ପଦ୍ମପୁରରେ ସ୍ଥିତି ଗଡ଼ବଡ଼; ବିଜେପିରେ କନ୍ଦଳ, ବିଜେଡି ନିରବ

Advertisment

କଂଗ୍ରେସ ଫାଇଦା ଉଠାଇବା ବଦଳରେ ନିଜ ସ୍ଥିତି ଖୋଜୁଛି

କଂଗ୍ରେସ ଫାଇଦା ଉଠାଇବା ବଦଳରେ ନିଜ ସ୍ଥିତି ଖୋଜୁଛି

ଏକାମ୍ର ନିର୍ବାଚନମଣ୍ଡଳୀ: ବି‌ଜେଡି ବିଜୟ ପଥ ଏଥର ବି ସୁଗମ ତ?

ବରଗଡ଼ / ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ତଳୀରେ ରାଜନୈତିକ ଦଳ ଗୁଡ଼ିକର ସ୍ଥିତି ଗୋଳମାଳିଆ ସ୍ଥିତିରେ ରହିଛି। କୌଣସି ଦଳ ସ୍ଥିର ଭାବେ ପ୍ରଚାର ଅଭିଯାନ ଚଳାଇ ନାହାନ୍ତି। ଏଠାକାର ନିର୍ବାଚନୀ ମାହୋଲକୁ ଠଉରାଇବା କାଠିକର ପାଠ ହୋଇଛି। କାହା ସପକ୍ଷରେ ହାୱା ରହୁଛି, ଭୋଟ୍‌ ସ୍ରୋତ କାହା ପଟକୁ ଲମ୍ବିବ, ଏସବୁ ଆକଳନ କରିବା ମୁସ୍କିଲ ହୋଇପଡ଼ିଛି। ଫଳରେ ଭୋଟର୍‌ ବି ଦ୍ବନ୍ଦ୍ବ ଭିତରେ ଛନ୍ଦି ହୋଇଛନ୍ତି। କେତେକ ସ୍ଥାନରେ ଲୋକମାନେ ସ୍ଥାନୀୟ ନେତୃତ୍ବରେ ଅତିଷ୍ଠ ଅଛନ୍ତି। ଯାହାର ପ୍ରତିଫଳନ ବେଳେବେଳେ ଦେଖିବାକୁ ମିଳୁଛି। ବିଜେପି ନିର୍ବାଚନ ପରିଚାଳନା କରିବା ପାଇଁ କେତେକ କମିଟି ଗଠନ କରିଛି। କିନ୍ତୁ କମିଟିର କାର୍ଯ୍ୟକଳାପରେ ସ୍ଥାନୀୟ ନେତୃମଣ୍ତଳୀ ଅସନ୍ତୋଷ ଜାହିର କରୁଛନ୍ତି। ଯାହାକୁ ନେଇ ଦଳ ଭିତରେ  ଗୋଷ୍ଠୀ କନ୍ଦଳ ରହୁଥିବା ପରିଲକ୍ଷିତ ହେଉଛି। କନ୍ଦଳକୁ ପ୍ରଶମିତ କରିବାକୁ ତୁଙ୍ଗ ନେତାମାନେ  ପ୍ରୟାସ ରଖିଥିଲେ ସୁଦ୍ଧା ଅସନ୍ତୋଷର ଧୁଆଁ ବୃଦ୍ଧି ପାଉଛି। ତେଣୁ ବିଜେପିର ରଣନୀତି ଏବେ ଯାଏ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ବିଜେଡିରେ ନିରବତା ଲାଗି ରହିଛି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ପଦ୍ମପୁରର ତିନୋଟି ଜୋନ୍‌, ପାଇକମାଳ ଏବଂ ଝାରବନ୍ଧର ଦୁଇଟି ଲେଖାଏଁ ଜୋନ୍‌ରୁ ବିଜେପି ୬ଟି ଆସନ ପାଇଥିଲା। ବିଜେଡି ଭାଗରେ ମାତ୍ର ଗୋଟିଏ ଜୋନ୍‌ ପଡ଼ିଥିଲା। ଏହି ପ୍ରଦର୍ଶନକୁ ନେଇ ବିଜେଡି ସମୀକ୍ଷା କରିଥିଲେ ହେଁ ପରବର୍ତୀ ରଣନୀତି ସେତିକି ଶାଣିତ ହୋଇନାହିଁ। ଶେଷ ମୁହୂର୍ତ୍ତରେ ଦଳ କିଛି ନୂଆ କିସମର ପ୍ରଚାର ଅଭିଯାନ କରିପାରେ ବୋଲି ଚର୍ଚ୍ଚା ହେଉଛି। ନଚେତ ବିଜେଡି ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଆଗେଇନାହିଁ। ତେବେ ଏସବୁ ସ୍ଥିତି ଭିତରେ କଂଗ୍ରେସ ଫାଇଦା ଉଠାଇବା ବଦଳରେ ନିଜ ସ୍ଥିତି ଖୋଜୁଛି। ଦଳ ନିଜ ଅଲୋଡ଼ା ରେକର୍ଡରୁ ମୁକ୍ତି ପାଇବା ପାଇଁ ଏଯାଏଁ କିଛି କସରତ କରୁନଥିବା  ଅନୁଭବ ହେଉଛି।

ବର୍ତମାନ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡି ଏବଂ ବିଜେପି ମଧ୍ୟରେ ଲଢ଼େଇ ହେବା ସ୍ପଷ୍ଟ ହୋଇଛି। ଗତ ବିଧାନସଭା ନିର୍ବାଚନରେ ବିଜେପିର ରଣନୀତି ଓ ପ୍ରଚାର ଶୈଳୀ ଜୋର୍‌ଦାର୍‌ ଥିଲା। ଦଳ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ଭଳି ପରିବେଶ ସୃଷ୍ଟି କରିଥିଲା। କିନ୍ତୁ ଶେଷ ପର୍ଯ୍ୟାୟରେ ବିଜେଡି ବାଜିମାତ୍‌ କଲା। ତେଣୁ ଉଭୟ ବିଜେଡି ଏବଂ ବିଜେପି ନିଜନିଜ ପୂର୍ବ ତ୍ରୁଟିବିଚ୍ୟୁତି ସୁଧାରି ମଇଦାନକୁ ଓହ୍ଲାଇଲେ, ଏଥର କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe