ପଦ୍ମପୁର ଉପନିର୍ବାଚନ: ଏଜେଣ୍ଡା ହେବ ଚାଷୀ ସମସ୍ୟା

Advertisment
ପଦ୍ମପୁର ଉପନିର୍ବାଚନ: ଏଜେଣ୍ଡା ହେବ ଚାଷୀ ସମସ୍ୟା

iPleaders

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀର ବିଧାୟକ ‌ବିଜୟରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତମାନ ପରିପ୍ରେକ୍ଷୀରେ ଉପନିର୍ବାଚନ ନେଇ ରାଜନୈତିକ ଦଳଗୁଡ଼ିକ ଉତ୍ସାହିତ ନୁହନ୍ତି। କାରଣ ଦିବଂଗତ ବିଧାୟକଙ୍କ ଦଶାହ ସରିନାହିଁ। କେବଳ ଦଳଗୁଡ଼ିକ ଭିତରେ ଭିତିରିଆ କସରତ ଚାଲିଛି। କିନ୍ତୁ ଉପନିର୍ବାଚନ ପ୍ରସଂଗ ନେଇ ଚାଷୀମାନେ ନିଜ ପକ୍ଷରୁ ଏଜେଣ୍ଡା ରଖି ଦେଲେଣି। ଯଦି ଉପନିର୍ବାଚନ ହୁଏ, ଭୋଟ୍‌ଦାନ ବର୍ଜନ କରିବାକୁ ବି ଚାଷୀ ସଂଗଠନଗୁଡ଼ିକ ଚରମ ଚେତାବନୀ ଦେଇଛନ୍ତି। ତେଣୁ ସମ୍ଭାବ୍ୟ ଉପନିର୍ବାଚନରେ ଚାଷ ଓ ଚାଷୀ ସମସ୍ୟା ହିଁ ମୁଖ୍ୟ ଏଜେଣ୍ଡାରେ ରହିବ। ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁର ବ୍ଲକ୍‌କୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ପାଇକମାଳ ଏବଂ ଝାରବନ୍ଧ ସର୍ବାଧିକ ଦାଦନପ୍ରବଣ ବ୍ଲକ୍‌ ଭାବେ ବିବେଚିତ। କାମଧନ୍ଦା ମିଳୁନଥିବାରୁ ପ୍ରତିବର୍ଷ ହଜାର ହଜାର ଦାଦନ ଏଠାରୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ନିର୍ଯାତନା ମାମଲା ବଢ଼ୁଥିଲେ ହେଁ ଦାଦନ ସୁଅ ବନ୍ଦ ହେଉନାହିଁ। ମନ୍‌ରେଗା ସମେତ ବିଭିନ୍ନ ସରକାରୀ ଯୋଜନାର ହରିଲୁଟ୍‌ ଦେଖୁଛି ଏହି ନିର୍ବାଚନମଣ୍ଡଳୀ। ଜିଲ୍ଲାର ସର୍ବାଧିକ ଦୁର୍ନୀତି ମାମଲା ବି ପଦ୍ମପୁର ନିର୍ବାଚନମଣ୍ଡଳୀରୁ ଆସିଥାଏ। ଏଠାରେ ଜନତା ବିଭିନ୍ନ ସମସ୍ୟାରେ ଜର୍ଜରିତ।

ତେବେ ସବୁଠୁ ବଳି ଯାଇଛି ଚାଷ ଓ ଚାଷୀଙ୍କ ସମସ୍ୟା। ପ୍ରତିବର୍ଷ ଏଠାକାର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଥାଏ। ଲକ୍ଷଲକ୍ଷ କ୍ବିଣ୍ଟାଲ ଧାନ ଅବିକ୍ରି ହୋଇ ପଡ଼ି ରହେ। ବିଗତ ଦିନରେ ଟୋକନ୍‌ ବିଭ୍ରାଟ୍‌କୁ ନେଇ ସର୍ବାଧିକ ଚାଷୀ ଆନ୍ଦୋଳନ ହୋଇଛି ପଦ୍ମପୁର ନିର୍ବାଚନମଣ୍ଡଳୀରେ। ଅନ୍ୟପକ୍ଷରେ  ଜିଲ୍ଲାବ୍ୟାପୀ ଫସଲ ବୀମା ବିଭ୍ରାଟ ଲାଗି ରହିଛି। କିନ୍ତୁ ବୀମା ମାମଲାରେ ସର୍ବାଧିକ କ୍ଷତି ସହିଛନ୍ତି ପଦ୍ମପୁର ଉପଖଣ୍ଡର ଚାଷୀମାନେ। ବୀମା ଟଙ୍କା ମିଳୁନଥିବାରୁ ଚାଷୀ ଆନ୍ଦୋଳନ କୌଣସି ସମୟରେ ମୁଣ୍ଡ ଟେକିବ। ସ୍ଥାନୀୟ ପ୍ରଶାସନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଚାଷୀଙ୍କୁ କେବଳ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଚାଷୀଙ୍କୁ ବୀମା ଟଙ୍କା ମିଳୁନାହିଁ। ତେଣୁ ସମ୍ଭାବ୍ୟ ଉପନିର୍ବାଚନ ପୂର୍ବରୁ ଚାଷୀମାନେ ମୁହଁତୋଡ଼ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଆସନ୍ତା ୧ ତାରିଖ ଏହାର ଝଲକ ଦେଖିବାକୁ ମିଳିବ। ସବୁ ଚାଷୀ ସଂଗଠନ ଏକତ୍ରିତ ହେ‌ାଇ ବ୍ୟବସ୍ଥା ବିରୋଧରେ ବିଗୁଲ ଫୁଙ୍ଗିବେ। ଏହାବାଦ୍‌ ଉପନିର୍ବାଚନ ବେଳେ କୌଣସି ନେତାଙ୍କୁ ନିର୍ବାଚନମଣ୍ଡଳୀ ପରିଧିକୁ ପୂରାଇ ଦେବୁନି ବୋଲି ଚାଷୀ ହୁଙ୍କାରିଛନ୍ତି। ଗୋଟିଏ ହିସାବରେ ଚାଷୀ ସମସ୍ୟାକୁ ନେଇ ପଦ୍ମପୁର ସବୁବେଳେ ସରଗରମ ‌ରହିଆସିଛି। ଆଗାମୀ ଉପନିର୍ବାଚନ ସ୍ଥିତିକୁ ଆହୁରି ଗରମ କରିବ। କାରଣ ସଂଗଠିତ ଚାଷୀ ଏକତାକୁ ନେତାମାନେ କିଭଳି ମୁକାବିଲା କରିବେ, ତାହା ସବୁଠୁ ବଡ଼ ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe