ କରିନଥିବା ଦଳ ପକ୍ଷରୁ କୁହାଯାଉଛି। କେବଳ ବିଜେପି କାହିଁକି, ସବୁ ରାଜନୈତିକ ଦଳ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଫଳ‌ରେ କେଉଁ ରାଜନୈତିକ ଦଳ ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିବେ ବୋଲି ଶୁଣାଯାଉଛି। ଖବର ଲେଖାହେବା ସୁଦ୍ଧା ଆଜି ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି।

ଅନ୍ୟ ଏକ ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ପାଇଁ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ସହାୟତା ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍‌ ଟ୍ବିଟ୍‌କରି ବୀମା କମ୍ପାନିଗୁଡ଼ିକୁ ବୀମା ଟଙ୍କା ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘୋଷଣା ପରେ ଉଭୟ ବିଜେଡି ଓ ବିଜେପି ଆନ୍ଦୋଳନରତ ଚାଷୀଙ୍କ ପାଖରେ ପହଞ୍ଚିବେ। ସେମାନଙ୍କୁ ମନାଇବା ପରେ ନିଜନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ସମ୍ଭବତଃ, ୧୭ ତାରିଖ ଅର୍ଥାତ୍‌ ଶେଷଦିନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଏହି ସୂତ୍ରରୁ ଶୁଣିବାକୁ ମିଳୁଛି।

ଅନ୍ୟପକ୍ଷରେ ଏ ସମ୍ପର୍କରେ ରାଜନୈତିକ ବିଶେଷଜ୍ଞଙ୍କର ଭିନ୍ନ ମତ ରହିଛି। ସେମାନଙ୍କ କହିବାନୁସାରେ, ଏହି ପ୍ରକ୍ରିୟା ଏତେ ସହଜ ହେବନାହିଁ। କାରଣ ଜିଲ୍ଲା ଗଠନ ଦାବି ନେଇ ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚାଲଛି। ପ୍ରମୁଖ ଦଳଗୁଡ଼ିକ ଏହି ଦାବିର କିଭଳି ସମ୍ମୁଖୀନ କରିବେ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ। ତେବେ, ପ୍ରାର୍ଥିପତ୍ର ଦାଖଲକୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଲାଗିଥିବା ଛକାପଞ୍ଝା ପଦ୍ମପୁର ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe