The New Indian Express
ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ପୁଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥର ୩୧୯ଟି ବୁଥ୍ରେ ୨,୫୯,୩୨୬ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ୧,୩୦,୩୩୧ ଜଣ ପୁରୁଷ, ୧,୨୮,୯୮୧ ଜଣ ମହିଳା ଓ ୧୪ ଜଣ ତୃତୀୟ ଲିଂଗୀ ଭୋଟର୍ ରହିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସ୍ପି ସ୍ମିଥ ପି.ପରମାର ଆଗାମୀ ଉପନିର୍ବାଚନ ଉପରେ ପ୍ରଶାସନର ପଦକ୍ଷେପ ଉପରେ ସୂଚନା ଦେଇଛନ୍ତି। ପ୍ରାର୍ଥୀ, ସମର୍ଥକଙ୍କ କାର୍ଯ୍ୟାକଳାପ ସହିତ ଗଣମାଧ୍ୟମ ଓ ସୋସିଆଲ ମିଡିଆର ଗତିବିଧି ଉପରେ ନଜର ରଖିବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲା ରହିଛି। ନିର୍ବାଚନମଣ୍ତଳୀରେ ସମୁଦାୟ ୩୧୯ଟି ବୁଥ୍ରୁ ୭୪ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି।
୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍ ବୁଥ୍ ରହିଛି। ଏହି ବୁଥ୍ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ ୱେବ୍ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିବେ। ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ୍ ୨୨ଟି ଚେକ୍ପୋଷ୍ଟ କରିବ। ପ୍ରଥମ ପର୍ଯ୍ୟାୟରେ ବରଗଡ଼-ନୂଆପଡ଼ା ସୀମା, ବରଗଡ଼-ବଲାଂଗୀର ଓ ବରଗଡ଼-ଛତିଶଗଡ଼ ରାଜ୍ୟ ସୀମାରେ ୧୦ଟି ନାକା କାର୍ଯ୍ୟ କରୁଛି। ତନ୍ମଧ୍ୟରୁ କୁକ୍ରିପାଲି-ଛତିଶଗଡ଼ ସୀମା ଓ ଭୈନାଦରହା-ଛତିଶଗଡ଼, ବେହେରାଡ଼ୁଙ୍ଗୁରି-ଛତିଶଗଡ଼, ଲଉଡ଼ିଦରହା-ଛତିଶଗଡ଼, ଧଉରାଭଟା-ଛତିଶଗଡ଼ ସୀମା ସମେତ ପାଟଣାଗଡ଼ ରାସ୍ତାର ସୁଜିଆ ଛକ, ନୂଆପଡ଼ା ରୋଡ୍ର ଧରଢେ଼ାଲ ଛକ ଓ ଜାମସେଠ-ବରତୁଣ୍ତା ସିଆର୍ପିଏଫ୍ ଛକ, ତେଲମହୁଲ ଛକ ଏବଂ ଗାଈସିଲାଟ ବ୍ଲକ୍ର ସୀମାନ୍ତରେ ଥିବା ଖଇରପାଲି ଛକରେ ନାକା କାର୍ଯ୍ୟକ୍ଷମ ରହିଛି। ନିର୍ବାଚନମଣ୍ତଳୀର ଏକାଧିକ ଅଂଶ ମାଓ ଅଧ୍ୟୁଷିତ ହୋଇଥିବାରୁ ଆହୁରି ଅଧିକ ଫୋର୍ସ ପାଇଁ ପୁଲିସ୍ ଆବେଦନ କରିଛି। ବର୍ତ୍ତମାନ ଜିଲ୍ଲାରେ ୪ ପ୍ଲାଟୁନ ସିଆର୍ପିଏଫ୍, ଏକ ପ୍ଲାଟୁନ ଏସ୍ଓଜି ଓ ଏକ ପ୍ଲାଟୁନ ଡିଭିଏଫ୍ ଫୋର୍ସ ମହଜୁଦ ଅଛନ୍ତି। ଆଗାମୀ ଦିନରେ ୩ ପ୍ଲାଟୁନ ଓଏଏସ୍ପି ଓ ୨ ପ୍ଲାଟୁନ ସିଆର୍ପିଏଫ୍ ଯବାନ ଆସିବେ। ରାଜ୍ୟ ପୁଲିସ ଫୋର୍ସ ସହ ୨୧ ପ୍ଲାଟୁନ ଫୋର୍ସ ଆସି ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବେ ବୋଲି ଏସ୍ପି ଶ୍ରୀ ପରମାର ସୂଚନା ଦେଇଥିଲେ।
Follow Us